ରାଉରକେଲା ୧।୬: ସୁନ୍ଦରଗଡ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ବିସ୍ଫୋରକ ଲୁଟ୍ ଘଟଣାରେ ନୂଆ ଟ୍ବିଷ୍ଟ । ରବିବାର ଧରାପଡ଼ିଛି ବିସ୍ଫୋରକ ଭର୍ତ୍ତି ଦୁଇଟି ମିନି ଟ୍ରକ । ରଘୁନାଥପାଲି ଥାନା ବାଲୁଘାଟ ଜାତୀୟ ରାଜପଥରେ ଥିବା ଏକ ପେଟ୍ରୋଲ ପମ୍ପରୁ ଏହାକୁ ଜବତ କରିଛି ରାଉରକେଲା ପୋଲିସର ସ୍ଵତନ୍ତ୍ର ଟିମ୍ । ଦୁଇ ଦିନ ହେଲା ପେଟ୍ରୋଲ ପମ୍ପରେ ବେଆଇନ ବିସ୍ଫୋରକ ଭର୍ତ୍ତି ଏହି ଦୁଇଟି ମିନି ଟ୍ରକ୍ ରଖାଯାଇଥିଲା । ଦୁଇଟି ଟ୍ରକରେ ପାଖାପାଖି ୮ ଟନ୍ ବିସ୍ଫୋରକ ରହିଛି । ତେବେ କିଏ ଏଠାରେ ଏମିତି ବେଆଇନ ଭାବେ ଏତେ ପରିମାଣର ବିସ୍ଫୋରକ ଭର୍ତ୍ତି ଗାଡି଼ ରଖିଥିଲା । ବାଙ୍କୋ ନିକଟ ଜଙ୍ଗଲରୁ ଲୁଟ୍ ହୋଇଥିବା ବିସ୍ଫୋରକ ସହ ଏହାର କିଛି ସଂପୃକ୍ତି ରହିଛି କି ? ଏହି ବିସ୍ଫୋରକକୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା କି ? ଏବେ ଏଭଳି ନାନା ସନ୍ଦେହ ଉପୁଜଛି । ପୋଲିସ ଟ୍ରକ ଦୁଇଟିର ଯାଞ୍ଚ କରିବା ସହ ଏହି ଘଟଣାର ଅଧିକ ଖୋଳତାଡ଼ କରୁଛି । ସେପଟେ ବଡଗାଁ ଇତମା ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ଅଟକ ରଖିଛି ପୋଲିସ ।
ଗତ ୨୭ ତାରିଖରେ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ଲୁଟ୍ ହୋଇଥିଲା ପ୍ରାୟ ୪ ଟନ୍ ବିସ୍ଫୋରକ । ଲୁଟ୍ ପଛରେ ମାଓବାଦୀଙ୍କ ହାତଥିବା ଜଣାପଡିବା ପରେ ପୋଲିସ ତଦନ୍ତ ଚଳାଇଥିଲା । ୨୮ ତାରିଖରେ ପୋଲିସ ବିସ୍ଫୋରକ ଯାଉଥିବା ବଡଗାଁ ଥାନା ଇତମା ବିସ୍ଫୋରକ ଗୋଦାମକୁ ଆସି ଯାଞ୍ଚ କରିବା ସହ ଏହାକୁ ସିଲ୍ କରିଥିଲା। ବିସ୍ଫୋରକ ଲୁଟ୍ ଘଟଣାର ତଦନ୍ତ ପାଇଁ NIA ସହ ଏସଆଇଟି ଗଠନ କରାଯାଇଥିଲା । ଶନିବାର ଏସଆଇଟି ଓ NIA ଟିମ୍ ଟିମ୍ ପୁଣି ଥରେ ଇତମା ଠାରେ ଥିବା ବିସ୍ଫୋରକ ଗୋଦାମକୁ ଆସି ଯାଞ୍ଚ କରିବା ସହ ଷ୍ଟକ୍ ପରିମାଣ ଦେଖି ପୁଣି ଥରେ ଗୋଦାମକୁ ସିଲ୍ କରିଥିଲେ । ହେଲେ ଆଜି ପୁଣି ପେଟ୍ରୋଲ ପମ୍ପ ନିକଟରେ ରଖାଯାଇଥିବା ଦୁଇଟି ବିସ୍ଫୋରକ ଭର୍ତ୍ତି ଗାଡ଼ି କେଉଁଠାରୁ ଆସିଲା ତାହା ସନ୍ଦେହ ସୃଷ୍ଟି କରିଛି । ଏବେ ପ୍ରଶ୍ନ ଉଠୁଛି ଧରାପଡିଥିବା ବିସ୍ଫୋରକ ଇତମା ଗୋଦାମରୁ ଯାଉଥିଲା ନା ଅନ୍ୟ କେଉଁଠାରୁ ଚୋରା ଚାଲାଣ କରାଯାଇ ଏଠାରେ ବେଆଇନ ଭାବେ ରଖାଯାଇଥିଲା ? ପେଟ୍ରୋଲ ପମ୍ପ ମାଲିକଙ୍କ ଜ୍ଞାତସାରରେ ଏହା ରଖାଯାଇ ଥିଲା କି ? ତେବେ ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି ସେ ଏ ବିଷୟରେ କିଛି ବି ଜାଣି ନାହାନ୍ତି ।
ସେପଟେ ମାଓବାଦୀଙ୍କ ଦ୍ଵାରା ଲୁଟ୍ ବିସ୍ଫୋରକ ମଧ୍ୟରୁ ଆଉ ଗୋଟିଏ ଟନ୍ ଏପର୍ଯ୍ୟନ୍ତ ମିଳିନାହିଁ । ପୋଲିସ ତଲାସି ଅଭିଯାନ ଜାରି ରଖିଥିବା ବେଳେ ସରଣ୍ଡା ଜଙ୍ଗଲରେ IED ବିସ୍ଫୋରଣରେ ଜଣେ ସାଧାରଣ ଲୋକର ମୃତ୍ୟୁ ହୋଇଛି ।
You Can Read:
ବଡ଼ଦାଣ୍ଡରେ ଭକ୍ତଙ୍କୁ ଓଜନ ମାପରେ ଠକେଇ ଘଟଣା : ଦୁଇ ଖଜା ବ୍ୟବସାୟୀ ଗିରଫ