ଆଲାସ୍କା ଉପରେ ଦୁନିଆର ନଜର, ଟ୍ରମ୍ପ-ପୁଟିନଙ୍କ ଆଜିର ବୈଠକ ସ୍ଥିର କରିବ ଭୂ-ରାଜନୈତିକ ଭବିଷ୍ୟତ

Published By : Prameya-News7 Bureau | August 15, 2025 IST

ନୂଆଦିଲ୍ଲୀ: ଆମେରିକାର ଆଲାସ୍କା ସହରରେ ଦୁନିଆର ଦୁଇ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ବୈଠକ ହେବାକୁ ଯାଉଛି । ଏହା ଏକବିଂଶ ଶତାବ୍ଦୀରେ ସବୁଠୁ ବଡ଼ ଓ ଭୂ-ରାଜନୈତିକ ଭବିଷ୍ୟତ ସ୍ଥିର କରିବ  । ଏହି ଆଲୋଚନାର ନିଷ୍କର୍ସ କ'ଣ ହେବ ତାହା ଉପରେ ସାରା ଦୁନିଆର ନଜର ରହିଛି, କିନ୍ତୁ ଏହା ପୂର୍ବରୁ ଦଶନ୍ଧିର ସବୁଠୁ ବଡ଼ ବୈଠକ ପାଇଁ ଆଲାସ୍କା ପ୍ରସ୍ତୁତ ହୋଇଛି ।

ୟୁକ୍ରେନରେ ରୁଷର ଯୁଦ୍ଧ ସମାପ୍ତି ଲକ୍ଷ୍ୟରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲାସ୍କାରେ ଶୁକ୍ରବାର ବୈଠକ ହେବ । ଆଲସ୍କାର ଆଙ୍କୋରେଜ ସହର ଉତ୍ତରରେ ସ୍ଥିତ ଜଏଣ୍ଟ୍ ବେସ୍ ଇଲ୍‌ମେନ୍‌ଡ୍ରର୍ଫ-ରିଚର୍ଡସନ୍‌ରେ ଦୁଇ ନେତା ଆଲୋଚନା କରିବେ । ଏହି ସ୍ଥାନ ହେଉଛି ଆମେରିକାର ଏକ ସୈନ୍ୟ ଆଡ୍ଡା । ଉଚ୍ଚ ସୁରକ୍ଷା ଓ ସାମରିକ ଗୁରୁତ୍ୱ କାରଣରୁ ଏହାକୁ ଚୟନ କରାଯାଇଛି । ଏଠାରେ ସୁରକ୍ଷିତ ସୈନିକ ପରିସର, ନିୟନ୍ତ୍ରିତ ଆକାଶମାର୍ଗ ଓ ଅତ୍ୟାଧୁନିକ ସୈନ୍ୟ ସଂଶାଧନ ରହିଛି ।

ବ୍ଲୁମ୍‌ବର୍ଗର ଏକ ରିପୋର୍ଟ ଅନୁସାରେ, ଆମେରିକା ବିଦେଶ ବିଭାଗର ପ୍ରୋଟୋକଲ୍ ସମସ୍ତ ପ୍ରସ୍ତୁତି ଉପରେ ନଜର ରଖିଛି । ଅଧିକାରୀଙ୍କ ସୂଚନା ଅନୁସାରେ ଦ୍ୱିପାକ୍ଷିକ ବୈଠକରେ ପାରସ୍ପାରିକ ନିୟମ (Reciprocity rules)କୁ ଗୁରୁତ୍ୱ ଦିଆଯାଇଛି । ରୁଷ ସୁରକ୍ଷାକର୍ମୀ ପୁଟିନଙ୍କ ତତ୍କାଳ ଗତିବିଧି ଉପରେ ନଜର ରଖିବେ, ଅନ୍ୟପଟେ ସିକ୍ରେଟ୍ ସର୍ଭିସ୍ ବାହାରେ ଏକ ସୁରକ୍ଷା ପ୍ରାଚେରୀ କରିବ । କୌଣସି ପକ୍ଷ ଅନ୍ୟର ଗାଡ଼ିରେ ବସିବେ ନାହିଁ କି କବାଟ ଖୋଲିବେ ନାହିଁ । ଯଦି କୌଣସି ବୈଠକ ଗୃହ ବାହାରେ ୧୦ ଜଣ ଆମେରିକାର ଏଜେଣ୍ଟ ମୁତୟନ ରହୁନ୍ତି, ତେବେ ରୁଷର ବି ୧୦ ଜଣ ଏଜେଣ୍ଟ ମୁତୟନ ରହିବେ । ଏଜେଣ୍ଟମାନଙ୍କ ଶରୀର ଗଠନ ସମାନ ଓ ପାଖରେ ଥିବା ଅସ୍ତ୍ରଶସ୍ତ୍ର ମଧ୍ୟର ହିସାବ କରାଯିବ । ଅର୍ଥାତ୍ ଗୋଟିଏ ପକ୍ଷ ପାଖରେ ଯେତିକି ଅସ୍ତ୍ର ଥିବ ଅନ୍ୟ ପକ୍ଷ ପାଖରେ ବି ସମାନ ସଂଖ୍ୟକ ଅସ୍ତ୍ର ରହିବ । 

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଏହା ଆଙ୍କୋରେଜ ଇତିହାସର ସବୁଠୁ ବଡ଼ ଅନ୍ତର୍ଜାତୀୟ ଘଟଣା । କିନ୍ତୁ ଏହି ବୈଠକ ଯୋଗୁ ଆଲାସ୍କାର ସଂଶାଧନରେ ଅଭାବ ଦେଖା ଦେବା ଆରମ୍ଭ ହୋଇଛି । ଆଲାସ୍କାରେ ବର୍ତ୍ତମାନ ପର୍ଯ୍ୟଟନ ସିଜିନ୍ ହୋଇଥିବାରୁ ହୋଟେଲ୍ ସବୁ ବୁକ୍ ହୋଇସାରିଛି । ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ନେଇ କିଛି ଦିନ ପୂର୍ବେ ସ୍ଥିର ହୋଇଥିବାରୁ ଅନ୍ୟମାନଙ୍କ ରହଣି ପାଇଁ ରୁମ୍ ଖାଲି ନାହିଁ । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ କିଛି ରୁଷ ପ୍ରତିନିଧି ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ରହିବାକୁ ବାଧ୍ୟ ହୋଇଛନ୍ତି । 

ହ୍ୱାଇଟ୍ ହାଉସ୍ ମୁଖପାତ୍ର କାରୋଲିନ୍ ଲେଭିଟ୍ ଫକ୍ସ ନ୍ୟୁଜକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ ଟ୍ରମ୍ପ୍ ଏବଂ ପୁଟିନଙ୍କ ବୈଠକ ପରେ ଦୁଇ ଦେଶର ପ୍ରତିନିଧିଣ୍ଡଳ ମିଳିତ ଭାବେ ମଧ୍ୟାହ୍ନ ଭୋଜନ କରିବେ । ମଧ୍ୟାହ୍ନ ଭୋଜନ ପରେ ସାମ୍ବାଦିକ ସମ୍ମିଳନୀ ହେବ । ଏହାରି ଭିତରେ ସୁରକ୍ଷା ଦୃଷ୍ଟିରୁ ଆଲାସ୍କାରେ ଅନେକ ବିମାନ ଉଡ଼ାଣକୁ ନିଷେଧ କରାଯାଇଛି । ଫେଡେରାଲ୍ ଏଭିଏସନ୍ ପ୍ରଶାସନ ଶୁକ୍ରବାର ସ୍ଥାନୀୟ ସମୟ ସକାଳ ୯:୧୫ରୁ ଅପରାହ୍ନ ୪:୧୫ ପର୍ଯ୍ୟନ୍ତ ଆଙ୍କୋରେଜ୍ ଏୟାରସ୍ପେସରେ ଉଡ଼ାଣ ନିଷେଧ ଜାରି କରିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.