ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ବି-୨ ଷ୍ଟିଲଥ୍ ବମ୍ୱର୍ସ ଇରାନର ତିନୋଟି ପ୍ରମୁଖ ପରମାଣୁ କେନ୍ଦ୍ର (ଫୋର୍ଡୋ , ନତାଞ୍ଜ ଓ ଇସଫହାନ)ଉପରେ ହମଲା କରି ସେଗୁଡ଼ିକୁ ସଂପୂର୍ଣ୍ଣ ନଷ୍ଟ କରି ଦେଇଛି। ଟ୍ରମ୍ପ କହିଛନ୍ତି , ଇରାନ ନିଜର ପରମାଣୁ ଫାସିଲିଟିକୁ ପୁଣି ଥରେ ତିଆରି କରି ପାରିବ ନାହିଁ। ଭୂମି ତଳେ ଥିବା ସେହି ସ୍ଥାନ ସଂପୂର୍ଣ୍ଣ ଧ୍ୱଂସ ହୋଇ ଯାଇଛି। ଆମର ବି-୨ ପାଇଲଟମାନେ ସୁନ୍ଦର କାମ କରିଛନ୍ତି। ଏହି ହମଲାକୁ ଅପରେସନ ମିଡ୍ନାଇଟ୍ ହାମର୍ ନାଁ ଦିଆଯାଇ ଥିଲା , ଯାହା ଇସ୍ରାଏଲ-ଇରାନ ସଂଘର୍ଷରେ ଆମେରିକାର ସିଧା ଅଂଶଦାରର ପ୍ରଥମ ଉଦାହରଣ ।
ଇରାନର ପରମାଣୁ କାର୍ଯ୍ୟକ୍ରମ ଦୀର୍ଘ ଦିନରୁ ଅନ୍ତରାଷ୍ଟ୍ରୀୟ ବିବାଦର କେନ୍ଦ୍ର ଭାବେ ରହିଛି। ଫୋର୍ଡୋ ପାହାଡ଼ ତଳେ ୩୦୦ ଫୁଟର ଗଭୀରରେ ତିଆରି ହୋଇଛି। ଏହାକୁ ହାଇ କ୍ୱାଲିଟ୍ର ୟୁରେନିୟମ ଭଣ୍ଡାରର ପ୍ରମୁଖ କେନ୍ଦ୍ର ଭାବେ ମନେକରାଯାଏ। ଆମେରିକା ୧୪ ଜିବିୟୁ-୫୭ ମେସିଭ୍ ଆର୍ଡନେନ୍ସ ପେନେଟ୍ରେଟର (ବଙ୍କର ବଷ୍ଟର) ବୋମା ଗୁଡ଼ିକୁ ବ୍ୟବହାର କରିଥିଲା , ଯାହାକୁ କେବଳ ବି-୨ ବମ୍ୱର ହିଁ ନେଇ ଯାଇ ପାରେ। ଏହା ବ୍ୟତୀତ, ଇସଫାହନ ଉପରେ ୨୪ ଟମହକ୍ କ୍ରୁଜ୍ ମିସାଇଲ ମାଡ଼ କରାଗଲା। ଟ୍ରମ୍ପ ଏହାକୁ ଐତିହାସିକ ସଫଳତା ଭାବେ ଦର୍ଶାଇଛନ୍ତି। ହେଲେ, ଇରାନୀ ଅଧିକାରୀମାନେ ଦାବି କରିଛନ୍ତି ଯେ , ତାଙ୍କର ପରମାଣୁ ସାମଗ୍ରୀ ପୂର୍ବରୁ ହିଁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇ ଦିଆଯାଇ ଥିଲା।
ଇରାନ ଆମେରିକାର ହମଲାକୁ ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ କହିଛି ଏବଂ ଜବାବୀ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛି। ବିଦେଶ ମନ୍ତ୍ରୀ ଅବାସ୍ ଅରାଘଚୀ ଏହାକୁ ବିପଜ୍ଜନକ ଓ ବେଆଇନ କହିଛନ୍ତି। ହେଲେ ଜାତିସଂଘର ପରମାଣୁ ପର୍ଯ୍ୟବେକ୍ଷକ ସଂସ୍ଥା କହିଛି ଯେ, ରେଡିଏସନ ସ୍ତରରେ କୌଣସି ବୃଦ୍ଧି ଦେଖିବାକୁ ମିଳି ନାହିଁ। ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯଦି ଇରାନ ଜବାବୀ ହମଲା କରେ ତ ଆହୁରି ଜୋରଦାର ଆକ୍ରମଣ ହେବ। ଏହି ମଧ୍ୟରେ, ଇସ୍ରାଏଲ ଇରାନର ସାମରିକ କେନ୍ଦ୍ର ଗୁଡ଼ିକ ଉପରେ ହମଲା ଜାରି ରଖିଛି। ଏହି ସଂଘର୍ଷ ମଧ୍ୟ ପୂର୍ବରେ ଉତ୍ତେଜନାକୁ ଆହୁରି ବଢାଇ ପାରେ। ହେଲେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ପକ୍ଷରୁ ଅସ୍ତ୍ରବିରତିର ଘୋଷଣା କରି ଦିଆ ଯାଇଛି।