ଇରାନ ଉପରେ ଆକ୍ରମଣ କରିବେ କି ନାହିଁ ଆସନ୍ତା ଦୁଇ ସପ୍ତାହରେ ନିଷ୍ପତ୍ତି ନେବେ ଡୋନାଲ୍ଡ ଟ୍ରମ୍ପ: ହ୍ୱାଇଟ୍ ହାଉସ୍

Published By : Prameya-News7 Bureau | June 20, 2025 IST

indiatoday

ୱାଶିଂଟନ ଡିସି: ଆମେରିକା, ଇରାନ ଉପରେ ଆକ୍ରମଣ କରିବ କି ନାହିଁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଟ୍ରମ୍ପ ନିଷ୍ପତ୍ତି ନେବେ। ଗୁରୁବାର ଏନେଇ ହ୍ୱାଇଟହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ-ଇରାନ ବିବାଦକୁ ନେଇ ୱାଶିଂଟନ ଏବଂ ତେହେରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ନେଇ ଆମେରିକା ରାଷ୍ଟ୍ରପତି ଭବନ ପକ୍ଷରୁ ଏଭଳି ଘୋଷଣା କରାଯାଇଛି।

ଏନେଇ ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ଯେଉଁଥିରେ ସେ କହିଛନ୍ତି "ନିକଟ ଭବିଷ୍ୟତରେ ଇରାନ ସହିତ ଆଲୋଚନା ହୋଇପାରେ କିମ୍ବା ନ ହୋଇପାରେ,ତେବେ ଯଥେଷ୍ଟ ସମ୍ଭାବନା ରହିଛି, ତେଣୁ ସାମରିକ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ମୁଁ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବି।" ଟ୍ରମ୍ପଙ୍କ ପକ୍ଷରୁ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ ସାମ୍ବାଦିକମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। 

ଲିଭିଟ୍ ଆହୁରି କହିଛନ୍ତି ଯେ ଟ୍ରମ୍ପ ତେହେରାନ ସହ ଚୁକ୍ତି କରିବାକୁ ଦ୍ୱାର ଖୋଲା ରଖିଛନ୍ତି। ତେବେ ଯେକୌଣସି ଚୁକ୍ତି ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା ଦିଗରେ ହେବା ଉଚିତ୍ ବୋଲି ସେ ଚାହୁଁଛନ୍ତି। ସେ ଆହୁରି କହିଛନ୍ତି ଯେ ରାଷ୍ଟ୍ରପତି ସର୍ବଦା ଏକ କୂଟନୈତିକ ସମାଧାନ ପାଇଁ ଆଗ୍ରହୀ। ସେ ଜଣେ ଶାନ୍ତି ସ୍ଥାପନକାରୀ ବ୍ୟକ୍ତି। ସେ ଶକ୍ତିଶାଳି ରାଷ୍ଟ୍ରପତି ହୋଇ ବି ଶାନ୍ତି ଚାହୁଁଛନ୍ତି। ତେଣୁ ଯଦି କୂଟନୀତି ପାଇଁ ସୁଯୋଗ ଥାଏ, ତେବେ ରାଷ୍ଟ୍ରପତି ଏହାକୁ ହାତଛଡ଼ା କରିବେ ନାହିଁ। କିନ୍ତୁ ସେ ବଳପ୍ରଯୋଗ କରିବାକୁ ମଧ୍ୟ ଭୟ କରନ୍ତି ନାହିଁ ବୋଲି ଲିଭିଟ୍ କହିଛନ୍ତି। 

ପଢନ୍ତୁ- ଯୁଦ୍ଧର ଅଷ୍ଟମ ଦିନ, ଇସ୍ରାଏଲ ବିରୋଧରେ ଇରାନ ସହ ଯୁଦ୍ଧରେ ସାମିଲ ହେଲା ହିଜ୍‌ବୁଲ୍ଲା

ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଯୋଜନାକୁ ସମର୍ଥନ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିର୍ଦ୍ଦେଶ ଦେଇନାହାଁନ୍ତି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଚାହୁଁଛି କି ନାହିଁ ଟ୍ରମ୍ପ ତା'କୁ ଅପେକ୍ଷା କରିଛନ୍ତି। ଏହା ପୂର୍ବରୁ ଟ୍ରମ୍ପଙ୍କୁ ମଧ୍ୟ ଏହି ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଥିଲେ “ମୁଁ ଆକ୍ରମଣ କରିପାରେ ନ କରିବି ପାରେ। କେହି ଜାଣି ନାହାନ୍ତି କ'ଣ ହେବ। କିନ୍ତୁ ଆସନ୍ତା ସପ୍ତାହ କିମ୍ବା ତା’ଠାରୁ ବି କମ୍ ସମୟ ମଧ୍ୟରେ କିଛି ଗୋଟେ ବଡ଼ ଘଟଣା ଘଟିବାକୁ ଯାଉଛି।”

ସେପଟେ ଗତ ଦୁଇ ସପ୍ତାହ ମଧ୍ୟରେ କତାରରେ ଥିବା ଏକ ପ୍ରମୁଖ ଆମେରିକୀୟ ଏୟାରବେସର ଟାରମାକ୍‌ରୁ ପ୍ରାୟ ୪୦ ଟି ଆମେରିକୀୟ ଯୁଦ୍ଧ ବିମାନକୁ ଚୁପ୍‌ଚାପ କାଢ଼ି ନିଆଯାଇଛି। ସମ୍ଭାବ୍ୟ ଇରାନୀ ଆକ୍ରମଣରୁ ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ଏହା ଆମେରିକାର ଆଗୁଆ ପଦକ୍ଷେପ ବୋଲି କୁହାଯାଉଛି। ଓ ନେଇ ସମ୍ବାଦ ସଂସ୍ଥା ଏଏଫପିରେ ଖବର ପ୍ରକାଶ ପାଇଛି। 




ମଧ୍ୟପ୍ରାଚ୍ୟରେ ଆମେରିକାର ସର୍ବବୃହତ ସାମରିକ ପ୍ରତିଷ୍ଠାନ ହେଉଛି ଅଲ୍ ଉଦେଇଦ୍ ବାୟୁସେନା ଘାଟି। ଏଠାରେ ଆମେରିକାର ଏହାର ଯୁଦ୍ଧ ଜାହାଜଗୁଡ଼ିକୁ ସଜ୍ଜିତ କରି ରଖିଥିଲା। ହେଲେ ଜୁନ୍ ୫ ରୁ ଜୁନ୍ ୧୯ ମଧ୍ୟରେ ଏହି ଘାଟିକୁ ଖାଲି କରି ନିଆଯାଇଛି। ପ୍ଲାନେଟ୍ ଲ୍ୟାବ୍ସ ପିବିସିର ସାଟେଲାଇଟ୍ ଫଟୋଗୁଡ଼ିକରେ ଏହା ସ୍ପଷ୍ଟ ଜଣାପଡ଼ୁଛି। ଜୁନ୍ ୫ ତାରିଖରେ, C-୧୩୦ ହର୍କୁଲିସ୍ ପରିବହନ ବିମାନ ଏବଂ ଉନ୍ନତ ଯାଞ୍ଚ ଜେଟ୍ ସମେତ ପ୍ରାୟ ୪୦ଟି ବିମାନ ଘାଟିରେ ଥିବା ସ୍ପଷ୍ଟ ଦେଖା ଯାଇଥିଲା। ହେଲେ ଜୁନ୍ ୧୯ ସୁଦ୍ଧା, କେବଳ ତିନୋଟି ଯୁଦ୍ଧ ବିମାନ ରହିଥିବା ବେଳେ ବାକି ସବୁ ଚୁପଚାପ କାଢ଼ି ନିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.