ନୂଆଦିଲ୍ଲୀ: ଇରାନ ଉପରେ ଆକ୍ରମଣ ପରେ ଋଷ ଓ ଆମେରିକା ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଋଷକୁ ଚେତାବନୀ ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ ଉପରେ ଆମେରିକା ଆକ୍ରମଣ କରିବା ପରେ ପୂର୍ବତନ ଋଷ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବ କହିଥିଲେ ଯେ ବର୍ତ୍ତମାନ ସମୟରେ କିଛି ଦେଶ ଇରାନକୁ ପରମାଣୁ ଯୁଦ୍ଧାସ୍ତ୍ର ଯୋଗାଇବାକୁ ଇଚ୍ଛୁକ ହୋଇପାରନ୍ତି। ମେଦଭେଦେବଙ୍କର ଏହି ବୟାନ ଶୁଣି ଟ୍ରମ୍ପ ରାଗିଯାଇଥିବା ଜଣାପଡ଼ୁଛି।
ଏଥିପାଇଁ ସେ ତାଙ୍କ ସୋସିଆଲ୍ ମିଡିଆ ସାଇଟ୍ରେ ଋଷକୁ ଚେତାବନୀ ଦେବା ସହିତ ଆମେରିକାର ସେନାର ଦକ୍ଷତାକୁ ବିଷୟରେ ଚେତାଇ ଦେଇଛନ୍ତି। ପରମାଣୁ ଅସ୍ତ୍ର ବିପଦକୁ ଏଭଳି ହାଲୁକା ଭାବରେ କହି ଉତ୍ତେଜନା ସ୍ଥିତି ନ ବନାଇବାକୁ ସେ ଚେତାବନୀ ଜାରି କରିଛନ୍ତି। ଜୁନ ୨୩ରେ ସେ ତାଙ୍କ ସୋସିଆଲ ମିଡିଆ ସାଇଟ୍ ଟ୍ରୁଥ୍ ସୋଶାଲ୍ରେ ଟ୍ରମ୍ପ ଲେଖିଛନ୍ତି “ମୁଁ କ’ଣ ଶୁଣିଲି ଯେ ରୁଷର ପୂର୍ବତନ ରାଷ୍ଟ୍ରପତି ମେଦଭେଦେବ ସହଜରେ 'ଏନ' ଶବ୍ଦ (ପରମାଣୁ!) ବ୍ୟବହାର କରିଛନ୍ତି? ଏବଂ ସେ ଓ ଆଉ କିଛି କିଛି ଦେଶ ଇରାନକୁ ପରମାଣୁ ଯୁଦ୍ଧାସ୍ତ୍ର ଯୋଗାଇବେ? ସେ କ’ଣ ସତରେ ଏପରି କହିଛନ୍ତି ନା ଏହା କେବଳ ମୋର କଳ୍ପନା? ଯଦି ସେ ଏପରି କହିଛନ୍ତି ଏବଂ ଯଦି ଏହା ସତ ତେବେ ଦୟାକରି ମୋତେ ଜଣାନ୍ତୁ।”
ପଢ଼ନ୍ତୁ- ଋଷ ସମର୍ଥନରେ ସନ୍ତୁଷ୍ଟ ନାହିଁ ଇରାନ: ଅଧିକ ସହଯୋଗ ପାଇଁ ପୁଟିନଙ୍କୁ ଚିଠି ଲେଖିଲେ ଖାମେନି
ବର୍ତ୍ତମାନ ରୁଷର ସୁରକ୍ଷା ପରିଷଦର ଉପ-ସଭାପତି ଥିବା ମେଦଭେଦେବ ଜୁନ୍ ୨୨ ତାରିଖରେ X ରେ ପୋଷ୍ଟ କରି ଏପରି ଲେଖିଥିଲେ। ସେ ଲେଖିଥିଲେ "ପରମାଣୁ ସାମଗ୍ରୀର ବୃଦ୍ଧି ଦେଖି ବର୍ତ୍ତମାନ ଆମେ ଏହା କହିପାରିବା ଯେ ଭବିଷ୍ୟତରେ ପରମାଣୁ ଅସ୍ତ୍ରର ଉତ୍ପାଦନ ଜାରି ରହିବ। ଅନେକ ଦେଶ ଇରାନକୁ ସେମାନଙ୍କର ନିଜସ୍ୱ ପରମାଣୁ ଯୁଦ୍ଧାସ୍ତ୍ର ଯୋଗାଇବାକୁ ପ୍ରସ୍ତୁତ।" ମେଦଭେଡେଭ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଇରାନ "ପରମାଣୁ ଇନ୍ଧନ ଚକ୍ରର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି" ପ୍ରଭାବିତ ହୋଇନାହିଁ।
ମେଦଭେଦେବଙ୍କର ଏହି ବୟାନ ନେଇ ଟ୍ରମ୍ପ କହିଛନ୍ତି ଯେ ଏନ୍ ଶବ୍ଦକୁ ଏଭଲି ସହଜରେ ବ୍ୟବହାର କରିବା ଉଚିତ ନୁହେଁ। ମୋତେ ଲାଗୁଛି ଏଥିପାଇଁ ପୁଟିନ ହିଁ ବସ୍ ଲାଗନ୍ତି। ଏହାପରେ ଟ୍ରମ୍ପ ଆମେରିକା ସେନା ଓ ଏହାର ଟେକ୍ନୋଲୋଜୀର ଗୁଣଗାନ କରି ପରୋକ୍ଷରେ ଋଷକୁ ଡରାଇବାକୁ ଚେଷ୍ଟା କରିଛନ୍ତି। ଆମ ଅସ୍ତ୍ର ଶସ୍ତ୍ର ଅନ୍ୟ ଦେଶମାନଙ୍କୁ ଠାରୁ ଉନ୍ନତ। ଏବଂ ଆମର ପରମାଣୁ ବୁଡ଼ା ଜାହାଜ ସମସ୍ତଙ୍କ ଠାରୁ ୨୦ ବର୍ଷ ଆଗରେ ରହିଛି।
ଅନ୍ୟପଟେ ଟ୍ରମ୍ପଙ୍କ ଚିନ୍ତା ନେଇ ମେଦଭେଦେବ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି “ରାଷ୍ଟ୍ରପତି ଟ୍ରମ୍ପଙ୍କ ଚିନ୍ତା ବିଷୟରେ କହିବାକୁ ଗଲେ ମୁଁ ଇରାନ ଉପରେ ଆମେରିକାର ଆକ୍ରମଣକୁ କଡ଼ା ନିନ୍ଦା କରୁଛି। କାରଣ ଏହା ନିଜ ଉଦ୍ଦେଶ୍ୟ ହାସଲ କରିବାରେ ବିଫଳ ହୋଇଛି। ତଥାପି, ରୁଷର ଇରାନକୁ ପରମାଣୁ ଅସ୍ତ୍ର ଯୋଗାଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ। କାରଣ, ଆମେ ଇସ୍ରାଏଲ ପରି ନୁହେଁ, ଆମେ ପରମାଣୁ ଅପ୍ରସାର ଚୁକ୍ତିର ପକ୍ଷ।”
ସେ ଆହୁରି କହିଛନ୍ତି “ମୁଁ ଭଲଭାବରେ ଜାଣିଛି ଯେ ଏହାର ପରିଣାମ କଣ ହେବ। କାରଣ ରାଷ୍ଟ୍ରପତି ଭାବରେ ଆମର ପରମାଣୁ ଶକ୍ତିର ତଦାରଖ କରି ସାରିଛି। କିନ୍ତୁ ଅନ୍ୟ ଦେଶମାନେ ଏହା କରିପାରନ୍ତି ବୋଲି ମୁଁ କହିଛି। ତା ଛଡ଼ା କାହା ପାଖରେ କେତେ ପରମାଣୁ ଅସ୍ତ୍ର ଅଛି ସେ ବିଷୟରେ ଆମକୁ ଯୁକ୍ତି କରିବା ଉଚିତ ନୁହେଁ। ତା ଛଡ଼ା ଦିନେ ମୁଁ ରାଷ୍ଟ୍ରପତି ଭାବେ ଆମେରିକାର ରାଷ୍ଟ୍ରପତିଙ୍କ ସହିତ ନ୍ୟୁ ଷ୍ଟାର୍ଟ ସନ୍ଧିରେ ଦସ୍ତଖତ କରିଥିଲି। ଏହା ଏବେ ବି ଲାଗୁ ଅଛି। ତେବେ ବର୍ତ୍ତମାନ ପ୍ରଶ୍ନ ହେଲା ଆଗକୁ କଣ ହେବ?”