'ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ଉଭୟ ରାଷ୍ଟ୍ର': ଇସ୍ରାଏଲ ଉପରେ ରାଗିଗଲେ ଟ୍ରମ୍ପ

Published By : Prameya-News7 Bureau | June 24, 2025 IST

News7

ନୂଆଦିଲ୍ଲୀ: କାମକଲାନି କି ଟ୍ରମ୍ପଙ୍କ ମଧ୍ୟସ୍ଥତା? ମଧ୍ୟପ୍ରାଚ୍ୟ ପୁଣି ଅଶାନ୍ତ। ପରସ୍ପର ଉପରେ କଲେ ମିଶାଇଲ ମାଡ଼। ରାଗିଗଲେ ଆମେରିକା ରାଷ୍ଟ୍ରପତି। ପାଇଲଟ୍‌ଙ୍କୁ ଫେରାଇ ଆଣିବାକୁ ଇସ୍ରାଏଲକୁ ଦେଲେ ନିର୍ଦ୍ଦେଶ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବଡ଼ ବୟାନ ସାମନାକୁ ଆସିଛି। ଟ୍ରମ୍ପ ରୋକ୍‌ଠୋକ୍‌ କହିଛନ୍ତି ଯେ ଇରାନ ଏବଂ ଇସ୍ରାଏଲ ଉଭୟ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ବିଶେଷ କରି ଇସ୍ରାଏଲକୁ ସମାଲୋଚନା କରି କହିଛନ୍ତି ଯେ ଅସ୍ତ୍ରବିରତି ପରେ ତୁରନ୍ତ ଏତେ ବଡ଼ ଆକ୍ରମଣ କରିବା ଉଚିତ୍ ନୁହେଁ।

ଟ୍ରମ୍ପ କଡା ଭାଷାରେ କହିଛନ୍ତି, "ଇସ୍ରାଏଲ ସେସବୁ ବୋମା ପକାଅ ନାହିଁ। ଯଦି ତୁମେ ଏପରି କର, ତେବେ ଏହା ଏକ ବଡ଼ ଉଲ୍ଲଂଘନ। ତୁମର ପାଇଲଟମାନଙ୍କୁ ତୁରନ୍ତ ଫେରାଇ ଆଣ। ଅସ୍ତ୍ରବିରତିରେ ରାଜି ହେବା ପରେ ଇସ୍ରାଏଲ ତୁରନ୍ତ ଆକ୍ରମଣ କରିବାକୁ ମୁଁ ପସନ୍ଦ କରୁନି।"

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନ କେବେବି ତାର ପରମାଣୁ କାର୍ଯ୍ୟକ୍ରମ ପୁନଃ ଆରମ୍ଭ କରିବ ନାହିଁ। ସେ କହିଛନ୍ତି ଯେ ସେ ଇରାନ ଉପରେ ଖୁସି ନୁହଁନ୍ତି, ଏବଂ ସେ ଇସ୍ରାଏଲ ଉପରେ ବହୁତ ଅସନ୍ତୁଷ୍ଟ।

ପୂର୍ବରୁ ଇସ୍ରାଏଲ ଅଭିଯୋଗ କରିଥିଲା ଯେ ଇରାନ ଯୁଦ୍ଧବିରତି ଉଲ୍ଲଂଘନ କରିଛି, କିନ୍ତୁ ଇରାନ ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖାନ କରିଛି। ଇରାନ କହିଛି ଯେ ବିୟର ଶେଭା ସହର ଉପରେ ଆକ୍ରମଣ ହେବା ସମୟରେ ଏହା ଶେଷ ମିଶାଇଲ ନିକ୍ଷେପ କରିଥିଲା। ଏହି ଘଟଣା ଯୁଦ୍ଧବିରତି ଘୋଷଣା ପୂର୍ବରୁ ହୋଇଥିଲା। ଇରାନ ପକ୍ଷ ଏହାକୁ ଆତ୍ମରକ୍ଷାର ଏକ ପଦକ୍ଷେପ ବୋଲି କହି ଯୁଦ୍ଧବିରତିର ସର୍ତ୍ତାବଳୀ ଉଲ୍ଲଂଘନ କରିବାକୁ ଅସ୍ୱୀକାର କରିଥିଲା। ଏହି ସମଗ୍ର ଘଟଣାରେ କତାରର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା।

ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କତାରର ଆମିରଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଥିଲେ ଏବଂ ଇରାନକୁ ଆମେରିକା-ସମର୍ଥିତ ଯୁଦ୍ଧବିରତି ପ୍ରସ୍ତାବ ଗ୍ରହଣ କରିବାକୁ ରାଜି କରାଇବାକୁ ଅନୁରୋଧ କରିଥିଲେ। ଏହି କଲ୍ ପରେ, କତାର ପ୍ରଧାନମନ୍ତ୍ରୀ ପଦକ୍ଷେପ ନେଇଥିଲେ ଏବଂ ଇରାନକୁ ଏହି ପ୍ରସ୍ତାବରେ ରାଜି ହେବାକୁ ରାଜି କରାଇଥିଲେ।

ଗତ କିଛି ଦିନ ଧରି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତୀବ୍ର ଆକ୍ରମଣ ହେଉଥିଲା, ଯେଉଁଥିରେ ଉଭୟ ପକ୍ଷ ପରସ୍ପରର ସାମରିକ ଏବଂ ରଣନୈତିକ ଘାଟିଗୁଡ଼ିକୁ ଟାର୍ଗେଟ କରୁଥିଲେ। ଆମେରିକା ଦ୍ୱାରା ସମ୍ପ୍ରତି ବୋମାମାଡ଼ ଆକ୍ରମଣ ପରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିଲା। ବର୍ତ୍ତମାନ ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରେ, ଏହାକୁ ନେଇ ବିବାଦ ମଧ୍ୟ ସମାନ ଭାବରେ ତୀବ୍ର। ଟ୍ରମ୍ପଙ୍କ ବୟାନ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଏକ ନୂତନ ବିତର୍କ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.