ୱାଶିଂଟନ ଡିସି: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ଉତ୍ପାଦ ଉପରେ ୨୫୦% ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ସିଏନ୍ବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ସେ ପ୍ରଥମେ ଔଷଧ ଉପରେ ଏକ ଛୋଟ ଶୁଳ୍କ ଲଗାଇବେ, କିନ୍ତୁ ପରେ ଏହା ୧୫୦% ପର୍ଯ୍ୟନ୍ତ ବୃଦ୍ଧି କରାଯିବ ଓ ଦେଢ଼ ବର୍ଷ ମଧ୍ୟରେ ଏହାକୁ ୨୫୦%କୁ ବଢ଼ାଇ ଦିଆଯିବ ବୋଲି ଟ୍ରମ୍ପ କହିଛନ୍ତି।
ଇଣ୍ଟରଭ୍ୟୁରେ କହିଛନ୍ତି ଆମେ ଚାହୁଁଛୁ ଯେ ଔଷଧ ଆମ ଦେଶରେ ହିଁ ତିଆରି ହେଉ। ଟ୍ରମ୍ପଙ୍କ କହିବା କଥା ହେଲା ଆମେରିକା ଔଷଧ ଉତ୍ପାଦ ପାଇଁ ବିଦେଶୀ ଦେଶମାନଙ୍କ ଉପରେ ଅତ୍ୟଧିକ ନିର୍ଭର କରୁଛି, ବିଶେଷକରି ଭାରତ ଏବଂ ଚୀନ୍ ଉପରେ। ତେଣୁ ଔଷଧ ଉପରେ ଶୁଳ୍କ ଲାଗୁ କରି ସେ ଉଭୟ ଅର୍ଥନୀତିକୁ ଆଘାତ ଦେବାକୁ ମଧ୍ୟ ମସୁଧା ଚଳାଇଛନ୍ତି। ଟ୍ରମ୍ପଙ୍କର ଏହି ଶୁଳ୍କ ଭାରତୀୟ ଔଷଧ କ୍ଷେତ୍ର ଉପରେ ଗଭୀର ପ୍ରଭାବ ପକାଇପାରେ।
ଆମେରିକା ଭାରତରୁ ଜେନେରିକ୍ ଔଷଧ, ଟୀକା ଏବଂ ଆକ୍ଟିଭ ଇନଗ୍ରିଡିଏଣ୍ଟ୍ସ କିଣିଥାଏ। ୨୦୨୫ରେ ଆମେରିକାକୁ ଭାରତର ଔଷଧ ରପ୍ତାନି $୭.୫ ବିଲିୟନ (ପ୍ରାୟ ୬୫ ହଜାର କୋଟି ଟଙ୍କା)ରୁ ଅଧିକ ଥିଲା। ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଅନୁଯାୟୀ, ଦେଶରେ ବ୍ୟବହୃତ ସମସ୍ତ ଜେନେରିକ୍ ଔଷଧର ପ୍ରାୟ ୪୦% ଭାରତରୁ ହିଁ ଆସିଥାଏ।
ଟ୍ରମ୍ପଙ୍କ ଟାରିଫରେ ପ୍ରଭାବିତ ହୋଇପାରେ ଭାରତୀୟ ଔଷଧ ଶିଳ୍ପ
ଯଦି ଟ୍ରମ୍ପ ଔଷଧ ଉପରେ ଶୁଳ୍କ ୨୫୦% ବୃଦ୍ଧି କରନ୍ତି, ତେବେ ଭାରତୀୟ କମ୍ପାନୀଗୁଡ଼ିକୁ ଆମେରିକାରେ ସେମାନଙ୍କର ପ୍ରଡକ୍ଟର ମୂଲ୍ୟ ଦୁଇଗୁଣ କରିବାକୁ ପଡ଼ିବ। ଫଳେ କମ୍ପାନୀଗୁଡ଼ିକର ଲାଭରେ ଏକ ବଡ଼ ହ୍ରାସ ଘଟିବ। କ୍ଷତି ଏଡାଇବା ପାଇଁ, ଭାରତୀୟ ଔଷଧ କମ୍ପାନୀଗୁଡ଼ିକ ଆମେରିକାରେ ଉତ୍ପାଦନ ବୃଦ୍ଧି କରିବାକୁ ବିଚାର କରିପାରନ୍ତି। ସେପଟେ ଏଥିରେ କେବଳ ଭାରତର କ୍ଷତି ହେବନି, ଆମେରିକାବାସୀଙ୍କର ପକେଟ୍ ବି ଖାଲି ହେବ।
ଆମେରିକାରେ ଅଧିକାଂଶ ଶସ୍ତା ଜେନେରିକ୍ ଔଷଧ ଭାରତ ଏବଂ ଚୀନରୁ ମଗାଇଥାଏ। ହେଲେ ଏବେ ଟ୍ୟାକ୍ସ ବଢ଼ିବା ଦ୍ୱାରା ଆମେରିକାର ରୋଗୀଙ୍କ ପାଇଁ ଔଷଧ ଦୁଇଗୁଣାରୁ ବି ଅଧିକ ମହଙ୍ଗା ହୋଇଯିବ। ଯାହା ଆମେରିକାର ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଆହୁରି ବୃଦ୍ଧି କରିବ। ଭାରତରୁ ଆମେରିକା ରପ୍ତାନି ହେଉଥିବା ଔଷଧ ମଧ୍ୟରେ ଆଣ୍ଟିବାୟୋଟିକ୍, ଆଣ୍ଟିଡିପ୍ରେସାଣ୍ଟ ଏବଂ ହୃଦରୋଗ ଔଷଧ ଆଦି ରହିଛି।
ଭାରତ କମ ମୂଲ୍ୟରେ ଜେନେରିକ୍ ଔଷଧ ତିଆରି କରେ। କମ ଦାମରେ ଭାରତ ଠାରୁ ଔଷଦ କିଣି ଆମେରିକୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରତିବର୍ଷ କୋଟି କୋଟି ଡଲାର ସଞ୍ଚୟ କରେ। ଏହା ପୂର୍ବରୁ ମଧ୍ୟ ଡୋନାଲ୍ଡ ଟ୍ରମ୍ପ ଔଷଧ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ। ସ୍ଥାନୀୟ ଉତ୍ପାଦନ ବୃଦ୍ଧି କରିବାକୁ ଟ୍ରମ୍ପ ଏପରି ନିଷ୍ପତ୍ତି ନେବେ ବୋଲି କହିଥିଲେ। ପୂର୍ବରୁ ଆମେରିକା ଲଗାଇଥିବା ଶୁଳ୍କରେ ଫାର୍ମାଶୁଟିକଲ ପ୍ରଡକ୍ଟକୁ ବାଦ୍ ଦିଆଯାଇଥିଲା। ଏପର୍ଯ୍ୟନ୍ତ ଭାରତରୁ ଆମେରିକା ରପ୍ତାନୀ ହେଉଥିବା ଔଷଧ ଉପରେ କୌଣସି ଶୁଳ୍କ ଲାଗୁ ହେଉ ନାହିଁ। ଏନେଇ ଟ୍ରମ୍ପ ଘୋଷଣା କରିଥିଲେ ବି ପ୍ରଥମେ କେତେ ଶୁଳ୍କ ଲଗାଇବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
କରୋନା ସମୟରେ ଆମେରିକାକୁ ସହଯୋଗ କରିଥିଲା ଭାରତ।
କରୋନା ମହାମାରୀ ସମୟରେ ଟ୍ରମ୍ପ ୬ ଏପ୍ରିଲ ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜରୁରୀ ଔଷଧ ପାଇଁ କଥା ହୋଇଥିଲେ। ଏନେଇ ଟ୍ରମ୍ପ କହିଥିଲେ ଯେ ମୁଁ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲି। ସେମାନେ ଆମକୁ ପ୍ରଚୁର ପରିମାଣରେ ହାଇଡ୍ରୋକ୍ଲାଇକ୍ରୋକ୍ୱିନ୍ ଯୋଗାଇବେ। ଏହା ବଡ଼ ଉଦାରତାର କଥା ହେବ। ଆମେ ଏଥିପାଇଁ ବହୁତ କୃତଜ୍ଞ ଏବଂ ମୁଁ ଭାବୁଛି ଏହା ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ। ହେଲେ ଏଥିରେ ଟ୍ରମ୍ପ ତାଙ୍କ ନିଚ ମାନସିକତାକୁ ଦର୍ଶାଇବାକୁ ଭୁଲି ନଥିଲେ।
ସଙ୍ଗେ ସଙ୍ଗେ ସେ ଭାରତକୁ ଧମକ ବି ଦେଇଥିଲେ। ଟ୍ରମ୍ପ କହିଥିଲେ ଭାରତ କୌଣସି କାରଣରୁ ଆମକୁ ଔଷଧ ନ ଦିଏ, ତେବେ ମୁଁ ଏହା ଭଲ ବନ୍ଧୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମୁଁ ଭାବୁ ନାହିଁ। ଯଦି ଔଷଧ ନ ଆସେ, ତେବେ ମୁଁ ଆପଣଙ୍କୁ କହି ଦେଉଛି ଯେ ମ ମୁଁ ପ୍ରତିଶୋଧ ନେବି।
ସୂଚନା ଥାଉକି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ହେଉଛି ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ। କୋଭିଡ୍ ପ୍ରାରମ୍ଭିକ ଦିନରେ, ଏହାକୁ କରୋନା ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିଲା।