ୱାସିଂଟନ ୨।୭: ନ୍ୟୁୟର୍କ ମେୟର ନିର୍ବାଚନ ରେସରେ ଆଗରେ ଚାଲୁଥିବା ପ୍ରାର୍ଥୀ ଜୋହରାନ ମମଦାନୀଙ୍କ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ବର୍ଷିଛନ୍ତି। ଟ୍ରମ୍ପ ବୁଧବାର କହିଛନ୍ତି ଯେ ‘ସେ ମମଦାନୀଙ୍କୁ ନ୍ୟୁୟର୍କ ସହର ବର୍ବାଦ କରିବାକୁ ଦେବେନି ଓ ତାଙ୍କ ପାଖରେ ମମଦାନୀଙ୍କୁ ଅଟକାଇବା ପାଇଁ ଏବେବି ସବୁ କାର୍ଡ ଅଛି‘। ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ରୁଥ ସୋସାଲରେ ଟ୍ରମ୍ପ ଏ ନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି।
ଟ୍ରମ୍ପ ତାଙ୍କ ପୋଷ୍ଟରେ ‘ଆମେରିକା ରାଷ୍ଟ୍ରପତି ରୂପେ ମୁଁ ଏହି କମ୍ୟୁନିଷ୍ଟ ପାଗଳକୁ ନ୍ୟୁୟର୍କକୁ ବର୍ବାଦ କରିବା ପାଇଁ କେବେବି ଅନୁମତି ଦେବି ନାହିଁ’ ବୋଲି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ‘ମୁଁ ଭରସା ଦେଉଛି ମୋ ସହିତ ନ୍ୟୁୟର୍କକୁ ପ୍ରେମ କରୁଥିବା ଲୋକେ ଓ ମୋ ପାଖରେ ସବୁ କାର୍ଡସ୍ ଅଛି’। ଟ୍ରମ୍ପ କହିଛନ୍ତି ଯେ ମୁଁ ନ୍ୟୁୟର୍କ ସିଟିକୁ ରକ୍ଷା କରିବି ଓ ଏହାକୁ ଦ୍ୱିତୀୟବାର ‘ହଟ୍’ ଓ ‘ମହାନ’ କରିବି।
ନ୍ୟୁୟର୍କ ମେୟର ପଦବୀ ଲାଗି ଗତମାସରେ ଅନୁଷ୍ଠିତ ପ୍ରାଇମେରୀରେ ମମଦାନୀ ୩୩ ବର୍ଷ ନିମନ୍ତେ ପୂର୍ବତନ ମେୟର ଏଣ୍ଡ୍ରିୟୁ କୁଓମୋଙ୍କୁ ପରାସ୍ତ କରିଛନ୍ତି। ମମଦାନୀଙ୍କ ଏହି ବିଜୟ ପରଠାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଉପରେ ଆକ୍ରମକ ହୋଇ ଉଠିଛନ୍ତି। ଟ୍ରମ୍ପ ତାଙ୍କୁ ୧୦୦ ପ୍ରତିଶତ କମ୍ୟୁନିଷ୍ଟ ପାଗଳ ବୋଲି କହୁଛନ୍ତି। ଏହା ଛଡା ସେ ଭୟାନକ ଦିଶୁଥିବା ଓ ସ୍ମାର୍ଟ ମଧ୍ୟ ନୁହଁ ବୋଲି କହୁଛନ୍ତି। ତେବେ ମମଦାନୀ ନିଜକୁ କମ୍ୟୁନିଷ୍ଟ ବୋଲି ଅସ୍ୱୀକାର କରିଛନ୍ତି।
ମମଦାନୀ ନ୍ୟୁୟର୍କ ସହରର ଡେମୋକ୍ରାଟିକ ମେୟର ପଦବୀ ନିମନ୍ତେ ଅୁନଷ୍ଠିତ ପ୍ରାଇମେରୀରେ ବିଜୟୀ ହୋଇଛନ୍ତି। ମଙ୍ଗଳବାର ହୋଇଥିବା ନୂଆ ଭୋଟ ଗଣତିରେ ତାଙ୍କ ବିଜୟ ପୁଷ୍ଟି କରାଯାଇଛି। ଏବେ ମମଦାନୀ ସାଧାରଣ ନିର୍ବାଚନ ନିମନ୍ତେ ମୈଦାନକୁ ଓହ୍ଲାଇବେ। ସହରର ‘ରାଙ୍କଡ ଚୟେସ ଭୋଟିଂ’ଗଣନାର ଫଳାଫଳ ଘୋଷଣା ହେବା ପରେ ‘ଆସୋସିଏଟେଡ ପ୍ରେସ୍’ ମମଦାନୀଙ୍କ ବିଜୟ ଘୋଷଣା କରିଛି।