ନୂଆଦିଲ୍ଲୀ: ବନ୍ଧୁ ବୋଲି କହୁଛନ୍ତି ହେଲେ ଶତ୍ରୁର ଭାଷା ବ୍ୟବାହର କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ପୁଣି ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ବାଣିଜ୍ୟ ଚୁକ୍ତିର ସମୟ ସୀମା ଅଗଷ୍ଟ ପହିଲାରୁ ଶେଷ ହେଉଥିବାରୁ ଭାରତ ଉପରେ ଶୁଳ୍କ ଲାଗିବ ବୋଲି ସିଏନଏନକୁ ସାକ୍ଷାତକାର ଦେଇ କହିଛନ୍ତି ଟ୍ରମ୍ପ।
ଏନେଇ ସିଏନଏନ ଟ୍ରମ୍ପଙ୍କୁ ପ୍ରଶ୍ନ କରିଥିଲା। ଭାରତ ସହ ବାଣିଜ୍ୟ ଚୁକ୍ତି ଫାଇନାଲ ହୋଇ ନାହଁ। ଭାରତ ଉପରେ ୨୦-୨୫ ପ୍ରତିଶତ ଶୁଳ୍କ ଲାଗୁ ହେବ କି? ଜବାବ ଦେଇ ଟ୍ରମ୍ପ କହିଛଥିଲେ ହଁ… ମୁଁ ସେୟା ଭାବୁଛି…. ତେବେ ଭାରତ ମୋ ବନ୍ଧୁ। ସେମାନେ ମୋ ଅନୁରୋଧ ରଖି ପାକିସ୍ତାନ ସହ ଯୁଦ୍ଧ ବନ୍ଦ କରିଛନ୍ତି। ଭାରତ ସହ ଡିଲ ଫାଇନାଲ ହୋଇ ନାହିଁ। ଭାରତ ଗୋଟେ ଭଲ ବନ୍ଧୁ ହୋଇ ରହି ଆସିଛି, ହେଲେ କିନ୍ତୁ ଭାରତ ପ୍ରାୟ ଅନ୍ୟ ଯେକୌଣସି ଦେଶ ତୁଳନାରେ ମୂଳତଃ ଅଧିକ ଶୁଳ୍କ ଆଦାୟ କରେ।”
ବାଣିଜ୍ୟ ଡିଲ ନେଇ ଟ୍ରମ୍ପ ଦେଇଥିବା ସମୟ ସୀମା ଅଗଷ୍ଟ ପହିଲାରୁ ଶେଷ ହେଉଥିବାରୁ ପହିଲାରୁ ହିଁ ଡିଲ୍ ହୋଇ ନଥିବା ଦେଶଗୁଡ଼ିକ ଉପରେ ଜବାବୀ ଶୁଳ୍କ ଲାଗୁ ହୋଇଯିବ। ଯେଉଁଥିରେ ଭାରତ ବି ରହିଛି। ଏପଟେ ବାଣିଜ୍ୟ ଚୁକ୍ତି ନେଇ ଅଗଷ୍ଟ ୨୫ ତାରିଖରେ ଆମେରିକା ପ୍ରତିନିଧି ଦଳ ଭାରତ ଗସ୍ତରେ ଆସୁଛନ୍ତି। ଦୁଇ ଦେଶ ମଧ୍ୟରେ ଏନେଇ ଷଷ୍ଠ ରାଉଣ୍ଡ ବୈଠକ ହେବ।
ସୂଚନା ଥାଉକି, ଆମେରିକାର ବାଣିଜ୍ୟ କ୍ଷତିର ମୁକାବିଲା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାର୍ଟନର ଦେଶମାନଙ୍କୁ ବାଣିଜ୍ୟ ଚୁକ୍ତି କରିବାକୁ ଆହ୍ୱାନ ଦେଇଥିଲେ। ଏହାର ଜବାବରେ ସେ ଚଳିତ ବର୍ଷ ଏପ୍ରିଲ ୨ ତାରିଖରେ ବିଭିନ୍ନ ଦେଶଗୁଡ଼ିକ ଉପରେ ଶୁଳ୍କ ଲଗାଇଥିଲେ। ସେତେବେଳେ ଭାରତ ଉପରେ ୨୬ ପ୍ରତିଶତ ଶୁଲ୍କ ଲଗାଇଥିଲେ ଟ୍ରମ୍ପ। ଏହାର କିଛି ସମୟ ପରେ ଶୁଳ୍କକୁ ସ୍ଥଗିତ ରଖା ଯାଇଥିଲା।
ତେବେ ବଡ଼ କଥା ହେଲା ଟ୍ରମ୍ପ ଯେପରି ଅନ୍ୟ ଦେଶଗୁଡ଼ିକ ପାଇଁ ନୂଆ ଟାରିଫ ଫର୍ମାଲ ଲେଟର ଜାରି କରୁଛନ୍ତି ସେମିତି ଭାରତ ପାଇଁ ଏପର୍ଯ୍ୟନ୍ତ ଜାରି କରି ନାହାନ୍ତି। କିନ୍ତୁ ଯଦି ଆମେରିକା ସହିତ କୌଣସି ଡିଲ୍ ନହେଲା ତେବେ ହୁଏତ ଟ୍ରମ୍ପ ଭାରତକୁ ବି ନୋଟିସ୍ ଜାରି କରିପାରନ୍ତି।