ହେଗ ୨୫।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଉପରେ ଘାତକ ଆକ୍ରମଣ କରିଥିବା ଇରାନର ବାଲିଷ୍ଟିକ୍ ମିଜାଇଲର ଉଚ୍ଚ ପ୍ରଶଂସା କରିଛନ୍ତି। ଗୁରୁବାର ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ‘ଇରାନ ହାର୍ଡ ହିଟ୍’ କରିଛି। ଏହି ସବୁ ବାଲିଷ୍ଟିକ୍ ମିଜାଇଲ ଅନେକ ଘରଦ୍ୱାର, ଅଟ୍ଟାଳିକା ନଷ୍ଟ କରିଛି। ହେଗରେ ଅନୁଷ୍ଠିତ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଙ୍ଗଠନ(ନାଟୋ) ସମ୍ମିଳନୀ ଅବସରରେ ସେ ଏହା କହିଛନ୍ତି।
ଟ୍ରମ୍ପଙ୍କ ବୟାନ ପରେ ଏହି ଅନୁମାନ କରାଯାଉଛି ଯେ ଇରାନ ମାଜାଇଲର ବିଧ୍ୱଂସକାରୀ କ୍ଷମତା ଯୋଗୁ ଇସ୍ରାଏଲର ହୋଇଥିବା ଭୀଷଣ କ୍ଷୟକ୍ଷତିରେ ସେ ଦୁଇ ଦେଶଙ୍କ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ଗୁରୁତ୍ୱ ଦେଇଥିଲେ। ତେବେ ଏହା ପୂର୍ବରୁ ଟ୍ରମ୍ପ ଇରାନ ସୁପ୍ରିମ ଲିଡର ଅୟାତୁଲ୍ଲା ଅଲ୍ଲୀ ଖାମେନୀଙ୍କୁ ବିନା ସର୍ତ୍ତରେ ଆତ୍ମସମର୍ପଣ କରିବାକୁ କହୁଥିଲେ। ତେବେ ଖାମନୀ କହିଥିଲେ ଯେ ଇରାନ କୌଣସି ଦେଶ ଆଗରେ ମୁଣ୍ଡ ନୁଆଏଁ ନାହିଁ। କେବଳ ଶର୍ବଶକ୍ତିମାନ ଆଲ୍ଲାଙ୍କ ଉପାସନା କରେ।
ଯୁଦ୍ଧରେ ଇସ୍ରାଏଲ ଡିଫେନ ଫୋର୍ସ (ଆଇଡିଏଫ)ର ଅନୁମାନ ଇରାନ ପାଖାପାଖି ୧ ହଜାର କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ କେତେ ଶହ ବାଲିଷ୍ଟିକ୍ ମିଜାଇଲ ମଧ୍ୟ ଥିଲା ବୋଲି କହିଛି ଆଇଡିଏଫ। ତେବେ ଏହି ଯୁଦ୍ଧରେ ଇରାନ କେତେ ସଂଖ୍ୟକ କ୍ଷେପଣାସ୍ତ୍ର ମାଡ଼ କରିଛି ତାର ସଠିକ ସଂଖ୍ୟା ଓ ଏହି ସବୁ ମିଜାଇଲ କେଉଁ ପ୍ରକାରର ଥିଲା ତାର ତଥ୍ୟ ଜଣାପଡି ନାହିଁ।
ତେବେ ଇରାନ ଏହି ଯୁଦ୍ଧରେ ଶାହବ-୩, ଖୋର୍ରମସହର ଓ ସେଜିଲ ଭଳି ଭୟାନକ ମଧ୍ୟମ ଦୂରଗାମୀ ଓ ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍ ମିଜାଇଲ ସବୁ ଉପଯୋଗ କରିଥିବାର ଅନୁମାନ କରାଯାଉଛି। ଏଥିରେ ସାହେବ ୩ କ୍ଷେପଣାସ୍ତ୍ରର ରେଞ୍ଜ ପାଖାପାଖି ୧ହଜାରରୁ ୧୩୦୦ କିଲୋମିଟର ହୋଇଥିବା ବେଳେ ଇରାନର ମୁଖ୍ୟ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ସେହିପରି ଖୋର୍ରମସହରର ରେଞ୍ଜ ୨ହଜାର କିଲୋମିଟର ହୋଇଥିବା ବେଳେ ଏହା ଏକ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର। ଏହା ରାଡାରକୁ ମଧ୍ୟ ଧୋକା ଦେଇପାରେ। ସେହିପରି ସେଜେଲର ଲକ୍ଷ୍ୟଭେଦ କ୍ଷମତା ମଧ୍ୟ ୨ ହଜାର କିଲୋମିଟର।