ନୂଆଦିଲ୍ଲୀ ୦୮।୦୭; ତାମିଲନାଡୁରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଲ ବସକୁ ଧକ୍କା ଦେଲା ଟ୍ରେନ୍ । ଫଳରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମୟରେ ଭ୍ୟାନରେ ସମସ୍ତ ପିଲା ଥିଲେ।
ମଙ୍ଗଳବାର ସକାଳେ ତାମିଲନାଡୁର କୁଡ୍ଡାଲୋର ନିକଟ ସୀମାଙ୍କପୁରମ୍ ନିକଟରେ ସ୍କୁଲ ବସଟି ଟ୍ରେନ୍ ଲାଇନ୍ ଅତିକ୍ରମ କରୁଥିବାବେଳେ ହଠାତ୍ ଅଟକି ଯାଇଥିଲା । ଡ୍ରାଇଭର ଯେତେ ଚେଷ୍ଟା କଲେ ବି ବସ୍କୁ ଟ୍ରେନ୍ ଲାଇନ୍ ବାହାରକୁ ନେଇ ପାରି ନଥିଲେ । ଏହି ସମୟରେ ସ୍କୁଲ ବସରେ ଥିବା ଛାତ୍ରଛାତ୍ରୀମାନେ ବାହାରି ଯାଇଥିଲେ । ଆଉ କିଛି ବସ ଭିତରେ ରହିଯାଇଥିଲେ । ଟ୍ରେନଟି ଦ୍ରୁତ ଗତିରେ ଆସି ବସକୁ ଧକ୍କା ଦେଇଥିଲା । ଏଥିରେ ଦୁଇଜଣ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ଅଞ୍ଚଳର ଲୋକମାନେ ଟ୍ରାକରେ ଦୁଇ ଛାତ୍ରଙ୍କ ମୃତଦେହ ଦେଖି ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଆହତମାନଙ୍କୁ ଜିଲ୍ଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଛାତ୍ରଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।