ୟୁପିରେ ଭୟଙ୍କର ଦୁର୍ଘଟଣା : ବରଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ୍‌ ଓ ଡିସିଏମ୍‌ ମଧ୍ୟରେ ଧକ୍କା : ୫ ମୃତ , ୮ ଆହତ

Published By : Prameya-News7 Bureau | June 01, 2025 IST

ରାମନଗର (ଚିତ୍ରକୂଟ) : ୟୁପିର ଚିତ୍ରକୂଟରେ ରବିବାର ଦ୍ୱିପ୍ରହରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରାପୁରା ଥାନା ଅଞ୍ଚଳର ବଖରୱାର ଟର୍ଣ୍ଣିଂ ପାଖରେ ଝାନ୍ସି –ମିର୍ଜାପୁର ନ୍ୟାସନାଲ ହାଇୱେରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ପିକ୍‌ଅପ୍‌, ସାମ୍ନାରୁ ଦ୍ରୁତ ଗତିରେ ଆସୁଥିବା ଡିସିଏମ୍‌ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୫ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଛି। ୭ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାର ସୂଚନା ପାଇ ପୁଲିସ ପହଞ୍ଚି ସବୁ ଆହତଙ୍କୁ ସିଏଚସି ରାମନଗରରେ ଭର୍ତ୍ତି କରାଇ ଥିଲା। ସେଠାରେ ସ୍ଥିତି ଗମ୍ଭୀର ହେବାରୁ ୫ଜଣଙ୍କୁ ଡାକ୍ତରମାନେ ଜିଲ୍ଲା ହସ୍ପିଟାଲ ରେଫର କରି ଦେଇଥିଲେ। ଘଟଣା ସ୍ଥଳକୁ ସୂଚନା ପାଇ ଏସପି ଅରୁଣ କୁମାର ସିଂହଙ୍କ ସମେତ ପୁଲିସ ଅଧିକାରୀ ପହଞ୍ଚି ଥିଲେ। 

ମଉ ଥାନା ଅଞ୍ଚଳର ବଲହୋରା ନିବାସୀ ଚାଲବାବୁଙ୍କ ପୁଅ ମୁନ୍ନାଙ୍କର ବରଯାତ୍ରୀ ରବିବାର ବାନ୍ଦା ଜିଲ୍ଲାର କାଲିଞ୍ଜର ଯାଉଥିଲା। ଅଧିକାଂଶ ବରଯାତ୍ରୀ ଆଉ ଏକ ଗାଡ଼ିରେ ଥିଲେ। ପିକଅପ୍‌ରେ କିଛି ବରଯାତ୍ରୀଙ୍କ ସମେତ ବ୍ୟାଣ୍ଡବାଜା ପାର୍ଟିର ୭ଜଣ ଲୋକ ବସି ଥିଲେ। ଦ୍ୱିପ୍ରହର ସମୟ ପାଖାପାଖି ୧୨ଟାରେ ପିକଅପ୍‌ଟି ଯେମିତି ହାଇୱେରେ ବଖରୱାର ଟର୍ଣ୍ଣିଂ ପାଖରେ ପହଞ୍ଚିଲା, ଏହି ସମୟରେ ସାମନାରୁ ଦ୍ରୁତ ଗତିରେ ଆସୁଥିବା ଡିସିଏମ୍ ସହ ଧକ୍କା ହୋଇ ଥିଲା, ଯେଉଁଥିରେ ପିକଅପ୍‌ରେ ବସି ଥିବା ବରଯାତ୍ରୀ ୨୭ ବର୍ଷିୟ କୌନେନ୍‌ (ବଲହୌରା ନିବାସୀ) ,୪୫ ବର୍ଷିୟ ବଚ୍ଚା( ସଖୌନା ନିବାସୀ ), ପିକଅପ୍‌ ଚାଳକ ୩୨ ବର୍ଷିୟ ରାମୁ ସାହୁ (  ବଲହୌରା ନିବାସୀ) , ବ୍ୟାଣ୍ଡ ପାର୍ଟି ମେମ୍ୱର ୩୬ ବର୍ଷିୟ ଦୁର୍ଗା , ୩୬ ବର୍ଷିୟ ସନ୍ତ୍ରାମଙ୍କର ମୃତ୍ୟୁ ହୋଇଛି।

ଦୁର୍ଘଟଣାରେ ପିକଅପ୍‌ରେ ବସିଥିବା ୨୫ ବର୍ଷିୟ ରଜୁଭା ନିବାସୀ ସଖୌଁହା, ୨୫ ବର୍ଷିୟ ହିରୋଅଲି ନିବାସୀ ବଲହୋରା ମଧ୍ୟ ଆହତ ହୋଇଛନ୍ତି। ଏହା ବ୍ୟତୀତ ଡିସିଏମରେ ବସିଥିବା ୪୫ ବର୍ଷିୟ ଦୁଧନାଥ ପାଲ୍‌ , ୨୫ ବର୍ଷିୟ ସାଦିତ୍‌, ୨୫ ବର୍ଷିୟ ଶକ୍ତି ,୪୭ ବର୍ଷିୟ ଦେବନାଥ ପାଲ୍‌, ଡିସିଏମ ଚାଳକ ୩୨ ବର୍ଷିୟ ଇମ୍ରାନଙ୍କୁ ସିଏଚସି ରାମନଗରରେ ଭର୍ତ୍ତି କରାଯାଇଛି। 

ହାଇୱେରେ ଦୁର୍ଘଟଣାରେ ଖୁବ୍‌ ବିଳମ୍ୱ ଯାଏ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ଜେସିବି ମଗାଇ ଦୁଇ ଗାଡ଼ିକୁ ହାଇୱେରୁ କଡ଼କୁ ନେଇଥିଲା।। ଏହାପରେ ଯାତାୟାତ ସହଜ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.