ନୂଆଦିଲ୍ଲୀ ୦୨।୦୮: ଭାରତ ଏକ ହିନ୍ଦୁ ରାଷ୍ଟ୍ର । ଦେଶରେ ମଧ୍ୟ ରହିଛନ୍ତି ମୁସଲିମ୍ ସମ୍ପ୍ରଦାୟ । ଏହି ମୁସଲିମ୍ଙ୍କ ମଧ୍ୟରୁ ଅନେକ ଧନୀ ମଧ୍ୟ ଅଛନ୍ତି । ଏମାନେ କେବଳ ଭାରତରେ ନୁହଁନ୍ତି ବିଶ୍ୱସ୍ତରରେ ଦେଖାଇଛନ୍ତି ନିଜର ଦବ୍ଦବା । ଏହି ପରିବାର ନିଜ ପରିଶ୍ରମ ବଳରେ ହୋଇଛନ୍ତି ଜଣେ ଜଣେ ସଫଳ ବିଜନେସ୍ମ୍ୟାନ୍ । ଆସନ୍ତୁ ଜାଣିବା ଏହି ପରିବାରର ସମ୍ପତ୍ତି ବିଷୟରେ…
ଭାରତର ସଫଳ ମୁସଲିମ ବ୍ୟବସାୟୀମାନଙ୍କ ମଧ୍ୟରୁ ଜଣେ ଅଜିମ ପ୍ରେମଜୀ । ସେ ନିଜ ଧନ ଏବଂ ଦାନ ପାଇଁ ଜଣାଶୁଣା । ଅଜିମ ପ୍ରେମଜୀ ୱିପ୍ରୋ ଲିମିଟେଡର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ। ୱିପ୍ରୋ ଏକ ଅଗ୍ରଣୀ ଆଇଟି କମ୍ପାନୀ । ଅଜିମ ପ୍ରେମଜୀ ତାଙ୍କ ଦାନ ପାଇଁ ମଧ୍ୟ ପ୍ରସିଦ୍ଧ । ସେ ତାଙ୍କ ସମ୍ପତ୍ତିର ଏକ ବଡ଼ ଅଂଶ ସାମାଜିକ କାର୍ଯ୍ୟରେ ଲଗାଇଥାନ୍ତି । ବିଶେଷକରି ଶିକ୍ଷା ପାଇଁ ଦାନ କରିଛନ୍ତି । ଫୋର୍ବସ୍ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ୧୨.୨ ବିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ୧ ଲକ୍ଷ କୋଟି ଟଙ୍କା । ହୁରୁନ୍ ଇଣ୍ଡିଆ ୨୦୨୧ ଅନୁଯାୟୀ ସେ ୯୭୧୩ କୋଟି ଟଙ୍କା ଦାନ କରିଛନ୍ତି । ଯଦି ଏହାକୁ ପ୍ରତିଦିନରେ ହିସାବ କରାଯାଏ, ତେବେ ସେ ପ୍ରତିଦିନ ୨୭ କୋଟି ଟଙ୍କା ଦାନ କରିଛନ୍ତି ।
ଏମ.ଏ. ୟୁସୁଫ୍ ଅଲି । ଲୁଲୁ ଗ୍ରୁପ୍ ଇଣ୍ଟରନ୍ୟାସନାଲର ପରିଚାଳନା ନିର୍ଦ୍ଦେଶକ । କେରଳର ବାସିନ୍ଦା ୟୁସୁଫ୍ ଅଲି ଆବୁଧାବିରେ ତାଙ୍କର କମ୍ପାନୀ ଆରମ୍ଭ କରିଥିଲେ । ଯାହା ବର୍ତ୍ତମାନ ମଧ୍ୟପ୍ରାଚ୍ୟ, ଭାରତ ଏବଂ ଅନ୍ୟାନ୍ୟ ଦେଶରେ ହାଇପରମାର୍କେଟ ଏବଂ ସପିଂ ମଲର ଏକ ବଡ଼ ନେଟୱାର୍କ । ଫୋର୍ବସ୍ ଅନୁଯାୟୀ, 'ମଧ୍ୟପ୍ରାଚ୍ୟ ରିଟେଲ୍ କିଙ୍ଗ୍' ଭାବରେ ଜଣାଶୁଣା । ୟୁସୁଫ୍ ଅଲିଙ୍କ ମୋଟ ସମ୍ପତ୍ତି ୭.୪ ବିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ପ୍ରାୟ ୬୫,୧୫୦ କୋଟି ସମ୍ପତ୍ତିର ମାଲିକ । ସେ କେରଳରେ ବଡ଼ ସପିଂ ମଲ୍ ନିର୍ମାଣ କରିଛନ୍ତି, ଯାହା ନିଯୁକ୍ତି ଏବଂ ବ୍ୟବସାୟ ସୁଯୋଗ ପ୍ରଦାନ କରେ।
ୟୁସୁଫ୍ ହାମିଦ୍ ସିପ୍ଲା ଫାର୍ମାସ୍ୟୁଟିକାଲର ମାଲିକ । ହାମିଦ୍ଙ୍କ କମ୍ପାନୀ ଭାରତର ପ୍ରମୁଖ ଔଷଧ କମ୍ପାନୀଗୁଡ଼ିକ ମଧ୍ୟରୁ ଗୋଟିଏ । ୟୁସୁଫ୍ ହାମିଦ ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଏବଂ ଶିଳ୍ପପତି । ଯିଏକି HIV/AIDS ଚିକିତ୍ସା ପାଇଁ ଅବଦାନ ରଖିଥାନ୍ତି । ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୨.୬ ବିଲିୟନ ଡଲାର । ଅର୍ଥାତ୍ ଭାରତୀୟ ମୂଲ୍ୟରେ ପ୍ରାୟ ୨୧ ହଜାର କୋଟି । ସିପ୍ଲାର ମୁଖ୍ୟାଳୟ ମୁମ୍ବାଇରେ ରହିଛି । କମ୍ପାନୀ ସାରା ବିଶ୍ୱରେ ଏହାର ଔଷଧ ପାଇଁ ଜଣାଶୁଣା। ୟୁସୁଫ୍ ହାମିଦଙ୍କୁ ୨୦୦୫ ମସିହାରେ ଭାରତ ସରକାର ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରିଥିଲେ।
ରଫିକ୍ ମଲିକ୍ ଭାରତର ଜଣେ ଜଣାଶୁଣା ବ୍ୟବସାୟୀ । ସେ ମେଟ୍ରୋ ବ୍ରାଣ୍ଡ୍ସ ଲିମିଟେଡର ଅଧ୍ୟକ୍ଷ। ତାଙ୍କ କମ୍ପାନୀ ମେଟ୍ରୋ ସୁଜ୍ ହେଉଛି ଭାରତର ପ୍ରମୁଖ ଫୁଟୱେୟାର ରିଟେଲ୍ ଚେନ୍ । ଯାହା ମେଟ୍ରୋ, ମୋଚି, ୱାକୱେ, ଡା ବିଂଚି ଏବଂ ଫିଟଫ୍ଲପ୍ ଭଳି ବ୍ରାଣ୍ଡ ପାଇଁ ଜଣାଶୁଣା । ଫୋବର୍ସ ଅନୁଯାୟୀ, ରଫିକ୍ ମଲିକଙ୍କ ମୋଟ ସମ୍ପତ୍ତି ୨.୧ ବିଲିୟନ ଡଲାର । ଅର୍ଥାତ୍ ୧୭ ହଜାର ୧୬୦ କୋଟିର ମାଲିକ ଅଟନ୍ତି ରଫିକ୍ ମଲିକ୍ । ୨୦୨୩ରେ ସେ ଫୋର୍ବସର କୋଟିପତି ତାଲିକାରେ ୧୪୩୪ତମ ସ୍ଥାନରେ ଥିଲେ ଏବଂ ୨୦୨୨ରେ ସେ ଭାରତର ୮୯ତମ ଧନୀ ବ୍ୟକ୍ତି ଭାବରେ ତାଲିକାରେ ହୋଇଥିଲେ ସାମିଲ୍ ।
ଡକ୍ଟର ଆଜାଦ ମୁପେନ୍ ଜଣେ ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗୀ । ସେ ଦୁବାଇରେ ରହୁଥିବା ଜଣେ ଚିକିତ୍ସକ । ୧୯୫୩ ମସିହାରେ କେରଳର କଳ୍ପକାଞ୍ଚେରିରେ ଜନ୍ମଗ୍ରହଣ କରିଥିବା ଡକ୍ଟର ମୁପେନ୍ କାଲିକଟ ମେଡିକାଲ କଲେଜରୁ MBBS ଏବଂ MD ଶେଷ କରିଥିଲେ । ସେ ତାଙ୍କ ପାଠପଢ଼ା ସମୟରେ ଏକ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ । ୧୯୮୭ ମସିହାରେ ସେ ଏକ ବିଶେଷ କାମ ପାଇଁ ଦୁବାଇ ଯାଇଥିଲେ ଏବଂ ଏଠାରୁ ହିଁ ତାଙ୍କ ଜୀବନ ନେଇଥିଲା ଏକ ନୂଆ ମୋଡ଼ । ଫୋର୍ବସ୍ ଅନୁଯାୟୀ, ୨୦୨୪ ସୁଦ୍ଧା ଡକ୍ଟର ଆଜାଦ ମୁପେନ୍ଙ୍କ ସମ୍ପତ୍ତି ପ୍ରାୟ ୧ ବିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୮୩୦୦ ରୁ ୮୪୦୦ କୋଟି ଟଙ୍କା। ଏହା ତାଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ସବୁଠାରୁ ଧନୀ ଭାରତୀୟଙ୍କ ମଧ୍ୟରୁ ଜଣେ କରିଥାଏ।