ରାତି ପାହିଲେ ଶ୍ରୀଜିଉଙ୍କ ନବଯୌବନ, ଏତିକି ସମୟ ରହିବ ସାଧାରଣ ଦର୍ଶନ

Published By : Prameya-News7 Bureau | June 25, 2025 IST

ପୁରୀ: ଆସନ୍ତାକାଲି ପବିତ୍ର ନବଯୌବନ ଦର୍ଶନ। ୧୫ ଦିନର ଅଣସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ସକାଳ ୮ ଟା ରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ବା ଟିକେଟ ଦର୍ଶନ ପରେ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହେବ ସର୍ବସାଧାରଣ ଦର୍ଶନ। ଏହା ପରେ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଘୋଷଯାତ୍ରା ପାଇଁ ଆରମ୍ଭ ହେବ ପ୍ରସ୍ତୁତି । ତେବେ ଏଥର ଉଭା ଯାତ୍ରା ପଡୁନଥିବାରୁ ଭକ୍ତମାନେ ଆସନ୍ତାକାଲି ଗୋଟିଏ ଦିନ ହିଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। 

ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ପରେ ଜ୍ବରରେ ପଡ଼ିଥିଲେ ମହାପ୍ରଭୁ।  ଦୀର୍ଘ ୧୫ ଦିନ ଧରି ଅନବସରରେ ରହିବା ପରେ  ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।  ଆସନ୍ତାକାଲି ନବଯୌବନ ରୂପରେ ପୁରି ଭକ୍ତଙ୍କ ସାମ୍ନାକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ଧରି ପରିମାଣିକ ବା ଟିକେଟ ଦର୍ଶନ ବ୍ୟବସ୍ଥା କରାଯାଇଛି। ସକାଳ ୯ ଟାରୁ ୧୦ ଟା ୩୦ ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ସର୍ବସାଧାରଣ ଦର୍ଶନର ବ୍ୟବସ୍ଥା କରାଯାଇଛି। ଏହା ପରେ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଘୋଷଯାତ୍ରା ପାଇଁ ଆରମ୍ଭ ହେବ ପ୍ରସ୍ତୁତି । 

ନବଯୌବନ ଦର୍ଶନ ପାଇଁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ସହ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।‌ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ । ଦତ୍ତମହାପାତ୍ର ସେବାୟତ ମାନେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି କରୁଛନ୍ତି।  ହେଙ୍ଗୁଳ, ହରିତାଳ, କସ୍ତୁରୀ, କେଶର ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ଏହି ବନକଲାଗି ନୀତି କରିଥାନ୍ତି ଦତ୍ତମହାପାତ୍ର ସେବାୟତ।  

ସେପଟେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାକୁ ମଝିରେ ଆଉ ଗୋଟିଏ ଦିନ ।  ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତିନି ରଥରେ ଠେକାର ବାଡ଼ ସଂଯୋଗ କାର୍ଯ୍ୟ, ପ୍ରଭା କାର୍ଯ୍ୟ ଶେଷ ହୋଇଛି। ତେବେ ୩ ରଥର ମୁଖ୍ୟ ବିଶ୍ଵକର୍ମା ରଥର ସମସ୍ତ କାର୍ଯ୍ୟ ଶେଷ କରି ଥିବାବେଳେ ଆସନ୍ତାକାଲି ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେକୁ ଅପେକ୍ଷା କରିଛନ୍ତି। 

ରଥଯାତ୍ରା ବେଳେ ପୁରୀରେ ଭିଡ଼ ଉପରେ ନଜର ରଖିବ ଡ୍ରୋନ୍‌ ।  ଟ୍ରାଫିକ୍‌ ନିୟନ୍ତ୍ରଣ ସହ ଡ୍ରୋନ୍‌ ମାଧ୍ୟମରେ ପୋଲିସ କଣ୍ଟ୍ରୋଲରୁମ୍‌କୁ ଆସିବ ଭିଡ଼ ସମ୍ପର୍କିତ ସୂଚନା । କେଉଁ ସ୍ଥାନରେ କାହିଁକ ଅଧିକ ଭିଡ଼ ହେଉଛି , ଆଉ ଭିଡ଼କୁ କେମିତି କମାଇ ହେବ ସେନେଇ ପୁରୀ ସହରରେ ଏରିଏଲ୍‌ ସର୍ଭେ କରିବ ଡ୍ରୋନ୍‌ । ସେହିଭଳି ରଥଯାତ୍ରା ପୂର୍ବରୁ ପୁରୀରେ ହୋଇଛି ରଥ ଟଣା ମିକଡ୍ରିଲ । ୩ଟି ଗାଡ଼ି କୁ ରଥର ପ୍ରତିକାତ୍ମକ ଭାବେ ନିଆଯାଇ ମକଡ୍ରିଲ କରାଯାଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ   କେମିତି ହେବ ସୁରକ୍ଷିତ ରଥ ଟଣା ସେନେଇ ପୁରୀ ରିଜର୍ଭ ପଡ଼ିଆରେ  , ପୋଲିସ, କେନ୍ଦ୍ରୀୟ ସୁରକ୍ଷା ମିଳିତ ସହଯୋଗରେ ରଥ ଟଣା ମକଡ୍ରିଲ ହୋଇଛି ।  

ସେହିଭଳି ପୁରୀ ସମୁଦ୍ରକୂଳରେ ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସୁରକ୍ଷିତ ସମୁଦ୍ର ସ୍ନାନକୁ ଦିଆଯାଇଛି ଗୁରୁତ୍ବ। ସମୁଦ୍ରରେ ସ୍ନାନ ବେଳେ ଯେଭଳି କୌଣସି ଅଘଟଣ ନଘରେ ସେନେଇ  ପୁରୀ ପୋଲିସ, ଅଗ୍ନିଶମ ବାହିନୀ, ଲାଇଫ୍ ଗାର୍ଡ଼ଙ୍କୁ ନେଇ ହୋଇଛି ମକଡ୍ରିଲ୍ । ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୩୫୦ ପ୍ରାଇଭେଟ୍ ଲାଇଫ୍ ଗାର୍ଡ଼ । କାଲି ନବଯୌବନ ଦର୍ଶନ ପରେ ଅପେକ୍ଷା କେତେବେଳେ ରଥକୁ ଆସିବେ କଳା ସାଆନ୍ତ । ବଡ଼ ଦାଣ୍ଡରେ ହେବ ଭକ୍ତ ଭଗବାନଙ୍କ ମହାମିଳନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.