ମହଙ୍ଗା ହେଉଛି ଟମାଟର, କେଜିପିଛା ଖୁଚୁରା ଦର ୫୦ ପାର

Published By : Prameya-News7 Bureau | June 09, 2025 IST

ନୂଆଦିଲ୍ଲୀ ୯।୬: ପୁଣି ଥରେ ଆପଣଙ୍କ ରୋଷେଇଶାଳର ବଜେଟ ବିଗାଡିବାକୁ ଯାଉଛି ଟମାଟର। ଗତମାସ ରେ କେଜି ପିଛା ୨୦ ଟଙ୍କା ଦରରେ ବିକ୍ରି ହେଉଥିବା ଟମାଟର ମୂଲ୍ୟ ଅଚାନକ ବଢି ଯାଇଛି। ଦିଲ୍ଲୀ ଏନସିଆର ଓ ଉତ୍ତର ଭାରତର ଅନେକ ସହରାଞ୍ଚଳରେ ଟମାଟୋ ଏବେ କେଜି ପିଛା ୫୦ ଟଙ୍କା ଦରରେ ବିକ୍ରି ହେଲାଣି। ଟମାଟର ପାଇକାରୀ ଦର ଇତି ମଧ୍ୟରେ ୪୦କୁ ଛୁଇଁଛି ଓ ଆଗାମୀ ସମୟରେ ଏହା ଆହୁରି ବଢିବ ବୋଲି ଏବେଠୁ ଆଶଙ୍କା କରାଗଲାଣି। 

ଦିଲ୍ଲୀସ୍ଥିତ ଆଜଦପୁରୀ ମଣ୍ଡିରେ ବ୍ୟବସାୟୀ ଅଶୋକ କୌଶିକ ଗତ ସପ୍ତାହେ ହେଲା ଟମାଟୋ ଦର ଏପରି ବଢୁଥିବା କହିଛନ୍ତି। ଏବେ ଟମାଟୋର ପାଇକାରୀ ଦର ୩୦ ଟଙ୍କାରେ କାରବାର ହେଉଛି, ହେଲେ ଆସିବାକୁ ଥିବା ନୂଆ ମାଲ କେଜି ପିଛା ୪୦ ଟଙ୍କା ପାର କରିଯିବ ବୋଲି ସେ ଆକଳନ କରିଛନ୍ତି। କୌଶିକ କହିଛନ୍ତି ଯେ ମେ ମାସ ଶେଷ ପର୍ଯ୍ୟନ୍ତ ରାଜସ୍ଥାନ ଓ ହରିୟାଣାରୁ ଟମାଟୋ ପହଞ୍ଚୁଥିଲା।  ଏଣୁ ବଜାରରେ ଟମାଟୋ ଦର ନିୟନ୍ତ୍ରଣରେ ଥିଲା। ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ମୂଲ୍ୟ ମିଳୁନଥିବାରୁ ସେମାନେ ଏବେ ଟମାଟୋ ପଠାଇବା ବନ୍ଦ  କରିଦେଇଛନ୍ତି। ଏଣୁ ଦର ବଢିବା ଆରମ୍ଭ ହୋଇଥିବା କୌଶିକ କହିଛନ୍ତି। 

ଏହା ଛଡା ଜୁନମାସ ଆରମ୍ଭରୁ ଗରମ ବଢିବା ଆରମ୍ଭ ହୋଇଛି। ଫଳରେ ଟମାଟୋ ଫସଲ ପ୍ରଭାବିତ ହେଉଥିବାରୁ ଅମଳ କମୁଥିବା ଚାଷୀ କହିଛନ୍ତି। ସେହିପରି ବଜାରକୁ ଆସୁଥିବା ଟମାଟୋ ଗରମ ଯୋଗୁ ବେଶି ସମୟ ରହୁ ନାହିଁ ଖୁବ୍ ଶୀଘ୍ର ଖରାପ ହେଉଛି ଏଣୁ ଟମାଟର ସପ୍ଲାଇ ଉପରେ ପ୍ରଭାବ ପଡୁଥିବାରୁ ବଜାରରେ ମୂଲ୍ୟ ବୃଦ୍ଧି ହେଉଥିବା ଚାଷୀ କହିଛନ୍ତି। ତେବେ ଓଡିଶା ସମେତ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କର ଆବଶ୍ୟକତା  ଏବେ କର୍ଣ୍ଣାଟକ ଟମାଟୋ ପୂରଣ କରୁଛି। ଏଣୁ ଦର କିଛିଟା ନିୟନ୍ତ୍ରଣରେ ରହିଛି। 

ଏଥିରେ ବ୍ୟବସାୟୀ ଆକଳନ କରୁଛନ୍ତି ଯେ ଏବେ ଟମାଟର ଦାମ ଆଉ କମିବ ନାହିଁ। କାରଣ ଖୁବ୍ ଶୀଘ୍ର ଖରାପ ହେଉଥିବା ପରିବା ମଧ୍ୟରେ ଟମାଟୋ ଅନ୍ୟତମ। ଏଣୁ ଦେଶରେ ଗରମ ଯେଉଁପରି ପଡୁଛି ଏଥିରେ ଟମାଟୋ ଶସ୍ତା ହେବ ବୋଲି ଆଉ ଆଶା କରିବା କଥା ନୁହେଁ ବୋଲି ବ୍ୟବସାୟୀ କହୁଛନ୍ତି। ଏବେ ଗରମ ଯୋଗୁ ଟମାଟର ଖରାପ ହେଉଛି ଆଗକୁ ବର୍ଷା ସେଥିରେ ମଧ୍ୟ ଟମାଟର ଫସଲ ପ୍ରଭାବିତ ହେବ। ଏଣୁ ଆଗାମୀ ଦୁଇ ତିନିମାସ ପର୍ଯ୍ୟନ୍ତ ଟମାଟୋ ଦର ଉଚ୍ଚ ରହିବ ବୋଲି ବ୍ୟବସାୟୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.