ବାଲିଗୁଡ଼ା ୨୦।୦୫ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଆସିଛି ଲଜ୍ଜାଜନକ ଘଟଣା । ଯାହାକୁ ସମସ୍ତଙ୍କ ଚକିତ କରିଦେଇଛି । ଜଣେ ଯୁବତୀଙ୍କୁ ଭଡ଼ା ଘରେ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା । ଏହାପରେ ପୋଲିସ ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛି ବାଲିଗୁଡ଼ା ଥାନା ପୋଲିସ ।
ଖବର ଅନୁଯାୟୀ, ଗତ ୧୧ ତାରିଖ ଦିନ ବାଲିଗୁଡ଼ା ବଜାରକୁ ମେଡିସିନି କିଣିବାକୁ ଆସିଥିଲେ । ଯୁବତୀଙ୍କୁ ଅଟୋ ଯୋଗେ ଘରେ ଛାଡି ଦେବାକୁ କହି ଏକ ବନ୍ଦ କୋଠରୀକୁ ନେଇଯାଇଥିଲେ ତିନି ଅଭିଯୁକ୍ତ । ସେଠାରେ ବଳପୂର୍ବକ ଯୁବତୀଙ୍କୁ ଭଡ଼ାଘରେ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ତେବେ ସାହି ପଡୋଶୀ ଯୁବତୀଙ୍କ ପାଟି ଶୁଣି ବାଲିଗୁଡ଼ା ପୋଲିସକୁ ଖବର ଦେଇଥିଲେ । ଶେଷରେ ଗତ ୧୭ ତାରିଖ ଦିନ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରିଥିଲା । ପରେ ପରିବାର ଲୋକଙ୍କ ଲିଖିତ ଅଭିଯୋଗ ପରେ ବାଲିଗୁଡ଼ା ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରି ଛାନ୍ଭିନ୍ ଆରମ୍ଭ କରିଥିଲା । ମାମଲା ରୁଜୁର ୨୪ ଘଣ୍ଟା ମଧ୍ୟରେ ଅଟୋ ଡ୍ରାଇଭର ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପରେ ସେମାନଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଛି ପୋଲିସ ।
ଅନ୍ୟପଟେ ଯୁବତୀଙ୍କ ବୟାନ ରେକର୍ଡ ଓ ଡାକ୍ତରୀ ମାଇନା କରାଯାଇଛି । ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି ପୋଲିସ ସୂଚନା ଦେଇଛି । ଏହାସହିତ ଉକ୍ତ ଅଟୋକୁ ମଧ୍ୟ ଜବତ କରିଛି ପୋଲିସ ।