ନୂଆଦିଲ୍ଲୀ: ୮୦ ବର୍ଷ ବୟସରେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହେଲେ କମ୍ପ୍ୟୁଟର ଟେକ୍ନୋଲୋଜୀ କମ୍ପାନୀ ଓରାକଲ ପ୍ରତିଷ୍ଠାତା ଲାରି ଏଲିସନ। ସେ ଆମଜାନର ଜେଫ୍ ବେଜୋସ ମେଟାର ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ଫର୍ଚୁନ ରିପୋର୍ଟ ଅନୁସାରେ ତାଙ୍କର ବିଜନେଶ ଷ୍ଟକ୍ରେ ୪୦ ମିଲିଅନ ଡଲାର ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ତାଙ୍କ ସମ୍ପତ୍ତି ମୂଲ୍ୟ ୨୫୦.୯ ବିଲିଅ ଡଲାରକୁ ହୋଇଯାଇଛି। ଧନୀ ତାଲିକାରେ ଏଲିସନ ବର୍ତ୍ତମାନ କେବଳ ଟେସଲା ସିଇଓ ଏଲନ ମସ୍କଙ୍କ ପଛରେ ରହିଛନ୍ତି। ମସ୍କ ୪୦୫.୮ ବିଲିଅନ ଡଲାର ସମ୍ପତ୍ତି ସହ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି।
ଏଲିସନଙ୍କ ପାଖରେ କମ୍ପାନୀର ପ୍ରାୟ ୪୧ ପ୍ରତିଶତ ସେୟାର ଅଛି ଏବଂ ଓରାକେଲର ସେୟାର ବୃଦ୍ଧି ପାଇବା ପରେ, ତାଙ୍କ ସମ୍ପତ୍ତି ଗୋଟିଏ ଦିନରେ ୨୫ ବିଲିୟନ ଡଲାର ବୃଦ୍ଧି ପାଇଥିଲା। ତା'ପରେ ପୁଣିଥରେ ଆଉ ୧୬ ବିଲିୟନ ଡଲାର ବୃଦ୍ଧି ପାଇଥିଲା। ଗତ ସପ୍ତାହରେ ଓରାକେଲର ଅଧ୍ୟକ୍ଷ ଏବଂ ସିଟିଓ ଥିବା ଏଲିସନଙ୍କର ନେଟ୍ ୱର୍ଥରେ ୧୧ ଫିଗର ବୃଦ୍ଧି ପାଇଥିଲା। ଗତ ମଙ୍ଗଳବାର, କମ୍ପାନୀ ଏହାର ଆୟ ରିପୋର୍ଟ ପ୍ରକାଶ କରିବାର ଗୋଟିଏ ଦିନ ପୂର୍ବରୁ, ଏଲିସନଙ୍କ ନେଟ୍ ସମ୍ପତ୍ତି ୨୧୩ ବିଲିୟନ ଡଲାର ଥିଲା।
ଲାରି ଏଲିସନ କିଏ ?
ଓରାକେଲର ଅଧ୍ୟକ୍ଷ ଏବଂ ଚିଫ୍ ଟେକ୍ନୋଲୋଜୀ ଅଫିସର ଲାରି ଏଲିସନ ଅନ୍ୟମାନଙ୍କ ସହ ୧୯୭୭ ମସିହାରେ ଏକ ଡାଟାବେସ୍ ସଫ୍ଟୱେର୍ କମ୍ପାନୀ ଭାବରେ ଓରାକେଲ୍ ପ୍ରତିଷ୍ଠା କରିଥିଲେ। ସମୟ ଅନୁସାରେ ଏହି କମ୍ପାନୀ ବିଶ୍ୱସ୍ତରୀୟ କ୍ଲାଉଡ୍ କମ୍ପ୍ୟୁଟିଂର ପାୱାରହାଉସରେ ପରିଣତ ହୋଇଥିଲା। ଯାହା ଏଲିସନଙ୍କ ବିଶ୍ୱର ୧୦ ଧନୀ ବ୍ୟକ୍ତି ତାଲିକାରେ ସାମିଲ୍ କରାଇଥିଲା। ହେଲେ ଏବେ ୮୦ ବର୍ଷ ବୟସରେ ସେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଛନ୍ତି।
ଏଲିସନ ନିଜର ରୋକ୍ଠୋକ୍ ବ୍ୟକ୍ତିତ୍ୱ ଓ ଅସାଧାରଣ ଜୀବନଶୈଳୀ ପାଇଁ ଜଣାଶୁଣା। ଜୀବନକୁ ବିଳାସପୂର୍ଣ୍ଣ କରିବାରେ ତାଙ୍କର ଅଧିକ ଖର୍ଚ୍ଚ ହୋଇଥାଏ। ଏଲିସନ ୨୦୧୨ ମସିହାରେ ହାୱାଇର ଷଷ୍ଠ ବୃହତ୍ତମ ଦ୍ୱୀପ, ଲାନାଇର ୯୮% ଏରିଆକୁ ପ୍ରାୟ ୩୦୦ ନିୟୁତ ଡଲାରରେ କିଣିଥିଲେ। କେବଳ ସେତିକି ନୁହେଁ, ତାଙ୍କ ପାଖରେ ନିଜର ସ୍ୱତନ୍ତ୍ର ବିମାନ ରହିଥିବା ବେଳେ ପାଇଲଟ ଭାବରେ ଲାଇସେନ୍ସ ବି ଅଛି।
ପଢନ୍ତୁ- ଟ୍ରମ୍ପଙ୍କ ନୂଆ ବିଜନେସ୍ ପାର୍ଟନର ହେବେ ମୁକେଶ ଅମ୍ବାନୀ, କେତେ ଟଙ୍କା ନିବେଶ କରିବ ରିଲାଏନ୍ସ, ଜାଣନ୍ତୁ
ଏଲନ ମସଙ୍କର ସେ ଜଣେ ଭଲ ବନ୍ଧୁ ହୋଇଥିବା ବେଳେ ଟେସ୍ଲାରେ ସେ ବଡ଼ ନିବେଶ କରିଛନ୍ତି। ଏକଥା ସେ ନିଜେ କହିଥିଲେ। ତେବେ ସବୁଠାରୁ ବଡ଼ କଥା ହେଲା IMF ଆକଳନ ଅନୁଯାୟୀ, ଏଲିସନଙ୍କ ମୋଟ ସମ୍ପତ୍ତି କେବଳ ଆରବପତିଙ୍କ ସମ୍ପତ୍ତିଙ୍କୁ ଟପି ନାହିଁ ବରଂ ଏହା କେତେକ ଦେଶର ମୋଟ ଜିଡିପିକୁ ମଧ୍ୟ ଟପିଯାଇଛି।
ଏହି ଦେଶଗୁଡ଼ିକର ମୋଟ ଜିଡିପି ଠାରୁ ଅଧିକ ଏଲିସନଙ୍କ ସମ୍ପତ୍ତି
• ହଙ୍ଗେରୀ - ୨୩୭ ବିଲିୟନ ଡଲାର
• କତାର - ୨୨୨ ବିଲିୟନ ଡଲାର
• ୟୁକ୍ରେନ - ୨୦୫ ବିଲିୟନ ଡଲାର
• ନାଇଜେରିଆ - ୧୮୮ ବିଲିୟନ ଡଲାର
• ମରକ୍କୋ - ୧୬୫ ବିଲିୟନ ଡଲାର
• କୁଏତ - ୧୫୩ ବିଲିୟନ ଡଲାର