ପହଣ୍ଡିରେ ସାମିଲ ହୋଇ ପାରିବେନି ଏହି ସେବାୟତ, ବୈଠକରେ ନିଷ୍ପତ୍ତି

Published By : Prameya-News7 Bureau | June 24, 2025 IST

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରାରେ ପହଣ୍ଡି ନୀତିକୁ ଶୃଙ୍ଖଳିତ କରିବା ପାଇଁ ଚୂୁଡାନ୍ତ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ। ପୂଜାପଣ୍ଡା, ଦଇତାପତି, ସିଂହାରୀ, ସୁଆର ମହାସୁଆର ନିଯୋଗକୁ ନେଇ ଅନୁଷ୍ଠିତ ହୋଇଥିଲା ବୈଠକ। ତେବେ ପହଣ୍ଡି ନୀତିରେ ଶୃଙ୍ଖଳା ପାଇଁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହିତ ସମସ୍ତ ନିଯୋଗ ଦାୟିତ୍ଵରେ   ରହିଛନ୍ତି। 

ଗତବର୍ଷ ହୋଇଥିବା ପହଣ୍ଡି ଅଘଟଣ ଏଡାଇବାକୁ ହୋଇଛି ସ୍ବତନ୍ତ୍ର ଷ୍ଟ୍ରାଟେଜି। ପହଣ୍ଡିରେ ସମ୍ପୃକ୍ତ ସେବାୟତ ମାନେ ହିଁ ପହଣ୍ଡି ନୀତିରେ ରହିବେ। ସମସ୍ତ ନିଯୋଗର ସଭାପତି ସମ୍ପାଦକ ଉପସ୍ଥିତ ରହି ପହଣ୍ଡି ପରିଚାଳନା କରିବା ସହ ସ୍ଵତ୍ଵଲିପି ଅନୁସାରେ ଆବଶ୍ୟକ ସେବକଙ୍କୁ ଚିହ୍ନଟ କରିବେ। ନିର୍ଦ୍ଦିଷ୍ଟ ଏବଂ ସ୍ଵତ୍ଵଲିପି ରେ ନଥିବା କୌଣସି ସେବକ ପହଣ୍ଡି କର୍ଡନ ମଧ୍ୟକୁ ପ୍ରବେଶ କରିବା ବାରଣ ରହିବ।ପ୍ରତି ବିଗ୍ରହଙ୍କ ପାଇଁ ଉଦ୍ଦିଷ୍ଟ ବରିଷ୍ଠ ଅଧିକାରୀ ପହଣ୍ଡି ପରିଚାଳନାକୁ ସଙ୍ଗଠିତ କରିବେ। 

ତେବେ ରଥ ଶୋଧ, ରଥ ଟଣା, ପହଣ୍ଡି ଶୃଙ୍ଖଳା ପାଇଁ ସମସ୍ତେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶୃଙ୍ଖଳିତ ପହଣ୍ଡି ଚଳିତ ଥରର ମୁଖ୍ୟ ଫୋକସ୍ ରହିବ। ମୋବାଇଲ୍ ବାରଣ, ଶୋଧ, ସହାୟକ ସେବକଙ୍କୁ କେବଳ ସହାୟତା ବେଳେ ପ୍ରବେଶ ଅନୁମତି ଉପରେ ସକାରାତ୍ମକ ମତ ରଖିଛନ୍ତି ସମସ୍ତ ସେବକ ନିଯୋଗ। ତେବେ ଚଳିତବର୍ଷ ଠାକୁରଙ୍କର ସମସ୍ତ ନୀତି କାନ୍ତି, ପହଣ୍ଡି ସହିତ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ହେବା ନେଇ ପ୍ରଶାସନ ଆଶା ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.