ଏହି ୩ ଖେଳାଳି ଇଂଲଣ୍ଡ ଗସ୍ତରେ କଲେ ଧମାଲ୍, ଏସିଆ କପ୍ ୨୦୨୫ ପାଇଁ ମିଳିପାରେ ସ୍ଥାନ

Published By : Prameya-News7 Bureau | August 05, 2025 IST

ନୂଆଦିଲ୍ଲୀ: ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ଶେଷ ହୋଇଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୨-୨ରେ ବରାବର ରହିଛି। ଶୁଭମନ ଗିଲ୍, ଯଶସ୍ୱୀ ଜୟସ୍ୱାଲ୍ ଏବଂ ସାଇ ସୁଦର୍ଶନ ଇଂଲଣ୍ଡ ଗସ୍ତରେ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଗିଲ୍ ଏବଂ ଜୟସ୍ୱାଲ୍ ସିରିଜ୍ ବରାବର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଏହି ଖେଳାଳିମାନେ ଏସିଆ କପ୍ ୨୦୨୫ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ଦୌଡ଼ରେ ଅଛନ୍ତି।

ସମସ୍ତ ବିକଳ୍ପ ଖୋଲା ରଖିଛନ୍ତି ଚୟନକର୍ତ୍ତା

ଶୁଭମନ ଗିଲ୍ ଏବଂ ଯଶସ୍ୱୀ ଜୟସ୍ୱାଲ୍ କିଛି ସମୟ ପାଇଁ ଭାରତୀୟ ଟି-୨୦ ଦଳରୁ ବାହାରେ ଅଛନ୍ତି। ଏବେ ଦେଢ଼ ମାସ ଧରି ଟେଷ୍ଟ ସିରିଜ୍ ପରେ, ଉଭୟ ଏସିଆ କପ୍ ପାଇଁ ଉପଲବ୍ଧ ହୋଇପାରିବେ। ବିସିସିଆଇ ସୂତ୍ର ଅନୁଯାୟୀ, ଚୟନକର୍ତ୍ତା ଖେଳାଳିଙ୍କ ପାଇଁ ସମସ୍ତ ବିକଳ୍ପ ଖୋଲା ରଖିଛନ୍ତି। ଏସିଆ କପ୍ ୨୦୨୫ ପାଇଁ ଭାରତୀୟ ଦଳ ଅଗଷ୍ଟ ତୃତୀୟ ସପ୍ତାହରେ ଚୟନ ହେବାର ସମ୍ଭାବନା ରହିଛି, କାରଣ ଏସିଆ କପ୍ ୨୦୨୫ ସେପ୍ଟେମ୍ବର ୯ ରୁ ଆରମ୍ଭ ହେଉଛି।

ଏହି ତିନି ଖେଳାଳିଙ୍କୁ ସ୍ଥାନ ମିଳିପାରେ

ବିସିସିଆଇର ସୂତ୍ର ମୁତାବକ ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମାଙ୍କ ଦମଦାର ପ୍ରଦର୍ଶନ ସତ୍ତ୍ଵେ ଗିଲ୍, ଜୟସ୍ଵାଲ ଓ ସୁଦର୍ଶନଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିପାରେ। ଯଦି କୌଣସି ଦଳ ୨୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏସିଆ କପର ଫାଇନାଲ ପର୍ଯ୍ୟନ୍ତ ଖେଳନ୍ତି, ତେବେ ଛଅଟି ଟି-୨୦ ମ୍ୟାଚ୍ ହେବ। ଏସିଆ କପ୍ ପାଇଁ ୧୭ ଜଣିଆ ଦଳ ଚୟନ କରିବାକୁ ଅନୁମତି ପାଇବା ପରେ, ଚୟନକର୍ତ୍ତାମାନେ ସମସ୍ତ ବିକଳ୍ପକୁ ସାବଧାନତାର ସହ ବିଚାର କରୁଛନ୍ତି।

ୟୁଏଇରେ ହେବ ଏସିଆ କପ୍ ୨୦୨୫

ଏସିଆ କପ୍ ୨୦୨୫ ୟୁଏଇ ମାଟିରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି, ଯଶସ୍ୱୀ ଜୟସୱାଲ, ଶୁଭମନ ଗିଲ ଏବଂ ସାଇ ସୁଦର୍ଶନ ଶ୍ରେଷ୍ଠ ଟପ୍ ଅର୍ଡର ଖେଳାଳି ହୋଇପାରିବେ। ବର୍ତ୍ତମାନ, ଭାରତ ପାଇଁ T20 ଦଳରେ ଓପନିଂ ଦାୟିତ୍ୱରେ ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.