ବଡବିଲ ୮।୬: କେନ୍ଦୁଝର ଲୋକଙ୍କ ଜୀବନଶୈଳୀ, ଟ୍ରାଫିକ ସମସ୍ୟା, ପ୍ରଦୂଷଣ, ରାସ୍ତା ଜାମ୍ ଏବଂ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜିନ୍ଦଲ ଷ୍ଟିଲର ଚେୟାରମ୍ୟାନ ତଥା ସାଂସଦ ନବୀନ ଜିନ୍ଦଲ । ସେ କହିଛନ୍ତି ଯେ, କେନ୍ଦୁଝରରେ ବିକାଶ ହୋଇଛି, ଆହୁରି ବଢିଆ ବିକାଶ ହେବା ଦରକାର, ବଢିଆ ସଡ଼କ ହେବା ଦରକାର । ଏଠାରେ ଅର୍ଥର ଅଭାବ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଏହା ଜନ୍ମଭୂମୀ ଓ କର୍ମଭୂମୀ । ସେ ବିକାଶ କାମ ମଧ୍ୟ କରୁଛନ୍ତି । ଆହୁରି ଦ୍ରୁତ ଗତିରେ ବିକାଶ ହେବା ଦରକାର । ଆଗାମୀ ଦିନରେ ଭଲ ସଡ଼କ ହେବା ଦରକାର । କେନ୍ଦୁଝର ଲୋକଙ୍କ ଜୀବନଶୈଳୀ ଉତ୍ତମ ହେଉ । ଟ୍ରାଫିକ ସମସ୍ୟା, ପ୍ରଦୂଷଣ, ରାସ୍ତା ଜାମ୍ ଏବଂ ଦୁର୍ଘଟଣା ନହେବା ପାଇଁ ଆହୁରି ଭଲ ବ୍ୟବସ୍ଥା କରାଯାଇ ପାରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆଗ୍ରହ ପ୍ରକାଶ କରିବି । ମୋର ପୁରା ବିଶ୍ୱାସ ଅଛି, ଓଡ଼ିଶା ସରକାର ନିଶ୍ଚୟ କରିବେ । ଫ୍ଲାଗ୍ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ମାଧ୍ୟମରେ ଜିନ୍ଦଲ ଷ୍ଟିଲର ବଡ଼ବିଲ କାଶିଆ ଆଇରନ୍ ଏଣ୍ଡ ଡୋଲମାଇଟ୍ ମାଇନ୍ସ ପରିସରରେ ୭୨ ଫୁଟ ଉଚ୍ଚତାର ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜିନ୍ଦଲ ଷ୍ଟିଲର ଚେୟାରମ୍ୟାନ ତଥା ସାଂସଦ ନବୀନ ଜିନ୍ଦଲ ଏହା କହିଛନ୍ତି । ଫ୍ଲାଗ୍ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ପୁରା ଦେଶରେ ଏବେ ସୁଦ୍ଧା ୧୭୫ଟି ଜାତୀୟ ପତାକା ଉଚ୍ଚ ସ୍ତମ୍ଭ ଲଗାଯାଇଛି । ଜାତୀୟ ପତାକା ଆମକୁ ସବୁବେଳେ ଦେଶ ପ୍ରତି ଆମର କର୍ତ୍ତବ୍ୟକୁ ମନେପକାଇବ । ଏହି ଝଣ୍ଡା ତଳେ ଆମେ ସବୁ ଏକ ଅଛୁ । ଆଉ ଆମେ ସବୁ ମିଳିମିଶି ସ୍ୱପ୍ନର ଓଡ଼ିଶା, ଆମ ବିକଶିତ ଭାରତର ନିର୍ମାଣ କରିବା, ଏଥିପାଇଁ ଆମ ତ୍ରିରଙ୍ଗା ଝଣ୍ଡା ଆମକୁ ସର୍ବଦା ପ୍ରେରଣା ଦେଉଛି ବୋଲି ନବୀନ ଜିନ୍ଦଲ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଲୋକ ପ୍ରତିନିଧି, ଖଣି କର୍ମଚାରୀ ଓ ଜନ ସାଧାରଣ ଉପସ୍ଥିତ ରହିଥିଲେ ।