ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଦୁଇ ମହାନ ଆଧ୍ୟାତ୍ମିକ ଓ ନୈତିକ ନେତା ଶ୍ରୀ ନାରାୟଣ ଗୁରୁ ଓ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଐତିହାସିକ ଆଲୋଚନାର ଶତାବ୍ଦୀ ସମାରୋହର ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପିଏମ୍ ମୋଦୀ ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରିଛନ୍ତି । ୨୨ ମିନିଟରେ ହିଁ ଶତ୍ରୁଙ୍କୁ ସେମାନଙ୍କ ଔକାତ୍ ଦେଖାଇ ଦିଆଯାଇଥିଲା । ଭାରତର ସାମର୍ଥ୍ୟ କଣ ତାହା ପୂରା ଦୁନିଆ ଦେଖିଲା । ଅପରେସନ୍ ସିନ୍ଦୂର ଆତଙ୍କବାଦ ବିରୋଧରେ ଭାରତର କଠୋର ନୀତିକୁ ଦୁନିଆ ସାମନାରେ ସ୍ପଷ୍ଟ କରିଛି । ଭାରତୀୟଙ୍କ ରକ୍ତ ବୁହାଇଥିବା କୌଣସି ଠିକଣା ସୁରକ୍ଷିତ ରହିବ ନାହିଁ । ଆଜିର ଭାରତ ଦେଶହତିରେ ଯାହା ଠିକ୍, ସେହି ହିସାବରେ ପଦକ୍ଷେପ ନେବ ।
ସମ୍ୱୋଧନ ଆରମ୍ଭରେ ପ୍ରଧାନମନ୍ତ୍ରୀ କହିଥିଲେ, ଆଜିର ଏହି ପରିସର ଇତିହାସର ଏକ ଅଦ୍ଭୂତପୂର୍ବ ଘଟଣାକୁ ସ୍ମରଣ କରିବାର ସାକ୍ଷୀ ହେଉଛି । ଏକ ଏପରି ଐତିହାସିକ ଘଟଣା, ଯାହା କେବଳ ଆମର ସ୍ୱଧୀନତା ଆନ୍ଦୋଳନକୁ ନୂଆ ଦିଗ ଦେଇ ନଥିଲା, ବରଂ ସ୍ୱାଧୀନତାର ଉଦ୍ଦେଶ୍ୟର ନୂଆ ଅର୍ଥ ଦେଇଥିଲା । ୧୦୦ ବର୍ଷ ପୂର୍ବେ ଶ୍ରୀ ନାରାୟଣ ଗୁରୁ ଓ ମହାତ୍ମା ଗାନ୍ଧୀଙ୍କ ସେହି ସାକ୍ଷାତ ଆଜି ବି ସେତିକି ପ୍ରେରଣାଦାୟୀ, ସେତିକି ପ୍ରାସଙ୍ଗିକ ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ, ୧୦୦ ବର୍ଷ ତଳର ସେହି ସାକ୍ଷାତ, ସାମାଜିକ ସମରସତା ପାଇଁ, ବିକଶିତ ଭାରତର ସାମୂହିକ ଲକ୍ଷ୍ୟ ପାଇଁ ଆଜି ବି ଉର୍ଜାର ଉତ୍ସ ଅଟେ । ଏହି ଐତିହାସିକ ମୁହୂର୍ତ୍ତରେ ଶ୍ରୀ ନାରାୟଣ ଗୁରୁଙ୍କ ନମନ କରୁଛି ଓ ମହାତ୍ମା ଗାନ୍ଧୀଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ପିଏମ୍ କହିଥିଲେ, ଶ୍ରୀ ନାରାୟଣ ଗୁରୁଙ୍କ ଆଦର୍ଶ ପୂରା ମାନବଜାତି ପାଇଁ ଏକ ବଡ଼ ପୁଞ୍ଜି । ଯେଉଁମାନେ ଦେଶ ଓ ସମାଜ ପାଇଁ ସେବା ସଂକଳ୍ପ ସହ କାମ କରୁଛନ୍ତି, ଶ୍ରୀ ନାରାୟଣ ଗୁରୁ ସେମାନଙ୍କ ପାଇଁ ପ୍ରକାଶ ସ୍ତମ୍ଭ ପରି ଅଟନ୍ତି । ସମାଜର ଶୋଷିତ, ପୀଡ଼ିତ, ବଞ୍ଚିତ ବର୍ଗ ସହ ମୋର ସମ୍ପର୍କ କଣ ରହିଛି ତାହା ଆପଣ ସମସ୍ତେ ଜାଣିଛନ୍ତି । ଏଥିପାଇଁ ଆଜି ଯେତେବେଳେ ବି ମୁଁ ସମାଜର ଶୋଷିତ, ପୀଡ଼ିତ ଓ ବଞ୍ଚିତ ବର୍ଗଙ୍କ ପାଇଁ ନିଷ୍ପତ୍ତି ନେଉଛି, ମୁଁ ଗୁରୁଦେବଙ୍କୁ ନିଶ୍ଚିତ ସ୍ମରଣ କରୁଛି ।
ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ବିଶେଷତ୍ୱ ହେଉଛି, ଯେବେ ବି ଆମ ଦେଶ କୌଣସି ଅସୁବିଧାରେ ପଡ଼ିଛି, ସେତେବେଳେ ମହାନ ବିଭୂତି ଦେଶରେ ଜନ୍ମ ନେଇ ସମାଜକୁ ନୂଆ ମାର୍ଗ ଦେଖାଇଛନ୍ତି । କିଏ ସମାଜରେ ଆଧ୍ୟାତ୍ମିକ ଉତ୍ଥାନ ପାଇଁ କାମ କରିଛନ୍ତି, ତ କିଏ ସାମାଜିକ କ୍ଷେତ୍ରରେ ସମାଜ ସଂସ୍କାରକୁ ଗତି ଦେଇଛନ୍ତି । ଶ୍ରୀ ନାରାୟଣ ଗୁରୁ ସେହିପରି ଜଣା ମହାନ ସନ୍ଥ ଥିଲେ ।