ଅହମ୍ମଦାବାଦ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍ ୨୦୨୫ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଟାଇଟଲ୍ ମୁକାବିଲାରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ। ତେବେ ଆଜିର ମ୍ୟାଚ୍ରେ ବର୍ଷାର ସମ୍ଭାବନା ରହିଛି। କ୍ଵାଲିଫାୟର-୨ ମଧ୍ୟ ଏଠାରେ ଖେଳା ଯାଇଥିଲା। କିନ୍ତୁ ବର୍ଷା କାରଣରୁ ମ୍ୟାଚ୍ ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ହେଲେ ଫାଇନାଲ୍ ପାଇଁ ରିଜର୍ଭ ଡେ ରହିଛି। କିନ୍ତୁ ଏହି ଦିନ ବି ବର୍ଷା ହେବାର ସମ୍ଭାବନା ରହିଛି। ଯଦି ଫାଇନାଲର ଫଳାଫଳ ଉଭୟ ଦିନରେ ନିର୍ଣ୍ଣୟ ନହୁଏ ତେବେ କେଉଁ ନିୟମ ପ୍ରଯୁଜ୍ୟ ହେବ? ଫାଇନାଲରେ କେବଳ ସୁପର ଓଭର ହୋଇପାରେ କି ?
ଆଜି ଅହମ୍ମଦାବାଦରେ ୭୫ ପ୍ରତିଶତ ବର୍ଷାର ସମ୍ଭାବନା ରହିଛି। ମ୍ୟାଚ୍ ୭ଟା ୩୦ରେ ଆରମ୍ଭ ହେବାକୁ ଥିବା ବେଳେ ଟସ୍ ୭ଟାରେ ପଡ଼ିବ। ଏହାର ଏକ ଘଣ୍ଟା ପୂର୍ବରୁ ଉଦଯାପନୀ ଉତ୍ସବ ଆରମ୍ଭ ହେବ। ହେଲେ ମ୍ୟାଚ୍ରେ ବର୍ଷା ବାଧକ ସାଜିବାର ପୂରା ସମ୍ଭାବନା ରହିଛି। ମ୍ୟାଚ୍ ଆରମ୍ଭ ହେବା ସମୟରେ ବି ବର୍ଷା ହୋଇପାରେ।
ଯଦି ବର୍ଷା କାରଣରୁ ଆଜି ଫାଇନାଲ୍ ମ୍ୟାଚ୍ ଆରମ୍ଭ ହୋଇ ନ ପାରିଲା କିମ୍ବା ସଂପୂର୍ଣ୍ଣ ହୋଇ ନ ପାରିଲା, ତେବେ ଏଥିପାଇଁ ଜୁନ ୪ ତାରିଖ ରିଜର୍ଭ ଡେ ରଖାଯାଇଛି। ଅର୍ଥାତ ବୁଧବାର ଅବଶିଷ୍ଟ ମ୍ୟାଚ୍ ଖେଳାଯିବ। ତେବେ ରିଜର୍ଭ ଡେରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ମ୍ୟାଚ୍ ସାରିବା ପାଇଁ ଆବଶ୍ୟକ ପଡ଼ିଲେ ଡକଓ୍ଵର୍ଥ ଲୁଇସ୍ ନିୟମ ଲାଗୁ କରାଯାଇପାରେ।
ଡିଏଲଏସ ନିୟମ ତେବେ ଲାଗୁ ହୁଏ ଯେବେ ଦୁଇ ଦଳ ଅତି କମରେ ୫-୫ ଓଭର ଖେଳିବେ। ଯଦି ପଞ୍ଜାବ କିମ୍ବା ଆରସିବି ଲକ୍ଷ୍ୟର ପିଛା କରିବା ସମୟରେ ସର୍ବନିମ୍ନ ୫ ଓଭର ଖେଳି ସାରିଥିବେ ତେବେ ଏହି ନିୟମ ଲାଗୁ ହୋଇ ପାରିବ। ଯଦି ରିଜର୍ଭ ଡେରେ ଅତି କମରେ ଦୁଇ ଦଳ ମଧ୍ୟରେ ୫-୫ ଓଭର ଖେଳ ନ ହୋଇ ପାରିଲା, ତେବେ ମ୍ୟାଚ୍ ରଦ୍ଦ ଘୋଷଣା କରାଯିବ। ମାତ୍ର ଫାଇନାଲ୍କୁ ସଂପୂର୍ଣ୍ଣ ରଦ୍ଦ କରିବା ପୂର୍ବରୁ ଅମ୍ପାୟର ଓ ରେଫରୀ ସୁପର ଓଭରର କରାଇ ପାରନ୍ତି।
ଯଦି ମ୍ୟାଚ୍ର ଫଳାଫଳ ଉଭୟ ଦିନ ନିର୍ଣ୍ଣୟ ହୁଏ ନାହିଁ, ତେବେ ପଏଣ୍ଟ ଟେବୁଲ୍ର ଶୀର୍ଷରେ ଥିବା ଦଳକୁ ବିଜେତା ଘୋଷଣା କରାଯିବ। ଅର୍ଥାତ୍, ପଞ୍ଜାବ କିଙ୍ଗ୍ସ ଚାମ୍ପିଅନ୍ ହେବ ଏବଂ ଆରସିବିକୁ ରନର୍ସଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଆପଣଙ୍କୁ କହି ରଖୁଛୁ ଯେ ପଏଣ୍ଟ ଟେବୁଲ୍ରେ ଆରସିବି ଏବଂ ପଞ୍ଜାବ ଉଭୟଙ୍କ ୧୯-୧୯ ପଏଣ୍ଟ ଥିଲା କିନ୍ତୁ ନେଟ୍ ରନ୍ ରେଟ୍ ଆଧାରରେ ପଞ୍ଜାବ ଶୀର୍ଷରେ ଥିଲା।