ପୁଣି ପୁରୁଣା ରୂପକୁ ଫେରିବ ସୁପ୍ରିମକୋର୍ଟ, ପୁନଃ ସ୍ଥାପିତ ହେଲା ପ୍ରତୀକ ଚିହ୍ନ, ହଟିବ କାଚ ଦ୍ୱାର

Published By : Prameya-News7 Bureau | June 01, 2025 IST

ନୂଆଦିଲ୍ଲୀ ୧।୬: ସୁପ୍ରିମକୋର୍ଟର ପ୍ରତିକ ଚିହ୍ନ ପୁଣି ଥରେ ବଦଳିଛି। ନୂଆ ପ୍ରତୀକ ଚିହ୍ନ ହଟିଥିବା ବେଳେ ପୁରୁଣା ପ୍ରତୀକ ଚିହ୍ନ କୁ ଭାରତର ପ୍ରଧାନ ବିଚାର ପତି (ସିଜେଆଇ) ଜଷ୍ଟିସ୍ ବି.ଆର. ଗଭଇ  ପୁନଃ ସ୍ଥାପନା କରିଛନ୍ତି।  କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ କରିଡୋରରେ ଲଗାଯାଇଥିବା କାଚ ଦ୍ୱାର ଗୁଡିକୁ ହଟାଯିବ ଓ ସୁପ୍ରିମକୋର୍ଟ ପୁଣି   ପୁରୁଣା ରୂପକୁ ଫେରିବ। ନୂଆ ସିଜେଆଇ ଜଷ୍ଟିସ୍ ଗଭଇଙ୍କ ଦ୍ୱାରା କରାଯାଉଥିବା ପରିବର୍ତ୍ତନକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। 

ସୁପ୍ରିମକୋର୍ଟ ଓକିଲ ଆସୋସିଏସନ ପୂର୍ବତନ ସିଜେଆଇ ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା କୋର୍ଟର ପ୍ରତୀକ ଚିହ୍ନ ବଦଳାଯିବା ଘଟଣାକୁ ବିରୋଧ କରିଥିଲେ।   ସେହିପରି କୋର୍ଟ କରିଡୋରରେ କାଚ କବାଟ ଲଗାଇ ବାତାନୁକୂଳିକ କରିବାକୁ ମଧ୍ୟ ସଂଘ ଆପତ୍ତି କରିଥିଲା। ଓକିଲ ସଂଘ କହିଥିଲା ଯେ ସୁପ୍ରିମକୋର୍ଟରେ କାଚର ଦ୍ୱାର ଲାଗିବା ଦ୍ୱାରା ଏହାର ମୌଳିକତା ବଦଳି ଯାଉଛି ଓ ଏହା ଆଦୌ ଠିକ୍ ନୁହେଁ। କୁହାଯାଉଛି ସିଜେଆଇ ଗଭଇ ସୁପ୍ରିମକୋର୍ଟ ବାର ଆସୋସିଏସନ ଓକିଲଙ୍କ ଆପତ୍ତିକୁ ଧ୍ୟାନରେ ରଖି ଏହି ସବୁ ପରିବର୍ତ୍ତନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। 

ସୁପ୍ରିମକୋର୍ଟ ୱେବସାଇଟରୁ ଏବେ ନୂଆ ପ୍ରତୀକ ଚିହ୍ନ ହଟି ଯାଇଛି ଓ ପୂରୁଣା ପ୍ରତୀକ ଚିହ୍ନ ପୁଣି ଲାଗିଛି। ଗତବର୍ଷ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟର ୭୫ତମ ସ୍ଥାପନା ଦିବସରେ କୋର୍ଟର ନୂଆ ପ୍ରତୀକ ଚିହ୍ନ ଜାରି କରାଯାଇଥିଲା। ସେତେବେଳେ ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ ସିଜେଆଇ ଥିଲେ। ଏହି ନୂଆ ପ୍ରତୀକ ଚିହ୍ନରେ ଅଶୋକ ଚକ୍ର, ସୁପ୍ରିମକୋର୍ଟ ବିଲ୍ଡିଂ ଓ ଭାରତର ସମ୍ବିଧାନ ଚିତ୍ର ଥିଲା। ଏଥିରେ ‘ୟୋତଧର୍ମ ସ୍ତତ୍ୱ ଜୟ’ ଅର୍ଥାତ ଯେଉଁଠି ଧର୍ମ ସେଠାରେ ବିଜୟ ବୋଲି ଉଲ୍ଲେଖ ଥିଲା। ହେଲେ ଏବେ ପୁରୁଣା ପ୍ରତୀକ ଚିହ୍ନ ପୁଣି ସ୍ଥାପିତ ହୋଇଛି। 

ଗତ ମେ ୨୩ ତାରିଖ ଦିନ ସିଜେଆଇ କୋର୍ଟରେ ମକଦ୍ଦମା ଶୁଣାଣି କାଳରେ କହିଥିଲେ ଏହିସବୁ କାଚ କବାଟ ଓ କାନ୍ଥ ହଟାଯିବ ଓ ସୁପ୍ରିମକୋର୍ଟ ପୁରୁଣା ମୂଳ ରୂପକୁ ଫେରିବ। ତେବେ କରିଡରରୁ କାଚ ଦ୍ୱାର ହଟିବା ପରେ ସୁପ୍ରିମକୋର୍ଟ ପୁଣି ଥରେ ବାତାନୁକୂଳିତ ରହିବ ନାହିଁ ବୋଲି କୁହାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.