ବ୍ରହ୍ମପୁର ୩୧।୫: କୂଳ ଖାଉଛି ସମୁଦ୍ର । ଉଛୁଳା ପାଣିର ଜୁଆରରେ ଛିନଛତ୍ର ଗାଁ । ରାସ୍ତା ନଷ୍ଟ ହୋଇ ଭାଙ୍ଗି ଯାଇଛି । କେଉଁ ମୁହୂର୍ତ୍ତରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତକୁ ସମୁଦ୍ର ଗିଳି ଦେବ ସେକଥା କହିହେବନି । ଏହା ଦେଖି ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକ । ଆର୍ଯ୍ୟପଲ୍ଲୀ ପଞ୍ଚାୟତର ପ୍ରାୟ ୪ରୁ ୫କି.ମି. ଦୂରରେ ରହିଥିଲା । ଏବେ ସମୁଦ୍ର ଆଉ ମାତ୍ର ୫୦ମିଟର ଦୂରରେ ରହିଛି । କେତେବେଳେ ସମୁଦ୍ର ପଞ୍ଚାୟତକୁ ମାଡି ଆସିବ ତାହା କହିବା ମୁସ୍କିଲ । ସେଥିପାଇଁ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି । ଏବେ କୂଳ ଲଙ୍ଘିବା ସହ ରାସ୍ତା ମଧ୍ୟ ନଷ୍ଟ ହେବାକୁ ଲାଗିଲାଣି । ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ଅଞ୍ଚଳବାସୀ ।
ଏ ସମସ୍ୟା ସମ୍ପର୍କରେ ଛତ୍ରପୁର ବିଧାୟକଙ୍କୁ ମଧ୍ୟ ଅଞ୍ଚଳବାସୀ ଅବଗତ କରାଇଥିଲେ । ନିଜେ ବିଧାୟକ ଅଞ୍ଚଳରେ ପହଞ୍ଚି ସ୍ଥିତି ପରଖିବା ସହ ପ୍ରଶାସନକୁ ତୁରନ୍ତ ଗୁରୁତ୍ୱ ଦେବାକୁ କହିଥିଲେ । ପରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶିଷ ବରାଳ ପହଞ୍ଚି ସ୍ଥିତି ପରଖିଥିଲେ । ପଦକ୍ଷେପ ଗ୍ରହଣ କରାଯାଇ ରାସ୍ତାରେ ବଡ଼ ବଡ଼ ପଥର ପକାଇ ସମାଧାନ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ । ଯେଉଁ ସ୍ଥାନରେ କୂଳ ଖାଉଛି ସେଠାରେ ମଧ୍ୟ ଜେସିବି ଜରିଆରେ ପଥର ପକାଯାଉଛି । ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ତୁରନ୍ତ ଏଥିପ୍ରତି ଧ୍ୟାନ ଦିଆଯାଇ ପଦକ୍ଷେପ ଗ୍ରହଣ କରା ନଗଲେ ଗଞ୍ଜାମ ଜିଲ୍ଲା ମାନଚିତ୍ରରୁ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ଲୀନ ହୋଇଯିବ ବୋଲି ଆଶଙ୍କା କରାଯାଉଛି ।
You Can Read: