କେଦାରନାଥ ଯାତ୍ରୀଙ୍କ ପାଇଁ ଖୁସି ଖବର , ପୁଣି ଆରମ୍ଭ ହେଲା ଯାତ୍ରା : ହେଲେ ପୂର୍ବାପେକ୍ଷା ଅଧିକ ଚାଲିବାକୁ ହେବ

Published By : Prameya-News7 Bureau | August 02, 2025 IST

ରୁଦ୍ର ପ୍ରୟାଗ : ଉତ୍ତରାଖଣ୍ଡ ସ୍ଥିତ ଭଗବାନ ଶିବଙ୍କ ୧୧ତମ ଜ୍ୟୋତିର୍ଲିଙ୍ଗ ବାବା କେଦାରନାଥ ଧାମର ଯାତ୍ରା ଶନିବାର ପୁଣି ଆରମ୍ଭ ହୋଇଛି। ପାଦଚଲା ରାସ୍ତାରେ ଭୂସ୍ଖଳନ ଯୋଗୁଁ ଏହି ଯାତ୍ରା ଅନେକ ଦିନ ବାଧାପ୍ରାପ୍ତ ଥିଲା। ହେଲେ ଏବେ ବାବା କେଦାରନାଥଙ୍କ ଦର୍ଶନ କରିବା ପାଇଁ ଏବେ ଭକ୍ତଙ୍କୁ ପୂର୍ବେପେକ୍ଷା ଅଧିକ ଚାଲିବାକୁ ହେବ।

ରୁଦ୍ରପ୍ରୟାଗର ପୁଲିସ ଅଧିକାରୀ ସର୍ବେଶ ସିଂହ ପନୱାର କହିଛନ୍ତି ଯେ, ମୁଖ୍ୟ ରାସ୍ତା ଯାହା କିଛି ପରିମାଣରେ ଚାଲିବା ଯୋଗ୍ୟ ହୋଇଛି। ଯାତାୟାତା ସୁଗମ ହେବା ପରେ, ଏକ ତୀର୍ଥଯାତ୍ରୀ ଦଳକୁ ସୋନପ୍ରୟାଗରୁ ଗୌରୀକୁଣ୍ଡ ମଧ୍ୟ ଦେଇ କେଦାରନାଥ ପଠାଯାଇଛି। 

ପୁଲିସ ଅଧିକାରୀ କହିଛନ୍ତି ଯେ, କ୍ଷତିଗ୍ରସ୍ତ ହୋଇଥିବା ସ୍ଥଳରେ ଯାନବାହାନ ଗୁଡ଼ିକର ଚଳାଚଳ ଆରମ୍ଭ ହେବା ଯାଏ ତୀର୍ଥଯାତ୍ରୀଙ୍କୁ ପାଖାପାଖି ୨୨ କିଲୋମିଟର ଚାଲି ଚାଲି କେଦାରନାଥ ଧାମକୁ ଯିବାକୁ ହେବ। ବର୍ଷା ହେବା ସ୍ଥିତିରେ ଏଠାରେ ଯାତାୟାତକୁ ଅସ୍ଥାୟୀ ଭାବେ ରୋକା ଯିବ। 

ଏହାସହ ସେଠାର ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ, ପାଣିପାଗର ପୂର୍ବାନୁମାନ ଅନୁସାରେ ହିଁ ନିଜର ଯାତ୍ରା ସ୍ଥିର କରନ୍ତୁ। ପୁଲିସ ଅଧିକାରୀ କହିଛନ୍ତି, ସୋନପ୍ରୟାଗରୁ ଗୌରୀକୁଣ୍ଡ ମଧ୍ୟ ଦେଇ ସଡ଼କ ପଥ ବାଧାପ୍ରାପ୍ତ ଥିବାକୁ ଗତ କିଛି ଦିନ କେଦାରନାଥ ଯାତ୍ରା ବନ୍ଦ ଥିଲା। କେବଳ ସେଠାରୁ ଫେରୁଥିବା ଯାତ୍ରୀଙ୍କୁ ସୁରକ୍ଷା ବାହିନୀ ସାହାଯ୍ୟରେ ବୈକଳ୍ପିକ ଚଲାପଥରେ ବାହାର କରାଯାଉ ଥିଲା। 

କହି ରଖୁଛୁ ଯେ, ଉତ୍ତରାଖଣ୍ଡରେ ଗତ ବୁଧବାର ରାତିରେ ପ୍ରବଳ ବର୍ଷା ହୋଇଥିଲା। ଏଥିରୁ ସୋନପ୍ରୟାଗରୁ ଗୌରୀକୁଣ୍ଡ ମଧ୍ୟରେ ମୁନକଟିଆରେ ରାସ୍ତା ଖରାପ ହୋଇଯାଇ ଥିଲା। ଏଥିରେ କେଦାରନାଥକୁ ଯାଇଥିବା ହାଇୱେ ସଂପୂର୍ଣ୍ଣ ବନ୍ଦ ହୋଇଥିଲା। ଏହାପରେ ଧାମକୁ ଯାତ୍ରାରେ ରୋକ୍‌ ଲାଗି ଥିଲା। ସୁରକ୍ଷାକୁ ଧ୍ୟାନରେ ରଖି ପାଖାପାଖି ୨୦୦୦ ଯାତ୍ରୀଙ୍କୁ ମଝିରେ ରୋକି ଦିଆ ଯାଇ ଥିଲା। 

କୁହାଯାଉଛି ଯେ, ମୁନକଟିଆ ନିକଟରେ ଭୂସ୍ଖଳନରେ କେଦାରନାଥ ହାଇୱେରେ ପାଖାପାଖି ୫୦ ମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ଗାଡ଼ି ଗୁଡ଼ିକର ଚଳାଚଳ ବନ୍ଦ ହୋଇ ଯାଇ ଥିଲା। ବର୍ଷା ଯୋଗୁଁ ବୈକଳ୍ପିକ ଚଲାପଥକୁ ମଧ୍ୟ କ୍ଷତି ଘଟିଥିଲା। ଏଥିରେ କେଦାରନାଥରୁ ଆସୁଥିବା ତୀର୍ଥଯାତ୍ରୀମାନେ ଗୌରୀକୁଣ୍ଡରେ ହିଁ ଫସି ଯାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.