ବିବାହରେ ଲାଗିଲା ବିରାମ, ଏବେ ନଭେମ୍ବର ୧୮ ପରେ ବାଜିବ ଶଙ୍ଖ ମହୂରୀ

Published By : Prameya-News7 Bureau | June 08, 2025 IST

ନୂଆଦିଲ୍ଲୀ ୮।୬: ହିନ୍ଦୁ କର୍ମକାଣ୍ଡ ଅନୁସାରେ ବର୍ଷର ଏ ପର୍ଯ୍ୟନ୍ତ ଶେଷ ବିବାହ ତିଥି ୮ ଜୁନ ରବିବାର ପର୍ଯ୍ୟନ୍ତ ଥିଲା। ୧୧ ଜୁନ ବୁଧବାର ସନ୍ଧ୍ୟା ୬ଟା ୪୦ ମିନିଟରେ ଗୁରୁ ଗ୍ରହ ଅସ୍ତ ହେଉଛନ୍ତି ଓ ୭ ଜୁଲାଇ ସୋମବାର ପୂର୍ବ ଦିଗରେ ଉଦୟ ହେବେ। ତେବେ ଏହା ପୂର୍ବରୁ ଜୁନ ୬ ତାରିଖରେ ହରି ଶୟନ ଏକାଦଶୀ। ଏହା ପରଦିନଠାରୁ ଚାତୁର୍ମାସ୍ୟ ମଧ୍ୟ ଆରମ୍ଭ ହୋଇଯିବ। ଏଣୁ ଧାର୍ମିକ ଜ୍ଞତାଙ୍କ ଅନୁସାରେ ଏହି ଅବଧିରେ ସବୁ ପ୍ରକାରର ମାଙ୍ଗଳିକ କାର୍ଯ୍ୟ ଯେପରି ବିବାହ, ବ୍ରତୋପନୟନ, ଗୃହପ୍ରବେଶ ଓ ମୁଣ୍ଡନ ଉପରେ ୫ ମାସର ବ୍ରେକ୍ ଲାଗିବ। 

ବିଦ୍ୱାନଙ୍କ ଅନୁସାରେ ଗୁରୁ ଗ୍ରହକୁ ବୈବାହିକ ଓ ଦାମ୍ପତ୍ୟ ଜୀବନର କାରକ ଗ୍ରହ ମନେ କରାଯାଏ। ଗୁରୁ ଗ୍ରହ ଅସ୍ତ ହେବା ଯୋଗୁ ବିବାହ ଆଦି ଶୁଭ କାର୍ଯ୍ୟ ବର୍ଜିତ ହୁଏ। ଜ୍ୟୋତିଷୀୟ ଗଣନାରେ ଗୁରୁ ଓ ଶୁକ୍ର ଗ୍ରହଙ୍କ ବିଶେଷ ମହତ୍ୱ ରହିଛି। ଏଣୁ ଗୁରୁ ଗ୍ରହ ଅସ୍ତ ହେଲେ ବିବାହାଦୀ କାର୍ଯ୍ୟ ବନ୍ଦ ହୁଏ କାରଣ ଏହାକୁ ଶୁଭ ମନେ କରାଯାଏନା। ଗୁରୁ ଗ୍ରହକୁ ଧର୍ମ, ଶିକ୍ଷା ଓ ଜ୍ଞାନର କାରକ ଗ୍ରହ ମନେ କରାଯାଏ। ଗୁରୁ ଗ୍ରହ ଅସ୍ତ ହେବା ଯୋଗୁ ଏହାର ଶକ୍ତି ହ୍ରାସ ହୁଏ। ଏଣୁ ଶୁଭ କାର୍ଯ୍ୟରେ ବାଧା ଉପୁଜେ। 

ପଣ୍ଡିତଙ୍କ ଅନୁସାରେ ନଭେମ୍ବର ୧ ତାରିଖରେ ପ୍ରବୋଧିନୀ ଏକାଦଶୀ, ଏହାକୁ ଦେବ ଉଥାନ ଏକାଦଶୀ ବୋଲି ମଧ୍ୟ କୁହାଯାଏ। ଏହି ଦିନଠାରୁ ପୁଣି ବିବାହାଦୀ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଯିବ। ତେବେ ଜ୍ୟୋତିଷୀୟ ଗଣନା ଅନୁସାରେ ବିବାହାଦୀ ଶୁଭ କାର୍ଯ୍ୟ ନଭେମ୍ବର ୧୮ରୁ ପୁଣି ଆରମ୍ଭ ହେବ। ନଭେମ୍ବର ଓ ଡିସେମ୍ବରରେ ମୋଟ ୧୩ଟି ବୈବୈହିକ ଶୁଭ ମୁହୂର୍ତ୍ତ ରହିଛି। ଏହା ୧୮ ନଭେମ୍ବରରୁ ଆରମ୍ଭ ହୋଇ ୬ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଡିସେମ୍ବର ୧୧ ତାରିଖରେ ଶୁକ୍ର ଗ୍ରହ ଅସ୍ତ ହେବେ, ଏଣୁ ଏହା ପରେ ୪ ଫେବୃଆରୀ ୨୦୨୪ରୁ ପୁଣି ବିବାହ ଆଦି ଶୁଭ କାର୍ଯ୍ୟ ଆରମ୍ଭ ହେବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.