ମଝିଆ ଭାଇକୁ ଘରୁ ଡାକିନେଇଥିଲେ ବଡ଼ ଭାଇ, ଘର ସମ୍ମୁଖରୁ ମିଳିଲା ମୃତଦେହ

Published By : Prameya-News7 Bureau | July 11, 2025 IST

ଭୋଗରାଇ ୧୧।୭: ମଝିଆ ଭାଇକୁ ଘରୁ ଡାକି ନେଇ ହତ୍ୟା କରି ଘର ସାମ୍ନାରେ ବଡ଼ ଭାଇ ଫିଙ୍ଗିଦେଇଥିବା ଅଭିଯୋଗ । ବାଲେଶ୍ବର ଜିଲ୍ଲା ଭୋଗରାଇ ମାନକୁଣ୍ଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ଭୋଗରାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡ ଘଟାଇଥିବା ବଡ଼ ଭାଇ ଫେରାର । ଫେରାର ଅଭିଯୁକ୍ତ ହେଲେ ନିଆସ ମଣ୍ଡଳ । ସୂଚନାଯୋଗ୍ୟ ଯେ, ଭୋଗରାଇ ମାନକୁଣ୍ଡା ଗ୍ରାମରେ ଗୌରଙ୍ଗ ମଣ୍ଡଳଙ୍କ ୩ ପୁଅ । ଜମିଜମା ବିବାଦକୁ ନେଇ ମଝିଆ ପୁଅ ନିମାଇଁ ମଣ୍ଡଳ ଓ ବଡ଼ ପୁଅ ନିଆସ ମଣ୍ଡଳଙ୍କ ଭିତରେ ବାରମ୍ବାର ଗଣ୍ଡଗୋଳ ଲାଗି ରହିଥିଲା । ଏନେଇ ବାରମ୍ବାର ଗ୍ରାମରେ ବୁଝାବଣା ହେବା ସହିତ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ମାତ୍ର ଗୁରୁବାର ବିଳମ୍ବିତ ରାତିରେ ବଡ଼ ଭାଇ ନିଆସ ମଝିଆ ଭାଇ ନିମାଇଁଙ୍କୁ ଘରୁ ଡାକି ଆଣିଥିଲେ । ଉଭୟଙ୍କ ମଧ୍ୟରେ ଜମି ସମସ୍ୟାକୁ ନେଇ କଥା କଟାକଟି ହୋଇଥଲା । ପରେ ନିମାଇଁଙ୍କ ସ୍ତ୍ରୀ ବଡ଼ ଭାଇ ନିଆସକୁ ନିମାଇଁ କାହିଁ ବୋଲି ପଚାରିବାରୁ ସେ କିଛି କହିନଥିଲେ । ପରେ ନିମାଇଁଙ୍କ ସ୍ତ୍ରୀ ଓ ବୋହୂ ଖୋଜାଖୋଜି କରିବା ପରେ ମଧ୍ୟ ନିମାଇଁଙ୍କୁ ପାଇ ନଥିଲେ । ସକାଳେ ବଡ଼ ଭାଇ ନିଆସ ମଣ୍ଡଳଙ୍କ ଘର ସମ୍ମୁଖରେ ନିମାଇଁଙ୍କ ମୃତଦେହ ପରିବାର ଲୋକ ଦେଖିବାକୁ ପାଇ ଭୋଗରାଇ ପୋଲିସକୁ ଖବର ଦେଇଥିଲେ । ମାତ୍ର ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ନିମାଇଁଙ୍କ ସ୍ତ୍ରୀ ଗୁରୁବାରୀ ମଣ୍ଡଳ ନିମାଇଁଙ୍କୁ ବଡ଼ ଭାଇ ନିଆସ ହତ୍ୟା କରିଥିବା ନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଭୋଗରାଇ ଥାନା ଅଧିକାରୀ ଓ ଜଳେଶ୍ୱର ଏସ୍‌ଡିପିଓ ମାନସ ଦେଓ, ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.