ଭୁବନେଶ୍ଵର: ଭୁବନେଶ୍ଵର ମହାନଗର ନିଗମ(ବିଏମସି) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବିଏମସି କାର୍ଯ୍ୟାଳୟରେ ଅମାନୁଷିକ ଭାବେ ମାଡ଼ ମାରି ଘୋଷାରି ଘୋଷାରି ନେବା ଘଟଣାରେ ୫ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରି ସାରିଛି। ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହା ମଧ୍ୟରେ ଅତିରିକ୍ତ କମିଶନର ବୟାନ ଦେଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ଭିତ୍ତିହୀନ।
ସେ କହିଛନ୍ତି, ଆଜି ଓଏଏସ ମହାସଂଘର ବିଏମସିରେ ବୈଠକ ହୋଇଥିଲା । ଆଇନ ତା ପଦକ୍ଷେପ ନେବ। ମୁଁ ଗତକାଲି କମିଶନରଙ୍କୁ ସବୁ କହିଥିଲି ଆଜି ଆସିକି ଦେଖା ହେଇଛି। ବିଏମସିରେ ସମସ୍ତେ ମୋତେ ସହଯୋଗ କରୁଛନ୍ତି। ବିଏମସି ମୋର ପରିବାର ଭଳି । ଏଠି ଛୋଟରୁ ବଡ଼ କର୍ମଚାରୀ ସମସ୍ତେ ସମସ୍ତଙ୍କୁ ସହଯୋଗ କରୁଛନ୍ତି। ମୋର ଆଇନ ଉପରେ ଭରସା ଅଛି । ଆଇନରୁ ଉର୍ଦ୍ଧ୍ଵରେ କେହି ନାହାନ୍ତି। ତା ଉପରକୁ କେହି ଯାଇପାରିବେନି। ଗତକାଲି ଅଭିଯୋଗ ଶୁଣାଣି ବେଳେ ମୋ ସହ ଏହା ଘଟିଲା । ଆଇନ ଉପରେ ମୋର ଦୃଢ଼ ବିଶ୍ୱାସ ଅଛି। ମତେ ନ୍ୟାୟ ମିଳିବ । ପୋଲିସ ଉପରେ ଭରସା ଅଛି । ସେ ମାନେ ତାଙ୍କ ଟାଇମ ନେଉଛନ୍ତି । ମୋ ବିରୋଧ ରେ ଯାହା ଅଭିଯୋଗ ଆସୁଛି ସବୁ ଭିତ୍ତିହୀନ।
ଏହି ଘଟଣାରେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ପୋଲିସ ମଙ୍ଗଳବାର ଆଉ ୨ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଉଛନ୍ତି ଝାରପଡ଼ା ଅଞ୍ଚଳର ସଞ୍ଜୀବ ମିଶ୍ର ଏବଂ ଲକ୍ଷ୍ମୀସାଗର ଅଞ୍ଚଳର ସଚ୍ଚିକାନ୍ତ ସ୍ବାଇଁ । ଏହି ଗିରଫ ସହ ଘଟଣାରେ ସମୁଦାୟ ଗିରଫଦାରୀ ୫କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ। ଅନ୍ୟମାନଙ୍କୁ ମଧ୍ୟ ଗିରଫ ପାଇଁ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି ।
ସେପଟେ, ଘଟଣାରେ ସଂପୃକ୍ତି ଥିବା ଅଭିଯୋଗ ଆଧାରରେ ୫ଜଣଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସମସ୍ତଙ୍କୁ ସସ୍ପେଣ୍ଡ କରାଯାଇଛି । ନିଲମ୍ବିତ ହୋଇଥିବା ୫ ଜଣ ହେଲେ କର୍ପୋରେଟର ଅପରୂପ ନାରାୟଣ ରାଉତ, ଅନ୍ୟମାନେ ହେଲେ ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚ୍ଚିକାନ୍ତ ସ୍ୱାଇଁ ଓ ସଂଜୀବ ମିଶ୍ର ।
ସୂଚନାଯୋଗ୍ୟ ଯେ, ସୋମବାର ବିଏମ୍ସି ମୁଖ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିବା ସମୟରେ ବିଜେପି କର୍ପୋରେଟର ଜୀବନଙ୍କ ସହ ୬ରୁ ୭ଜଣ ଦୁର୍ବୃତ୍ତ ଅଭିଯୋଗ ପ୍ରକୋଷ୍ଠକୁ ପଶି ରତ୍ନାକରଙ୍କ ସହ ଯୁକ୍ତି ତର୍କ କରିବା ସହ ତାଙ୍କୁ ଘୋଷାରି ଆଣିଥିଲେ। ଆଉ ତଳେ ପକାଇ ଗୋଇଠା ଓ ବିଧା ମାରିଥିଲେ। ଯାହା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ରତ୍ନାକର ସାହୁଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା। ଏହି ଘଟଣା ପରେ ରାଜନୀତି ଜୋର ଧରିଥିବାବେଳେ, ପ୍ରତିବାଦରେ ଓଏଏସ ଏବଂ ଓଆରସ ସଂଘ ପକ୍ଷରୁ ସମୂହ କାର୍ଯ୍ୟବନ୍ଦ ଘୋଷଣା କରାଯାଇଛି।