ମୌସୁମୀର ସାମାନ୍ୟ ବିରତି ଲାଗି ରାଜ୍ୟରେ କମିଛି ବର୍ଷା, ୨ରୁ ୩ ଡିଗ୍ରୀ ବଢିପାରେ ପାରଦ

Published By : Prameya-News7 Bureau | June 01, 2025 IST

ଭୁବନେଶ୍ୱର ୦୧।୦୬ : ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ତାପମାତ୍ରା ପ୍ରାୟ ୨ରୁ  ୪ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇପାରେ। ଏଭଳି ପୂର୍ବାନୁମାନ ଦେଖାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ମୌସୁମୀର ସାମୟିକ ବିରତି ଯୋଗୁ ରାଜ୍ୟରେ ବର୍ଷା କମିଛି। କିଛି କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । 

ଶନିବାର ଦିନ ଭିତରେ ନୟାଗଡ଼ରେ ୧୭ ମିଲିମିଟର ମିମି ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡ଼ା, ନୂଆପଡ଼ା, ବରଗଡ଼, ଚାନ୍ଦବାଲି, କୋରାପୁଟରେ ଅସରାଏ ଲେଖାଏଁ ବର୍ଷା ହୋଇଛି। ନୟାଗଡ଼ରେ  ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ବୌଦ୍ଧ ୩୬.୮, କୋରାପୁଟ ୩୬.୬,  ତାଳଚେର ୩୬.୬, ଭୁବନେଶ୍ୱର ୩୬.୨, ବାଲେଶ୍ୱର ୩୬, ଚାନ୍ଦବାଲି ୩୫.୯ ଡିଗ୍ରୀ ସେଲସିୟସ୍‌ ଥିଲା।  ଉପକୂଳ ଓଡ଼ିଶାରେ ଗୁଳୁଗୁଳି ବଢ଼ିଛି । 

ପାଣିପାଗ ବିଭାଗ ଅନୁସାରେ ରବିବାର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରିରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ,  ବାଲେଶ୍ୱର, ଭଦ୍ରକରେ କାଳବୈଶାଖୀ ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ହୋଇପାରେ।  

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନ ପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । କାଁ ଭାଁ ବର୍ଷା ହୋଇପାରେ । ଜୁନ୍‌ ୭ ତାରିଖରୁ ତାପମାତ୍ରା ବଢ଼ିବା ସହ ଗରମ ବୃଦ୍ଧି ପାଇବା ସମ୍ଭାବନା ଅଛି ।

 

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.