ଅମିତ ଶାହ ଫେକ୍ ଭିଡିଓ ମାମଲାରେ ତେଲେଙ୍ଗାନା ହାଇକୋର୍ଟଙ୍କ ଆଦେଶ, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | May 03, 2024 IST

ହାଇଦ୍ରାବାଦ ୩।୫: ପଛୁଆ ବର୍ଗଙ୍କ ସଂରକ୍ଷଣକୁ ନେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଭିଡିଓ ଏଡିଟ୍ କରି ସୋସିଆଲ ମିଡିଆରେ ଭାଇରାଲ କରିବା ମାମଲାରେ କୋର୍ଟ ଶୁକ୍ରବାର ବଡ଼ ପଦକ୍ଷେପ ନେଇଛନ୍ତି। ତେଲେଙ୍ଗାନା ହାଇକୋର୍ଟ ଅମିତ ଶାହ ଫେକ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସର ତଦନ୍ତ ଉପରେ ରୋକ ଲଗାଇ ଦେଇଛନ୍ତି। ହାଇକୋର୍ଟ ତାଙ୍କ ଆଦେଶରେ କଂଗ୍ରେସର ସେହି ନେତାଙ୍କ ବିରୋଧରେ ଯାଞ୍ଚ ଉପରେ ପ୍ରାରମ୍ଭିକ ରୋକ ଲଗାଇଛନ୍ତି, ଯେଉଁମାନଙ୍କୁ ଦିଲ୍ଲୀ ପୋଲିସ ନୋଟିସ୍ ଦେଇଥିଲା।

କୋର୍ଟ କହିଛନ୍ତି ଯେ ଏହି ଲୋକଙ୍କ ବିରୋଧରେ କୌଣସି ପ୍ରକାର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ କରାଯିବ ନାହିଁ। ମାମଲାର ପରବର୍ତ୍ତି ଶୁଣାଣିକୁ ୪ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ଏହି ମାମଲାରେ ପୋଲିସ ତେଲେଙ୍ଗାନାରେ କଂଗ୍ରେସର ୫ ଜଣ ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତା ଗିରଫ କରିଥିଲା। ସେମାନଙ୍କୁ ମଧ୍ୟ ଏକ ସ୍ଥାନୀୟ କୋର୍ଟରୁ ଶୁକ୍ରବାର ଜାମିନ ମିଳିଯାଇଛି। ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। କୋର୍ଟ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ସର୍ତ୍ତରେ ଜାମିନ ମଞ୍ଜୁର କରିଛନ୍ତି। 

ଏହା ଛଡା ଅଭିଯୁକ୍ତମାନଙ୍କୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ସୋମବାର ଓ ଶୁକ୍ରବାର ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ ମଧ୍ୟ ସର୍ତ୍ତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲ ୨୭ ତାରିଖ ଦିନ ତେଲେଙ୍ଗାନାର ଜନୈକ ବିଜେପି ନେତା ପୋଲିସରେ ଅଭିଯୋଗ କରି ଥିଲେ। ଏଥିରେ ତେଲେଙ୍ଗାନା କଂଗ୍ରେସ ତାର ଏକ୍ସ ଆକାଉଣ୍ଟରେ ଅମିତ ଶାହଙ୍କ ଡିପଫେକ୍ ଭିଡିଓ ପୋଷ୍ଟ କରି ଆଇଟି ଆକ୍ଟର ଉଲ୍ଲଂଘନ କରୁଥିବା ଅଭିଯୋଗ କରିଥିଲେ। ପୋଲିସ କହିଛି ଯେ ଭିଡିଓକୁ ଟାମ୍ପର କରାଯାଇଛି ଓ ଭୋଟରଙ୍କୁ ଭ୍ରମିତ କରିବାର କାମ କରାଯାଇଛି। ପୋଲିସ ଏହି ମାମଲାରେ ଅଲଗା ଅଲଗା ଧାରାରେ ମୋକଦ୍ଦମା ରୁଜୁ କରିଛି। 

ପୋଲିସ ଅନୁସାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏପ୍ରିଲ ୨୩ ତାରିଖ ଦିନ ମେଡକରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ଏହି ଭିଡିଓକୁ ଅଡିଟ କରି ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ରେ ସେୟାର କରାଯାଇଥିଲା। ଏହି ଭିଡିଓକୁ ଏକ୍ସ ଯାଞ୍ଚ କରିବା ବେଳେ ଏହା ସମ୍ବେଦନଶୀଳ ବୋଲି ଜଣାପଡିଥିଲା। ଏହା ପରେ ଏହି ଭିଡିଓକୁ ସୋସିଆଲ ମିଡିଆରୁ ହଟାଇ ଦିଆଯାଇଥିଲା। ଅମିତ ଶାହଙ୍କ ଡିପଫେକ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ.ରେବନ୍ତ ରେଡ୍ଡୀଙ୍କୁ ମଧ୍ୟ ପଚରା ଉଚରା ପାଇଁ ଡକାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.