ବାପା ଦଳରୁ କାଢ଼ି ଦେବା ପରେ ୫ ଛୋଟ ଦଳ ସହ ମେଣ୍ଟ କଲେ ତେଜପ୍ରତାପ: ଆର୍‌ଜେଡିକୁ ସାମିଲ ପାଇଁ ଦେଲେ ଆହ୍ୱାନ

Published By : Prameya-News7 Bureau | August 05, 2025 IST

indiatoday

ନୂଆଦିଲ୍ଲୀ: ଦଳରୁ କାଢ଼ି ଦେଲେ ବାପା, ଏବେ ଏହାକୁ ଚ୍ୟାଲେଞ୍ଜ ଭାବେ ନେଇ ରାଜନୀତି ମଇଦାନକୁ ଓହ୍ଲାଇଲେ ବଡ଼ ପୁଅ ତେଜପ୍ରତାପ ଯାଦବ। ବିହାର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ତେଜପ୍ରତାପ ୫ ଛୋଟ ଆଞ୍ଚଳିକ ଦଳ ସହ ମେଣ୍ଟ କରିଥିବା ଘୋଷଣା କରିଛନ୍ତି। ମଙ୍ଗଳବାର ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ତେଜ ପ୍ରତାପ ଏହି ସୂଚନା ଦେଇଛନ୍ତି। 

ତେଜପ୍ରତାପଙ୍କ ମେଣ୍ଟରେ ସାମିଲ ହୋଇଥିବା ୫ ଦଳ ହେଲେ ବିକାଶ ବଞ୍ଚିତ ଇନସାନ ପାର୍ଟି (ଭିଭିଆଇପି), ଭୋଜପୁରୀୟା ଜନ ମୋର୍ଚ୍ଚା (ବିଜେଏମ), ପ୍ରଗତିଶୀଳ ଜନତା ପାର୍ଟି (ପିଜେପି), ଓ୍ଵାଜିବ ଅଧିକାର ପାର୍ଟି (ଡବ୍ଲୁଏପି) ଏବଂ ସଂଯୁକ୍ତ କିସାନ ବିକାଶ ପାର୍ଟି (ଏସକେଭିପି)।

ସାମ୍ବାଦିକ ସମ୍ମିଳନୀ ବେଳେ ୫ ଦଳର ଜାତୀୟ ସଭାପତି ମଧ୍ୟ ଉପସ୍ଥିତ ଥିଲେ। ତେଜ ପ୍ରତାପ କହିଛନ୍ତି ଯେ ମେଣ୍ଟର ଲକ୍ଷ୍ୟ ସାମାଜିକ ନ୍ୟାୟ, ଅଧିକାର ଏବଂ ପୂର୍ବ ରାଜ୍ୟର ବ୍ୟାପକ ବିକାଶକୁ ସମର୍ଥନ କରିବା। ଲୋକମାନେ ମୋତେ ଉପହାସ କରିପାରିବେ, ହେଲେ ମୁଁ ମୋର ରାସ୍ତାରେ ଯିବି।
 ତେଜ ପ୍ରତାପ ଆହୁରି କହିଛନ୍ତି ଯେ, ସେ ବୈଶାଳୀ ଜିଲ୍ଲାର ମହୁଆ ବିଧାନସଭା ଆସନରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଏହା ପୂର୍ବରୁ ସେ ୨୦୧୫ରେ ମହୁଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୨୦ ମସିହା ନିର୍ବାଚନରେ ଆରଜେଡି ତାଙ୍କୁ ହାସନପୁର ଆସନେ ଟିକେଟ ଦେଇଥିଲା। ତେବେ ମହୁଆର ଜନତା ତାଙ୍କୁ ପୁଣିଥରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ଏବଂ ସେ ସେଠାରେ ବିକାଶ କାର୍ଯ୍ୟ ପାଇଁ ଜନସମର୍ଥନ ପାଇଛନ୍ତି ବୋଲି ତେଜପ୍ରତାପ କହିଛନ୍ତି। 

ତେଜ ପ୍ରତାପ କହିଚନ୍ତି ଯେ ସେ ଲୋହିଆ, କର୍ପୁରୀ ଠାକୁର ଏବଂ ଜୟପ୍ରକାଶ ନାରାୟଣଙ୍କ ସ୍ଵପ୍ନକୁ ପୂରଣ କରିବେ। ସବୁଠାରୁ ମଜା କଥା ହେଲା ସେ ଆରଜେଡିକୁ ମେଣ୍ଟରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି, କିନ୍ତୁ ବିଜେପି ଓ ଜେଡିୟୁ ସହ ମେଣ୍ଟ କରିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.