IMAଙ୍କ ନିବେଦନରେ ଆଗକୁ ଆସିଲେ TATA, ବି.ଜେ ମେଡିକାଲ କଲେଜ ଛାତ୍ରଙ୍କ ପାଇଁ କଲେ ଏହି ଘୋଷଣା

Published By : Prameya-News7 Bureau | June 14, 2025 IST

ଅହମଦାବାଦ ୧୪।୬: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ୧୨ ଜୁନର ଏହି ଭୟାବହ ଦୁର୍ଘଟଣାରେ ୨୭୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କେବଳ ବିମାନଯାତ୍ରୀ ନଥିଲେ ତଳେ ଥିବା ଅନେକ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ଅହମଦାବାଦରେ ହୋଇଥିବା ଏହି ଦୁର୍ଘଟଣାରେ ବି.ଜେ. ମେଡିକାଲ କଲେଜର ଅନେକ ଛାତ୍ର ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହି ଦୁଃଖଦ ଘଟଣା ପରେ ଏବେ ସେହି ଛାତ୍ରମାନଙ୍କ ପରିବାର ନିମନ୍ତେ ସହାୟତା ଦାବି ଉଠିଛି। 

ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)ର ଗୁଜରାଟ ରାଜ୍ୟ ଶାଖା ଶନିବାର ଟାଟା ସନସ୍ ଚେୟାରମ୍ୟାନ ଏନ.ଚନ୍ଦ୍ରଶେଖରନଙ୍କୁ ପତ୍ର ଲେଖି ବି.ଜେ.ମେଡିକାଲ କଲେଜର ପ୍ରଭାବିତ ଛାତ୍ରଙ୍କ ନିମନ୍ତେ ଆର୍ଥିକ ଓ ମାନବୀୟ ସହାୟତା ନିବେଦନ କରିଛନ୍ତି। ଆଇଏମଏ ପତ୍ରରେ ଉଲ୍ଳେଖ କରିଛନ୍ତି ଯେ ଏୟାର ଇଣ୍ଡିଆ ତାଙ୍କ ଯାତ୍ରୀଙ୍କ ପରିଜନଙ୍କ ନିମନ୍ତେ ୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏଣୁ ମେଡିକାଲ ଛାତ୍ରଙ୍କୁ ମଧ୍ୟ  ସମାନ ସମ୍ବେଦନା ଓ ସହଯୋଗ ମିଳିବା ଦରକାର। ଆଇଏମଏ କହିଛନ୍ତି ଏହି ଛାତ୍ରମାନେ କେବଳ ପୀଡ଼ିତ ନୁହନ୍ତି ଏମାନେ ଭବିଷ୍ୟତର ଡାକ୍ତର ଥିଲେ। ଏଣୁ ସେମାନଙ୍କ ପରିବାର ମଧ୍ୟ ସହାୟତା ଲାଗି ହକଦାର। 

ଇକୋନମିକ୍ସ ଟାଇମସ୍ ଅନୁସାରେ ଆଇଏମଏ ଙ୍କ ନିବେଦନର କିଛି ଘଣ୍ଟା ପରେ ଏୟାର ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ କ୍ୟାମ୍ପବେଲ ୱିଲସନ ଏକ ଭିଡିଓ ବାର୍ତ୍ତାରେ ଘୋଷଣା କରିଛନ୍ତି ଯେ ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ଯକ୍ତିଙ୍କ ପରିଜନଙ୍କୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଏହା ସହିତ ଯେଉଁମାନେ ଦୁର୍ଘଟଣାରେ ଆହତ ହୋଇଛନ୍ତି ସେମାନଙ୍କ ଚିକିତ୍ସା ବାବଦ ବ୍ୟୟ ମଧ୍ୟ ଟାଟା ସମୂହ ବହନ କରିବେ। 

ୱିଲସନ ଏକ ଭାବୁକ ନିବେଦନରେ କହିଛନ୍ତି ଯେ ଆମେ ଏହି ଅପୂରଣୀୟ କ୍ଷତିରେ ଅତ୍ୟନ୍ତ ଦୁଃଖିତ ତଥା ପ୍ରଭାବିତଙ୍କ ଲାଗି ଶୋକ ପ୍ରକଟ କରୁଛୁ । ଅନ୍ୟପଟେ ଆଇଏମଏ ଓ ମେଡିକାଲ ସମୂଦାୟ ଟାଟା ସମୂହଙ୍କ ସମ୍ବେଦନଶୀଳତା, ଦ୍ରୁତ ପ୍ରତିକ୍ରିୟା ଓ ଦାୟିତ୍ୱବାନ ମନବୃତ୍ତିକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। କ୍ୟାମ୍ପବେଲ କହିଛନ୍ତି ସେ ନିଜେ ଘଟଣାସ୍ଥଳ ଗସ୍ତ କରିଥିଲେ ଓ ଏ ବାବଦେ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଭେଟିଛନ୍ତି। ଏହି ଦୁର୍ଘଟଣାର ଯାଞ୍ଚରେ ଏୟାର ଇଣ୍ଡିଆ ପୂର୍ଣ୍ଣ ସହଯୋଗ କରିବ ଓ ପୀଡ଼ିତ ପରିବାରଙ୍କ ସହିତ ଦୀର୍ଘ କାଳ ଧରି ସଂଯୁକ୍ତ ରହିବ ବୋଲି ମଧ୍ୟ ସେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.