ଦେଶର ଏପରି ଏକ ଗାଁ; ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ କୌଣସି ବ୍ୟକ୍ତି ଏପର୍ଯ୍ୟନ୍ତ ଦେଇନାହାଁନ୍ତି ଭୋଟ ?

Published By : Prameya-News7 Bureau | June 28, 2025 IST

ଭାରତର ସବୁ ନାଗରିକଙ୍କର ଭୋଟ ଦେବାର ଅଧିକାର ରହିଛି । ପ୍ରତି ୫ବର୍ଷରେ ଥରେ ନିର୍ବାଚନ ହୁଏ । ସାଧାରଣ ଜନତା ନିଜ ମୁଖିଆଙ୍କୁ ଚୟନ କରିଥାନ୍ତି । କିନ୍ତୁ ଜାଣନ୍ତି କି  ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଉତ୍ତରାଖଣ୍ଡରେ ଏକ ଏପରି ଗାଁ ରହିଛି ଯେଉଁଠି କୌଣସି ବ୍ୟକ୍ତି ଏପର୍ଯ୍ୟନ୍ତ ଭୋଟ ଦେଇନାହାଁନ୍ତି ? ଆସନ୍ତୁ ଜାଣିବା ଏହା ପଛର କାରଣ…

ଉତ୍ତରାଖଣ୍ଡର ନୈନିତାଲରେ ତଲ୍ଲା ବୋଥୋନ୍ ନାମକ ଏକ ଗାଁ ରହିଛି । ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଏହି ଗ୍ରାମରେ କୌଣସି ବ୍ୟକ୍ତି ପ୍ରଧାନୀଙ୍କୁ ଭୋଟ ଦେଇନାହାଁନ୍ତି । ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ଗ୍ରାମରେ ୧୦୦ଜଣ ପ୍ରଧାନ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଭୋଟ ଦେବାର ପରିସ୍ଥିତି କେବେ ସୃଷ୍ଟି ହୋଇନାହିଁ । ପ୍ରତ୍ୟେକଥର ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୁଅନ୍ତି ପ୍ରଧାନ । ସେହି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ଯାଆନ୍ତି, ଯାହାକୁ ଗାଁ ଲୋକେ ପାରସ୍ପରିକ ସହମତିରେ ବାଛିଛନ୍ତି । 

ଏହି ଗ୍ରାମର ଏକ ନିୟମ ଅଛି, ଗ୍ରାମ ପ୍ରଧାନ ବାଛିବା ସମୟରେ ବୟସ୍କ ଏବଂ ସମସ୍ତ ଲୋକଙ୍କ ସମ୍ମତିକୁ ବିଚାରକୁ ନିଆଯାଏ। ଗ୍ରାମର ସମସ୍ତ ଲୋକ ଯାହାଙ୍କ ଉପରେ ସହମତ ହୁଅନ୍ତି ତାଙ୍କୁ ଗ୍ରାମ ପ୍ରଧାନ ଭାବରେ ମନୋନୀତ କରାଯାଏ। ତଥାପି ପ୍ରଧାନଙ୍କ ନିର୍ବାଚନ ସମୟରେ ସେହି ବ୍ୟକ୍ତିଙ୍କୁ ଚୟନ କରାଯାଏ ଯିଏ ଗ୍ରାମର ବିକାଶରେ ଯୋଗଦାନ ଦେଇପାରିବେ । ଗ୍ରାମର ସମସ୍ତ ଆବଶ୍ୟକତା ପୂରଣ କରୁଥିବେ । ଏହି କାରଣରୁ ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଏହି ଗ୍ରାମର ଲୋକମାନେ ଏପର୍ଯ୍ୟନ୍ତ ଭୋଟ ଦେଇନାହାଁନ୍ତି। 

ଏବେ ପ୍ରଶ୍ନ ଉଠୁଛି ନିର୍ବାଚନ ନହେଲେ ଗ୍ରାମବାସୀଙ୍କୁ କଣ ଲାଭ ହୋଇଥାଏ ? ଗ୍ରାମବାସୀଙ୍କ ଅନୁଯାୟୀ ସର୍ବସମ୍ମତିକ୍ରମେ ପ୍ରଧାନଙ୍କୁ ବାଛିବା ଯୋଗୁଁ ନିର୍ବାଚନ ପାଇଁ ଖର୍ଚ୍ଚ ଅର୍ଥ ସଞ୍ଚୟ ହୁଏ। ସେହି ଟଙ୍କା ଗ୍ରାମର ବିକାଶରେ ବ୍ୟବହୃତ ହୁଏ । ଏହି ଗାଁ ନୀବ କରୋଲି ବାବାଙ୍କ କୈଞ୍ଚି ଧାମରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ । ଯେଉଁଠାରେ ପକ୍କା ରାସ୍ତା, ବିଦ୍ୟୁତ୍ ଏବଂ ପାଣି ଭଳି ସୁବିଧା ଉପଲବ୍ଧ । ଏହାବ୍ୟତୀତ ଗାଁରେ ସୌର ଲାଇଟ୍ ମଧ୍ୟ ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.