ନୂଆଦିଲ୍ଲୀ ୨୩।୦୭: ରାଜ୍ୟପାଳ ଓ ରାଷ୍ଟ୍ରପତି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇପାରିବେ କି ନାହିଁ ? ଏନେଇ ନେଇ ରାଷ୍ଟ୍ରପତିଙ୍କ ରେଫରେନ୍ସ ମତାମତ ଲୋଡିବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟକୁ ଜାରି କରିଛନ୍ତି ନୋଟିସ୍ । ଏଥିସହ ଅଗଷ୍ଟ ମଧ୍ୟଭାଗରେ ଏହି ମାମଲାର ବିସ୍ତୁତ ଶୁଣାଣି ଆରମ୍ଭ ହେବ ବୋଲି ଅଦାଲତ ସଙ୍କେତ ଦେଇଛନ୍ତି ।
ପ୍ରଧାନବିଚାରପତି ଜଷ୍ଟିସ୍ ଭୂଷଣ ଆର୍ ଗଓ୍ବାଇଙ୍କ ନେତୃତ୍ବରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ନୋଟିସ୍ ଦେଇ କହିଛନ୍ତି ଯେ ଏହି ମାମଲାର ଫଳାଫଳ କେବଳ ତାମିଲନାଡୁ ପାଇଁ ନୁହେଁ ବରଂ ସମଗ୍ର ଦେଶରେ ପ୍ରଭାବ ପକାଇବ । ଏହି ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଉଛନ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟି,ସ ବିକ୍ରମ ନାଥ, ଜଷ୍ଟିସ୍ ପିଏସ୍ ନରସିଂହ ଓ ଜଷ୍ଟିସ୍ ଅତୁଲ ଏସ୍ ଚାନ୍ଦୁରକର ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୨୯ ତାରିଖରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ ।
ଅଗଷ୍ଟ ମଧ୍ୟଭାଗରେ ମାରାଥନ ଶୁଣାଣି ଆରମ୍ଭ କରିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି । ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣି ଓ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କ ଉପସ୍ଥିତିରେ ସର୍ବୋଚ୍ଚ ଅଦାଲତ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଟର୍ଣ୍ଣି ଜେନେରାଲ୍ ଖଣ୍ଡପୀଠଙ୍କୁ କହିଥିଲେ ଯେ ସେ ଅଦାଲତଙ୍କୁ ସହଯୋଗ କରିବେ ଏବଂ କେନ୍ଦ୍ର ସରକାର ମଧ୍ୟ ଏଥିରେ ଯୋଗ ଦେବେ ।
ତାମିଲନାଡୁ ପକ୍ଷରୁ ବରିଷ୍ଠ ଆଇନଜୀବି ପି ଓ୍ବିଲସନ ଓ କେରଳ ପକ୍ଷରୁ କେକେ ବେଣୁଗୋପାଳ ଏହି ମାମଲାର ବିଚାରଯୋଗ୍ୟତାକୁ ନେଇ ପ୍ରାଥମିକ ଆପତ୍ତି ଉଠାଇଥିଲେ । କିନ୍ତୁ ଖଣ୍ଡପୀଠ କହିଥିଲେ ଯେ ଉଠାଯାଇଥିବା ଆଇନଗତ ପ୍ରସଙ୍ଗ ଗୁଡିକ ସମସ୍ତ ରାଜ୍ୟକୁ ସମାନ ଭାବରେ ପ୍ରଭାବିତ କରିବ । ତେଣୁ ଏହାର ବ୍ୟାପକ ସମାଧାନ ହେବା ଆବଶ୍ୟକ ।