ଜୁନ୍ ୧୯ରେ ମହାକାଶ ଯାତ୍ରା କରିବେ ଶୁଭାଂଶୁ ଶୁକ୍ଳା, ISRO ପକ୍ଷରୁ ସୂଚନା

Published By : Prameya-News7 Bureau | June 15, 2025 IST

ମୁମ୍ଵାଇ ୧୫।୦୬; ଭାରତୀୟ ବାୟୁସେନାର ପାଇଲଟ୍ ତଥା ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା। ତାଙ୍କ ମହାକାଶ ଅଭିଯାନର ନୂଆ ତାରିଖ ଘୋଷଣା ହୋଇଛି । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାର ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଜୁନ୍ ୧୯ ଗୁରୁବାର, ୨୦୨୫ରେ ମହାକାଶ ଯାତ୍ରା କରିବ ଅକ୍ସିଅମ୍-୪ । ନାସାର ଫ୍ଲୋରିଡା କେନେଡି ସ୍ଥିତ ସ୍ପେସ୍‌ ଷ୍ଟେସନରେ ଏହାକୁ ଲଞ୍ଚ କରାଯିବ । 

ଏହା ପୂର୍ବରୁ ପ୍ରତିକୂଳ ପାଗ ଏବଂ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ମିସନକୁ ସ୍ଥଗିତ ରଖାଯାଇଥିଲା । ଅକ୍ସିଅମ୍ ସ୍ପେସ୍, ସ୍ପେସ୍X ଏବଂ ଇସ୍ରୋର ଏହା ମିଳିତ ଅଭିଯାନ । ଅକ୍ସିଅମ-୪ ମିସନକୁ ପୂର୍ବରୁ ୨ଥର ସ୍ଥଗିତ ରଖିବାକୁ ପଡ଼ିଥିଲା । ମହାକାଶଚାରୀମାନେ ମେ’ ୨୯ରେ ପ୍ରସ୍ଥାନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏହାକୁ ଜୁନ୍ ୮କୁ ସ୍ଥଗିତ ରଖାଯାଇଥିଲା । ଏହା ପରେ ଏହାକୁ ଜୁନ୍ ୧୦କୁ ସ୍ଥଗିତ ରଖାଯାଇଥିଲା ।  ରକେଟ୍‌ର ଏକ ଅଂଶରେ ତରଳ ଅମ୍ଳଜାନର ଲିକ୍ ହେଉଥିବା ଦେଖିବାକୁ ମିଳିଥିଲା । ଏପରି ଯାନ୍ତ୍ରିକ ତ୍ରୁଟିକୁ ସମ୍ପୂର୍ଣ୍ଣଭାବେ ଠିକ କରାଯାଇଥିବା ସ୍ପେସX ପକ୍ଷରୁ କୁହାଯାଉଛି । 

ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁଙ୍କ ସହ ପୋଲାଣ୍ଡର ସ୍ଲାଓସ୍ ଉଜନାନସ୍କି-ୱିସନିୱସ୍କି, ହଙ୍ଗେରିର ଟିବୋର୍ କାପୁ ଏବଂ ମିସନ କମାଣ୍ଡର ଆମେରିକୀୟ ମହାକାଶଚାରୀ ପେଗି ହ୍ୱିଟସନ୍ ଅଛନ୍ତି। । ଆଇଏସ୍‌ଏସ୍‌ରେ ୧୪ ଦିନ ରହଣି ସମୟରେ କ୍ରୁ ସଦସ୍ୟମାନେ ଅନେକ ପରୀକ୍ଷଣ କରିବେ। ଭାରତର ସ୍ୱଦେଶୀ ମହାକାଶ ମିସନ ମହାକାଶ ଯାତ୍ରା ପାଇଁ ମନୋନୀତ ଶୁଭାଂଶୁ ଶୁକ୍ଳା ଆଇଏସ୍‌ଏସ୍‌ ଯିବାରେ ପ୍ରଥମ ଭାରତୀୟ ହେବେ । ଏହା ସହିତ ମହାକାଶକୁ ଯାତ୍ରା କରିବାରେ ସେ ଦ୍ୱିତୀୟ ଭାରତୀୟ ହେବେ । ଏହା ପୂର୍ବରୁ ରାକେଶ ଶର୍ମା ୧୦୮୪ ମସିହାରେ ସୋଭିଏତ୍ ୟୁନିଅନର ସୋୟୁଜ୍ ମହାକାଶଯାନରେ ମହାକାଶ ଷ୍ଟେସନ ସାଲୁଟ୍ ୭କୁ ଯାଇଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.