ମହାକାଶରେ ସବୁଠୁ ଦୀର୍ଘ ସମୟ ବିତାଇବାରେ ପ୍ରଥମ ଭାରତୀୟ ମହାକାଶଚାରୀ ହେଲେ ଶୁଭାଂଶୁ ଶୁକ୍ଲା

Published By : Prameya-News7 Bureau | July 05, 2025 IST

ବେଙ୍ଗାଲୁରୁ ୫।୭: ଏକ୍ସିଓମ-୪ (ଏକ୍ସ-୪)ମିସନରେ ଜୁନ ୨୬ ତାରିଖ ଦିନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍) କୁ ପହଞ୍ଚିଥିବା ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କର ମହାକାଶରେ ୧୧ ଦିନ ପୁରିଛି। ଏହା ସହିତ ଶୁକ୍ଳା ମହାକାଶରେ ଅଧିକ ସମୟ ବିତାଇବାରେ ପ୍ରଥମ ଭାରତୀୟ ମହାକାଶଚାରୀ ପାଲଟିଛନ୍ତି। ଏକ୍ସ-୪ଚାଳକ ଦଳରେ ଶୁକ୍ଳାଙ୍କ ସହ ଅନ୍ୟ ୩ ଜଣ ମହାକାଶଚାରୀ ମଧ୍ୟ ଅଛନ୍ତି। ଏମାନେ ଜୁଲାଇ ୩ ତାରିଖ ସୁଦ୍ଧା ପୃଥିବୀକୁ ୧୧୩ଥର ପରିକ୍ରମା କରିଛନ୍ତି। 

ଏହିକ୍ରମରେ ମହାକାଶଚାରୀମାନେ ୪୦.୬୬ଲକ୍ଷରୁ ଅଧିକ କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି, ଯାହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାର ପାଖାପାଖି ୧୨ ଗୁଣା ଅଧିକ। ଶୁକ୍ଳା ଏଏଚଏମ ରେଡିଓ କନେକ୍ସନରେ ବେଙ୍ଗାଲୁରୁସ୍ଥିତ ୟୁ.ଆର.ରାଓ ଉପଗ୍ରହ କେନ୍ଦ୍ର (ୟୁଆରଏସସି)ର ବୈଜ୍ଞାନିକଙ୍କ ସହିତ ସଂକ୍ଷିପ୍ତ ଆଲୋଚନାରେ କହିଛନ୍ତି ଯେ ‘ଏହା ଏକ ଭଲ କ୍ଷଣ।ଆମକୁ ବିଭିନ୍ନ ଦେଶର ଭୋଜନ ମିଳୁଛି ଓ ଏହାକୁ ଆମେ ସବୁ ସଦସ୍ୟଙ୍କ ମଧ୍ୟରେ ବାଣ୍ଟିଛୁ‘। 

ଶୁଭାଂଶୁ ଶୁକ୍ଳା ଗୁରୁବାର ଦିନ ମହାକାଶରେ ଅଧିକ ସମୟ ବିତାଇଥିବା ପ୍ରଥମ ଭାରତୀୟ ମହାକାଶଚାରୀ ପାଲଟିଥିଲେ। ଶୁକ୍ଳା ମହାକାଶ ରହଣୀରେ ପ୍ରଥମ ଭାରତୀୟ ମହାକାଶଚାରୀ ରାକେଶ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି।ଶର୍ମା ୧୯୮୪ ମସିହାରେ ସୋଭିୟେତ ଇଣ୍ଟରକସମସ୍ କାର୍ଯ୍ୟକ୍ରମରେ ମହାକାଶରେ ୭ ଦିନ ୨୧ ଘଣ୍ଟା ଓ ୪୦ ମିନିଟ୍ ବିତାଇଥିଲେ। ଗତ ଗୁରୁବାର ଦିନ ସୁଦ୍ଧା ଶୁକ୍ଳା ମହାକାଶ କେନ୍ଦ୍ରରେ ୯ ଦିନ ବିତାଇଛନ୍ତି। ଶୁକ୍ଳା କହିଛନ୍ତି ଯେ ମିସନର ସବୁଠୁ ରୋମାଞ୍ଚକର ମୁହୂର୍ତ୍ତ ହେଉଛି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ପୃଥିବୀକୁ ଦେଖିବା। 

ଶୁକ୍ଳା କହିଛନ୍ତି ଯେ ବିଭିନ୍ନ ଦେଶର ଲୋକଙ୍କ ସହିତ କାମ କରିବା ମଧ୍ୟ ଏଠାରେ ଏକ ରୋମାଞ୍ଚକର ଅନୁଭବ। ସେହିପରି ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ପ୍ରକ୍ଷେପଣର ନିଜ ଅନୁଭୂତି ସମ୍ପର୍କରେ ଶୁକ୍ଳା କହିଛନ୍ତି ଯେ ଲଞ୍ଚିଂ କାଳରେ ରକେଟ ଦ୍ରୁତବେଗରେ ଗତି କରୁଥିଲା। ଏହା ବେଶ୍ ଦ୍ରୁତ ଥିଲା, ଯେପରି ଆପଣ ଅଧିକ ଉପରକୁ ଉଠିବାରେ ଲାଗନ୍ତି ଦ୍ରୁତ ଗତିରେ ଆଗକୁ ବଢନ୍ତି ଏହି ସମୟରେ ତ୍ୱରଣ (ବସ୍ତୁର ବେଗରେ ପରିବର୍ତ୍ତନର ହାର) ବେଶ୍ ଅଧିକ ହେଉଥିଲା। 

ଏକ୍ସ-୪ ମିସନରେ ଅଭିଜ୍ଞ ମହାକାଶଯାତ୍ରୀ ପେଗ୍ଗି ହ୍ୱିଟସନ କମାଣ୍ଡର ଥିବା ବେଳେ ଶୁକ୍ଳା ପାଇଲଟ ଓ ପୋଲାଣ୍ଡ ଏବଂ ହଙ୍ଗେରୀର ମହାକାଶଚାରୀ ଯଥାକ୍ରମେ ମିସନ ବିଶେଷଜ୍ଞ ଭାବେ କାମ କରୁଛନ୍ତି। ଏକ୍ସ-୪ ମହାକାଶ ଯାତ୍ରୀମାନେ ବୈଜ୍ଞାନିକ ଗବେଷଣାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଏଥିରେ ଶୁକ୍ଳା ଚଳାଇଥିବା ଗବେଷଣାରୁ କୋଶିକିୟ ଆଣବିକ ତନ୍ତ୍ର ସମ୍ପର୍କରେ ସୂଚନା ମିଳିପାରେ, ଯାହା ପୃଥିବୀରେ ଚିକିତ୍ସକୀୟ ଜ୍ଞାନରେ ପରିବର୍ତ୍ତିତ ହୋଇପାରେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.