ଛାତ୍ରୀ ଯୌନ ନିର୍ଯାତନା ଘଟଣାରେ ଏତଲା ଦେଲେ ଉପ ଜିଲ୍ଲାପାଳ, କଲେଜ ଅଧ୍ୟକ୍ଷ-ଅଧ୍ୟାପକ ଫେରାର ସୂଚନା

Published By : Prameya-News7 Bureau | July 23, 2025 IST

ଜଗତସିଂହପୁର ୨୩।୭: ଜଗତସିଂହପୁର କୁର୍ତ୍ତାଙ୍ଗ ସ୍ଥିତ ସ୍ୱାମୀ ଅରୂପାନନ୍ଦ କଲେଜ ଛାତ୍ରୀ ଯୌନ ନିର୍ଯାତନା ଘଟଣାରେ ନୂଆ ମୋଡ଼ । ଅଭିଯୁକ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି  ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ । ଛାତ୍ରୀ ଯୌନ ନିର୍ଯାତନା ଘଟଣାରେ  ଉଭୟ ନିଲମ୍ବିତ ହୋଇଛନ୍ତି । ମଙ୍ଗଳବାର ଉଭୟ ଅଧ୍ୟାପକ ଶାଶ୍ୱତ ମହାନ୍ତି ଓ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳ ନିଲମ୍ବିତ କରିଥିଲେ । ଉପଜିଲ୍ଲାପାଳଙ୍କ ଏତଲା ଅନୁସାରେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷ ଛାତ୍ରୀ ଯୌନ ନିର୍ଯାତନା ଭଳି ସଙ୍ଗୀନ କେସ୍କୁ ଚପାଇ ଦେଇଥିଲେ  । 

ସୂଚନାଯୋଗ୍ୟ ଯେ, ସ୍ୱାମୀ ଅରୂପାନନ୍ଦ କଲେଜର ଗଣିତ ଅଧ୍ୟାପକ ଶାଶ୍ୱତ ମହାନ୍ତି ଜଣେ ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ବେଳେ ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହି ଘଟଣାରେ କମିଟି କରି ଅଧ୍ୟକ୍ଷ ଘଟଣାର ସତ୍ୟାସତ୍ୟ ଜାଣିଥିଲେ ହେଁ କଲେଜ ପରିଚାଳନା କମିଟିର ସଭାପତି ଉପଜିଲ୍ଲାପାଳଙ୍କୁ ଜଣାଇ ନଥିଲେ । ଫଳରେ ସମ୍ପୃକ୍ତ ଛାତ୍ରୀ ଜଣକ ନ୍ୟାୟ ପାଇନଥିଲେ । ଏହି ଘଟଣାରେ ସଂପୃକ୍ତ ଗଣିତ ଅଧ୍ୟାପକ ନିଜର ଭୁଲ ସ୍ୱୀକାର କରି ଆପୋଷ ବୁଝାମଣା ଅଥବା ଚାପ ପ୍ରୟୋଗ କରି କଲେଜ ମଧ୍ୟରେ ଘଟଣାକୁ ଚପାଇ ଦେଇଥିଲେ । ଏହି ଘଟଣା ଗଣମାଧ୍ୟମ ଜରିଆରେ ପଦାକୁ ଆସିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ତଦନ୍ତ ପାଇଁ ଆସିବା ପରେ ଜିଲ୍ଲାପାଳ ଆକ୍ସନ ମୋଡ୍‌କୁ ଆସିଥିଲେ । ମଙ୍ଗଳବାର ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେହେରା ଓ ଗଣିତ ଅଧ୍ୟାପକ ଶାଶ୍ୱତ ମହାନ୍ତିଙ୍କୁ ନିଲମ୍ବିତ କରାଯାଇଥିଲା । ଏହି ଘଟଣାରେ ଉପଜିଲ୍ଲାପାଳ ଜଗତସିଂହପୁର ଥାନାରେ ଜିରୋ ଏଫଆଇଆର କରିବା ପରେ ଏତଲାକୁ ଜଗତସିଂହପୁର ଥାନାରୁ ରଘୁନାଥପୁର ଥାନାକୁ ପଠାଇ ଦିଆଯାଇଥିଲା । ରଘୁନାଥପୁର ଥାନା ପକ୍ଷରୁ ଉପଜିଲ୍ଲାପାଳଙ୍କ ଏତଲାକୁ ଭିତ୍ତିକରି ପୋକ୍ସୋ ଆକ୍ଟରେ କେଶ ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି  । ଅନ୍ୟପଟେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି ।

You Can Read:

ପ୍ରେମିକାର ନାରକୀୟ କାଣ୍ଡ, ଅନ୍ୟ ଯୁବକ ସହ ମିଶି କାଟିଦେଲା ପ୍ରେମିକର ବେକ...

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.