ଅଡ଼ୁଆରେ ମହମ୍ମଦ ୟୁନୁସ୍‌ , ପ୍ଲେନ୍‌ କ୍ରାସ୍‌ ପରେ ଉତ୍ତେଜିତ ଛାତ୍ରଛାତ୍ରୀ ସରକାରୀ ବିଲ୍ଡିଂରେ ପଶି କଲେ ବିକ୍ଷୋଭ

Published By : Prameya-News7 Bureau | July 22, 2025 IST

ନୂଆଦିଲ୍ଲୀ : ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଉପରୁ ଉଠିବାରେ ଲାଗିଛି ଲୋକଙ୍କ ଭରସା। ଢାକାରେ ହୋଇଥିବା ବିମାନ ଦୁର୍ଘଟଣା ନିଆଁରେ ଘିଅ ଢାଳିବା ଭଳି ହୋଇଛି। ଏହି ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୩୧ରେ ପହଞ୍ଚି ଥିବା ବେଳେ ଏଥିରେ ଅଛନ୍ତି ଅଧିକ ଶିଶୁ। ସୋମବାର ବାଂଲାଦେଶୀ ବାୟୁସେନାର ଚୀନ ବିମାନ ଏଫ-୭ ମାଇଲଷ୍ଟୋନ୍‌ ସ୍କୁଲ ଓ କଲେଜ ଉପରେ ଖସି ପଡ଼ିଥିଲା। ଏଥିରେ ଅତି କମ୍‌ରେ ୨୫ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି , ଯାହାଙ୍କ ବୟସ ୧୨ ବର୍ଷରୁ ବି କମ୍ ରହିଛି। 

ସରକାରୀ ବିଲ୍ଡିଂରେ ପଶିଗଲେ ବିକ୍ଷୋଭକାରୀ –

ଏବେ ବାଂଲାଦେଶର ଛାତ୍ରଛାତ୍ରୀ ସରକାରଙ୍କୁ ଏହି ଦୁର୍ଘଟଣାର ଜବାବ ମାଗିଛନ୍ତି। ମଙ୍ଗଳବାର ଯେତେବେଳେ ଦୁଇ ଜଣ ସରକାରୀ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଥିଲେ, ସେତେବେଳେ ଲୋକେ ତାଙ୍କୁ ଦେଖି ଖୁବ୍‌ ନାରାବାଜି କରିଥିଲେ। ଛାତ୍ରଛାତ୍ରୀମାନେ କହିଥିଲେ ,ଆମର ଭାଇମାନଙ୍କୁ କାହିଁକି ହତ୍ୟା କରାଗଲା ,ଆମେ ଏହାର ଉତ୍ତର ଚାହୁଁଛୁ। ରାଜଧାନୀ ଢାକାର ଅନେକ ସ୍ଥାନରେ ଲୋକେ ୟୁନୁସ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି। ସେଠାରେ ଶହ ଶହ ଲୋକ ହାତରେ ଲାଠି ଧରି କେନ୍ଦ୍ରୀୟ ସଚିବାଳୟରେ ପଶିଥିଲେ। ବାଂଲାଦେଶୀ ମିଡ଼ିଆ ଅନୁସାରେ , ପୁଲିସ ବିରୋଧ ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ କରି ଦେଇଥିଲେ।

ଯେଉଁ ସ୍କୁଲରେ ବିମାନ ପଡ଼ିଥିଲା , ସେଠାରୁ ଭଗ୍ନାବଶେଷ ହଟେଇବାର କାର୍ଯ୍ୟ ଏବେ ବି ଜାରି ରହିଛି। ନିଜର ୯ ବର୍ଷିୟା ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଅବୁଲ ହୁସୈନ କହିଛନ୍ତି, ମୁଁ ସକାଳୁ ତାକୁ ସ୍କୁଲ ଛାଡ଼ିବାକୁ ଆସିଥିଲି। ମୁଁ ଜାଣି ନଥିଲି ଯେ, ମୁଁ ଶେଷଥର ପାଇଁ ତାକୁ ଦେଖୁଛି। ରୁବିନା ଅଖତର କହିଛନ୍ତି , ତାଙ୍କର ପୁଅ ରୟାନ କୌଣସି ପ୍ରକାରେ ରକ୍ଷା ପାଇ ଯାଇଛନ୍ତି। ସିଡ଼ିରୁ ଓହ୍ଲାଇବା ବେଳେ ତାଙ୍କର ସାର୍ଟରେ ନିଆଁ ଲାଗି ଯାଇଥିଲା। ଏହାପରେ ସେ ଘାସ ଉପରକୁ ଡ଼େଇଁ ଗଡ଼ିବାକୁ ଲାଗିଲେ। ସେ ନିଜର ସାର୍ଟ ଚିରି ଦେଇଥିଲେ। ବାଂଲାଦେଶର ସେନା ବୟାନ ଜାରି କରି କହିଛି ଯେ, ଏହି ଦୁର୍ଘଟଣାରେ ୩୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧୬୫ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ଏଥିରୁ ୭୦ ଜଣଙ୍କ ଚିକିତ୍ସା ଚାଲୁଛି। ଦୁର୍ଘଟଣା ପରେ ବାଂଲାଦେଶ ସରକାର ଗୋଟିଏ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି।

ବିରୋଧ ପ୍ରଦର୍ଶନକାରୀ କହିଛନ୍ତି , ସରକାର ମୃତକଙ୍କ ତାଲିକା ସାର୍ବଜନିକ କରିବା ଉଚିତ୍‌। ମହମ୍ମଦ ୟୁନୁସ୍‌ କହିଛନ୍ତି ଯେ, ଅନ୍ତରୀଣ ସରକାର, ସେନା ,ସ୍କୁଲ ଓ ହସ୍ପିଟାଲ ପ୍ରଶାସନ ମିଶି ମୃତକଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଘନ ଜନବସତି ଅଞ୍ଚଳରେ ଟ୍ରେନିଂ ନଦେବାକୁ କୁହାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.