ବାଂଲାଦେଶ ବିଶ୍ବକପ୍ ଖେଳିବାକୁ ଭାରତ ଆସିବ ନା ନାହିଁ ? ଆଇସିସି କରିବ ଫୈସଲା

NEWS7
student-strike-in-konarka

ନୂଆଦିଲ୍ଲୀ: ମୁସ୍ତାଫିଜୁର ରହମାନ ବିବାଦ ଏବେ ବାଂଲାଦେଶ କ୍ରିକେଟ ବୋର୍ଡ, ବାଂଲାଦେଶୀ କ୍ରିକେଟର, ଆଇସିସି, ବିସିସିଆଇ ଏବଂ ବିଶ୍ୱବ୍ୟାପୀ କ୍ରିକେଟ ପ୍ରେମୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାତ୍ର ୨୦ ଦିନ ବାକି ଅଛି। ବାଂଲାଦେଶ କ୍ରିକେଟ ଦଳ ପାଖରେ ମ୍ୟାଚ୍ ପୂର୍ବରୁ ସାତ ଦିନର ଅଭ୍ୟାସକୁ ବାଦ ଦେବା ପରେ ଦୁଇ ସପ୍ତାହ ମଧ୍ୟ ବାକି ନାହିଁ।

ଏହାରି ମଧ୍ୟରେ ଆଇସିସି ଅଧିକାରୀମାନେ ଏହି ସମସ୍ୟାର ସମାଧାନ ପାଇଁ ବାଂଲାଦେଶ ଯାଉଛନ୍ତି। ଚାରି ଦିନ ପୂର୍ବରୁ (ଜାନୁଆରୀ ୧୩, ୨୦୨୬), ବାଂଲାଦେଶ କ୍ରିକେଟ୍ ବୋର୍ଡ ଏବଂ ICC ଅଧିକାରୀଙ୍କ ମଧ୍ୟରେ ଏକ ଭିଡିଓ କନଫରେନ୍ସ ହୋଇଥିଲା। ଏବେ, ଆଇସିସି ଅଧିକାରୀମାନେ ଢାକା ଯାତ୍ରା କରି ବିସିବି ଅଧିକାରୀମାନଙ୍କୁ ଭେଟିବେ । ସୁରକ୍ଷା ପ୍ରସ୍ତୁତି, ରଣନୀତି ଏବଂ ଯୋଜନା ଅନୁଯାୟୀ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଆସିବାକୁ ବିସିବିକୁ ରାଜି କରାଇବେ ଆଇସିସି ଅଧିକାରୀ ।

ବାମହାତୀ ପେସର ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ ଏବଂ କୋଲକାତା ନାଇଟ୍ ରାଇଡର୍ସରୁ ବାହାର କରିବା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ସୁରକ୍ଷା ପ୍ରସଙ୍ଗ ଉଠାଇ T20 ବିଶ୍ୱକପ୍ ଖେଳିବା ପାଇଁ ବାଂଲାଦେଶ ଦଳକୁ ଭାରତ ପଠାଇବାକୁ ମନା କରି ଦେଇଥିଲା। ଆଇସିସି ଏବଂ ବିସିବିର ଭର୍ଚୁଆଲ୍ ବୈଠକ ପରେ ବଂଲାଦେଶ ବୋର୍ଡର ଅଧିକାରୀମାନେ ଆଇସିସିର ଆଭ୍ୟନ୍ତରୀଣ ତଦନ୍ତ ରିପୋର୍ଟକୁ ଲିକ୍ କରିଥିଲେ।

ମୁସ୍ତାଫିଜୁରଙ୍କୁ କୋଲକାତା ନାଇଟ୍ ରାଇଡର୍ସରୁ ବାହାର କରାଯିବାର ପ୍ରାୟ ଦୁଇ ସପ୍ତାହ ବିତିଗଲାଣି । ପ୍ରଥମ ଥର ପାଇଁ ICC ଏବଂ BCB ଅଧିକାରୀମାନେ ସିଧାସଳଖ ସାକ୍ଷାତ ଆଲୋଚନା କରିବେ। ବାଂଲାଦେଶ କ୍ରିକେଟ୍ ବୋର୍ଡ ଏହାର ମ୍ୟାଚଗୁଡ଼ିକୁ ଭାରତରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ କରାଯାଉ ବୋଲି ଦାବି କରିଛି । ଆଇସିସି ପ୍ରଥମେ ବିସିବିର ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା।

ଅନ୍ୟପକ୍ଷରେ ଆଇସିସି ଏବଂ ବିସିବି ବୈଠକରେ ଅନେକ ବିକଳ୍ପ ଉପରେ ଆଲୋଚନା ହୋଇପାରେ:

ପ୍ରଥମ ବିକଳ୍ପସୁରକ୍ଷା ଅଧିକାରୀଙ୍କ ତଥ୍ୟ ଆଧାରରେ ଆଇସିସି, ବିସିବିକୁ ବୁଝାଇବାକୁ ଚେଷ୍ଟା କରିପାରେ । ସେପଟେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଲୋକଙ୍କୁ ନାରାଜ କରିବାକୁ ଚାହିଁବନି ବିସିବି । ବାଂଲାଦେଶରେ କ୍ରିକେଟ ପ୍ରେମୀଙ୍କ ସଂଖ୍ୟ କିଛି କମ୍ ନାହିଁ ।

ଦ୍ୱିତୀୟ ବିକଳ୍ପଏମିତି ହୋଇପାରେ, ବାଂଲାଦେଶ କ୍ରିକେଟ୍ ବୋର୍ଡ ICCର ପ୍ରସ୍ତାବଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବ । କିନ୍ତୁ ଏହା ବାଂଲାଦେଶ କ୍ରିକେଟ୍ ବୋର୍ଡ ପାଇଁ ଯଥେଷ୍ଟ କ୍ଷତି ଆଣିପାରେ। ପ୍ରଶଂସକଙ୍କ ଅସନ୍ତୋଷ କେଉଁ ରୂପ ନେବ ତାହା ମଧ୍ୟ ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ।

ତୃତୀୟ ବିକଳ୍ପବାଂଲାଦେଶ ଭାରତରେ ଧାର୍ଯ୍ୟ ସ୍ଥାନରେ ନଖେଳି ତୃତୀୟ ବିକଳ୍ପ ବାଛିପାରେ । ତ୍ରିଭେନ୍ଦ୍ରମ ଏବଂ ଚେନ୍ନାଇକୁ ସମ୍ଭାବ୍ୟ ସ୍ଥାନ ଭାବରେ ପୂର୍ବରୁ ନାମିତ କରାଯାଇଛି।

ଚତୁର୍ଥ ବିକଳ୍ପବର୍ତ୍ତମାନ ପାଇଁ କୌଣସି ସହମତି ନହୋଇପାରେ ଏବଂ ଅଧିକ ଆଲୋଚନା ପାଇଁ ମାମଲାକୁ ସ୍ଥଗିତ ରଖାଯାଇପାରେ । ଏହି କ୍ଷେତ୍ରରେ, ବାଂଲାଦେଶ କ୍ରିକେଟ୍ ଦଳର ବିଶ୍ୱକପ୍ ପାଇଁ କାଉଣ୍ଟଡାଉନ୍ ଆହୁରି କମ୍ ହେବ। ସମୟ ସରି ଆସୁଛି - ବିଶ୍ୱକପର ପ୍ରଥମ ମ୍ୟାଚ୍ ଫେବୃଆରୀ ୭ ତାରିଖରେ ଅନୁଷ୍ଠିତ ହେବ।

ପଞ୍ଚମ ବିକଳ୍ପବାଂଲାଦେଶର ସ୍ଥାନୀୟ ଗଣମାଧ୍ୟମରେ ଏହା ମଧ୍ୟ ଆଲୋଚନା ହେଉଛି ଯେ, ଯଦି ଆଇସିସି ଏବଂ ବିସିବି ମଧ୍ୟରେ ଆଲୋଚନା ସଫଳ ନହୁଏ ଏବଂ ବାଂଲାଦେଶ T-20 ବିଶ୍ୱକପର ନଖେଳେ, ତେବେ ପରବର୍ତ୍ତୀ ଶ୍ରେଷ୍ଠ T-20 ଦଳ, ଆୟର୍ଲାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରାଯିବ।

ସୂଚନାଯୋଗ୍ୟ, ବାଂଲାଦେଶକୁ ଟି-୨୦ ବିଶ୍ୱକପ୍ ପାଇଁ ଗ୍ରୁପ୍ ସିରେ ଇଂଲଣ୍ଡ, ଇଟାଲୀ, ନେପାଳ ଏବଂ ୱେଷ୍ଟଇଣ୍ଡିଜ୍ ସହିତ ସାମିଲ କରାଯାଇଛି। ବାଂଲାଦେଶ ଫେବୃଆରୀ ୭ ତାରିଖରେ କୋଲକାତାର ଇଡେନ୍ ଗାର୍ଡେନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଶ୍ୱକପର ପ୍ରଥମ ମ୍ୟାଚ୍ ଖେଳିବା ନେଇ କ୍ରୀଡାସୂଚୀ ପ୍ରକାଶ ପାଇଛି ।