ଜଗତସିଂହପୁର ୨୯/୦୭: ବିବାଦରେ ଗଣିତ ଅଧ୍ୟାପକ । ପାଖରେ ଟିଉସନ ନହେବାରୁ ପରୀକ୍ଷାରେ ନମ୍ବର କାଟିଦେଲେ । ଅଧ୍ୟାପକଙ୍କ ନାଁରେ ଜଣେ ଛାତ୍ରୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ତାଙ୍କ ପାଖରେ ଟିଉସନ ନହେବାରୁ ଅଧ୍ୟାପକ ଜଣକ ତାଙ୍କୁ ପୂର୍ବରୁ ଧମକ ଦେଇଥିଲେ । ଏବେ ଯୁକ୍ତ ଦୁଇ ଇଣ୍ଟରନାଲ ପରୀକ୍ଷାରେ ନମ୍ବର ଆକ୍ରୋସମୂଳକ ଭାବରେ କାଟି ଦେଇଥିବାର ଛାତ୍ରୀ ଜଣଙ୍କ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜଗତସିଂହପୁର ଆଦିକବି ସାରଳା ଦାସ ଘଟଣାକୁ ନେଇ ଚର୍ଚ୍ଚା ହୋଇଛି ।
ସାର୍ କହିଥିଲେ ମୋ ପାଖରେ ଟିଉସନ ହୁଅ ନହେଲେ ଆଗକୁ ଭୋଗିବ । ପୂର୍ବରୁ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଏପରି ଧମକ ଦେଇଥିଲେ ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ କଲେଜର ଜଣେ ଗଣିତ ଅଧ୍ୟାପକ । ଆଉ ପରୀକ୍ଷାରେ ତାହାହିଁ କରି ଦେଖାଇଦେଲେ ସାର । ପୂର୍ବ ଧମକ ଅନୁସାରେ ନମ୍ବର କାଟିବାକୁ ପଛାଇଲେ ନାହିଁ । ଯୁକ୍ତ ଦୁଇ ଫାଇନାଲ ପରୀକ୍ଷାରେ ବିଜ୍ଞାନ ଛାତ୍ରୀ ଜଣକ ଗଣିତ ଥିଓରୀ ପେପରରେ
୮୦ ମାର୍କରୁ ୭୮ ମାର୍କ ରଖିଥିବା ବେଳେ ଇଣ୍ଟରନାଲ ପେପରରେ ୨୦ ମାର୍କରୁ ତାଙ୍କୁ ମାତ୍ର ୧୩ ମାର୍କ ଦେଇଛନ୍ତି ସମ୍ପୃକ୍ତ ଅଧ୍ୟାପକ । ଫଳରେ ଛାତ୍ରୀ ଜଣକ ୯୦ ପ୍ରତିଶତ ମାର୍କ ରହିବାରୁ ବଂଚିତ ହେବାସହ ବିଭିନ୍ନ ବୃତ୍ତି ପରୀକ୍ଷା ଦେବାକୁ ବଞ୍ଚିତ ହେବା ନେଇ ଆଶଙ୍କାରେ ରହିଛନ୍ତି । ଛାତ୍ରୀ ଜଣକ ଏ ବାବଦରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅବଗତ କରାଇଛନ୍ତି । ସେପଟେ ଛାତ୍ରୀ ଜଣକ ପୁଣି ସେହି କଲେଜରେ ଯୁକ୍ତ ତିନି ପଢୁଥିବାରୁ ଗଣମାଧ୍ୟମ ଆଗରେ କିଛି କହିବାକୁ ଭୟ କରିଛନ୍ତି ।
ବାପା ପ୍ରତିକ୍ରିୟାରେ କହିଛନ୍ତି ଯେ, ଏ ବାବଦରେ ସମ୍ପୃକ୍ତ ଅଧ୍ୟାପକଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ଆମେ । ହେଲେ ଅଧ୍ୟାପକ ଛାତ୍ରୀଙ୍କ ଅଭିଯୋଗକୁ ଅସ୍ୟୁକାର କରିବା ସହ ସେ ତାଙ୍କୁ କୌଣସି ଧମକ ଦେଇନଥିବାର ସଫେଇ ଦେଇଛନ୍ତି । ଅପରପକ୍ଷରେ ଏ ବାବଦରେ ଅଭିଯୋଗ ପାଇବା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବାର କଲେଜର ଅଧ୍ୟକ୍ଷା କହିଛନ୍ତି ।
ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏହାର ସଠିକ ଯାଞ୍ଚ କରିବା ସହ ଅଧ୍ୟାପକ ମାନେ କଟକଣା ସତ୍ତ୍ୱେ କିପରି କୋଚିଂ ସେଣ୍ଟର କରି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ଓ ମାନସିକ ଶୋଷଣ କରିଚାଲିଛନ୍ତି ତାହାର ଉପଯୁକ୍ତ ତଦନ୍ତ କରି ବିହିତ ପଦକ୍ଷପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।