କଟକ: କଟକ ମହାନଗର ନିଗମରେ ଚାଲିଛି ବାବୁରାଜ। ଯନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ମନମାନି ଶିକାର ହେଉଛନ୍ତି କର୍ପୋରେଟର। ଏପରିକି ସିଏମସି ସ୍ୱାସ୍ଥ୍ୟ କମିଟିକୁ ଅଣଦେଖା କରି ପରିମଳ ବ୍ୟବସ୍ଥା ଲାଗି ଟେଣ୍ଡର ମଧ୍ୟ ହେଇଯାଉଛି। ଏଭଳି କିଛି ପ୍ରସଙ୍ଗକୁ ନେଇ ବୁଧବାର ସିଏମସି କାଉନସିଲ ବୈଠକରେ ତୁମ୍ବି ତୋଫାନ କରିଛନ୍ତି ବିଜେଡି ସଦସ୍ୟ।
ଏହି ସମୟରେ କିଛି ସମୟ ପାଇଁ ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷା ଏବଂ ମେୟର ସୁବାଷ ସିଂଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା। ସିଏମସିରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି ସତ, କିନ୍ତୁ ଆଜି ବିଜେଡି କର୍ପୋରେଟର ଏବଂ ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷା ଯେଭଳି ହଙ୍ଗାମା କରିଛନ୍ତି, ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ସୂଚନା ଅନୁସାରେ, ବୈଠକର ମୂଳ ପ୍ରସଙ୍ଗ ଥିଲା ବର୍ଷା ମୁକାବିଲା, ଜଳବନ୍ଦୀ ସମସ୍ୟା, କଟକ ସହରରେ ଯେପରି ଝାଡାବାନ୍ତି ନ ବ୍ୟାପିବ ସେନେଇ ପଦକ୍ଷେପ ଉପରେ ଆଲୋଜନା। ହେଲେ ପ୍ରଥମରୁ ହୋହଲ୍ଲା ଆରମ୍ଭ କରିଥିଲେ ବିଜେଡିର ସଦସ୍ୟମାନେ। କଟକ ପରିମଳ ବ୍ୟବସ୍ଥାକୁ ନେଇ ହୋଇଥିବା ଏକାଧିକ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ଆଣିଛନ୍ତି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷା।
ସେହିଭଳି କେତେକ ନିର୍ଦ୍ଧିଷ୍ଟ ଏଜେନ୍ସିମାନଙ୍କୁ ସିଏମସିର ଅଧିକାରୀ ଏବଂ ଯନ୍ତ୍ରୀ ମାନେ ଅହେତୁକ ଅନୁକମ୍ପା ଦେଖାଉ ଥିବାର ସଂଗୀନ ଆରୋପ ଆଣିଥିଲେ ସ୍ୱାସ୍ଥ୍ୟ କମିଟିର ଅଧକ୍ଷା ଏବଂ କମିଟିର ସଦସ୍ୟ ମାନେ। ଯାହାକୁ ଉଭୟ ବିଜେପି ଓ କଂଗ୍ରେସ କର୍ପୋରେଟର ମାନେ ସମର୍ଥନ କରିଛନ୍ତି। ତେବେ କମିଶନର ସଫେଇ ଦେଇ କହିଛନ୍ତି, ମ୍ୟୁନିସପାଲ ମାନୁଆଲ ଅନୁସାରେ ସମସ୍ତ କାର୍ଯ୍ୟ ହୋଇଛି ଏବଂ କାଉନସିଲ ଅନୁମୋଦନ ପରେହିଁ, ସମସ୍ତ ଟେଣ୍ଡର ହୋଇଛି ବୋଲି କହିଛନ୍ତି ସିଏମସି କମିଶନର।