ସେୟାର ବଜାର ଲଗାତାର ଦ୍ୱିତୀୟ ଦିନରେ କ୍ରାସ୍ ! ସେନସେକ୍ସ ୫୭୦ ପଏଣ୍ଟ ଖସିଲା, ନିବେଶକଙ୍କ କ୍ଷତି ୨.୧୦ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | June 13, 2025 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ବ୍ଲାକ୍ ଫ୍ରାଇଡେ୍ । ଘରୋଇ ପୁଞ୍ଜି ବଜାର ଶୁକ୍ରବାର ଲଗାତାର ଦ୍ୱିତୀୟ ଦିନରେ ବଡ଼ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ୫୭୩ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ଖସି ୨୪,୭୫୦ ତଳେ ବନ୍ଦ ହୋଇଛି । ଏହି କାରଣରୁ ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଇରାନ ଉପରେ ଇସ୍ରାଏଲ୍ ଆକ୍ରମଣ ଓ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁ ନିବେଶକଙ୍କ ଚିନ୍ତା ବଢିଛି । ଯେଉଁଥି ପାଇଁ ଆଜି ପ୍ରାୟ ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି । ବିଏସ୍‌ଇ ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ପ୍ରାୟ ୦.୩୦ ପ୍ରତିଶତ ହ୍ରାସ ପାଇଛି । ଇଣ୍ଡିଆ ଭୋଲାଟିଲିଟି ଇଣ୍ଡେକ୍ସ ୭ ପ୍ରତିଶତରୁ ଅଧିକ ବଢିଛି, ଯାହା ନିବେଶକଙ୍କ ବଢୁଥିବା ଚିନ୍ତାକୁ ଦର୍ଶାଉଛି ।  

କାରବାର ଶେଷରେ ବିଏସ୍‌ଇ ସେନ୍‌ସେକ୍ସ ୫୭୩.୩୮ ଅଙ୍କ ବା ୦.୭୦ ପ୍ରତିଶତ ଖସି ୮୧,୧୧୮.୬୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍‌ଏସ୍‌ଇ ନିଫ୍ଟି ୧୬୯.୬୦ ଅଙ୍କ ବା ୦.୬୮ ପ୍ରତିଶତ ହ୍ରାସ ପାଇ ୨୪,୭୧୮.୬୦ ହୋଇଛି ।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ଜୁନ୍ ୧୩ରେ ହ୍ରାସ୍ ପାଇ ୪୪୭.୪୮ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ଗୁରୁବାର ୪୪୯.୫୮ ଲକ୍ଷ କୋଟି ଟଙ୍କା ଥିଲା । ଏହି ପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୨.୧୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ବିଏସ୍‌ଇ ସେନ୍‌ସେକ୍ସ ୩୦ରୁ ୨୬ ସେୟାର ଆଜି ଲାଲ୍ ସଂକେତରେ ବନ୍ଦ ହୋଇଛି । ଏଥିରେ ଆଦାନୀ ପୋର୍ଟ୍ସର ସେୟାରରେ ସବୁଠୁ ଅଧିକ ୨.୬୧ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଅନ୍ୟପଟେ ଟେକ୍ ମହିନ୍ଦ୍ରା ସେୟାରରେ ୧.୦୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.