ନୂଆଦିଲ୍ଲୀ ୨୫।୭: ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ବୟାନ ରେକର୍ଡ । ଦିଲ୍ଲୀ ଏମ୍ସରେ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି । ଶନିବାର ଦିଲ୍ଲୀରୁ ଫେରିବେ ବଳଙ୍ଗା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ବୟାନ ରେକର୍ଡ ସମୟରେ ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରାଯାଇଛି । ବୟାନ ରେକର୍ଡ ସମୟରେ ଦିଲ୍ଲୀ ଏମ୍ସରେ ଥିଲେ ଜଣେ ଡାକ୍ତର, ସେହି ଅଞ୍ଚଳର ଜଣେ ମାଜିଷ୍ଟ୍ରେଟ୍, ବଳଙ୍ଗା ଥାନାର ଜଣେ ମହିଳା ASI, କ୍ରାଇମବ୍ରାଞ୍ଚର ଜଣେ ଅଫିସରଙ୍କ ସମେତ ପୀଡିତାଙ୍କ ପରିବାରର ଜଣେ ସଦସ୍ୟ ।
ସେପଟେ ଘଟଣାକୁ ୭ ଦିନ ହେଲାଣି ହେଲେ ଏବେ ବି ପୋଲିସ ହାତ ଖାଲି । ବଳଙ୍ଗାରେ ଡେରା ପକାଇ ଖୋଳତାଳ ଚଳାଇଛନ୍ତି କ୍ରାଇବ୍ରାଞ୍ଚ, ସ୍ପେଶାଲ ସ୍କ୍ବାଡ୍ ଓ ଗୁଇନ୍ଦା ବିଭାଗ । ଏପର୍ଯ୍ୟନ୍ତ ୨୦ରୁ ଅଧିକ ଲୋକଙ୍କ ଫୋନ୍ ଟ୍ରାକିଂ ଏବଂ ୪୦ରୁ ଅଧିକ ଲୋକଙ୍କୁ ପଚରା ଉଚରା ସରିଲାଣି । ତଥାପି ଘଟଣା ପଛର ରହସ୍ୟ ଉପରୁ ଉଠିପାରିନି ପରଦା । ଜୁଲାଇ ୧୯ ତାରିଖ, ଶନିବାର ଦିନ କିଏ ଓ କାହିଁକି ଜଣେ ନାବାଳିକାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ ? ଅଭିଯୋଗ ମୁତାବକ ୩ ଜଣ ଦୁର୍ବୃତ୍ତ କୁଆଡ଼େ ଗଲେ ? ନା’ ଘଟଣା ପଛରେ ଆଉ କିଛି ରହସ୍ୟ ଅଛି ? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ତଦନ୍ତକାରୀ ଟିମ୍ ପୂରା ଜୋର୍ ଲଗାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ବି ଖୁଲାସା ହୋଇନି । ୟା’ ଭିତରେ ଘଟଣାସ୍ଥଳରୁ ମିଳିଥିବା ଏକ ରୁପା ମୁଦିକୁ ନେଇ ଖୋଳତାଡ଼ କରିଛି ପୋଲିସ । ଗୁରୁବାର ରାତିରେ ବଳଙ୍ଗା ଅଞ୍ଚଳର ଦୁଇ ଜଣ ଜୁଏଲାରୀ ସପ୍ ମାଲିକଙ୍କୁ ଉଠାଇ ନେଇ ପଚରାଉଚରା ପରେ ତାଙ୍କ ଭିତରୁ ରୁପା ମୁଦିଟିକୁ ଚିହ୍ନିଥିଲେ କ୍ରୀଷ୍ଣା ଜୁଏଲାରୀର ମାଲିକ । ଦୁଇରୁ ଅଢ଼େଇ ମାସ ତଳେ ମୁଦିଟି ତାଙ୍କ ଦୋକାନରୁ କିଣାଯାଇଥିଲା ବୋଲି ସେ ମାନିଥିଲେ । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମୁଦି କିଣିବାକୁ ଦୁଇ ଜଣ ନାବାଳିକା ହିଁ ଆସିଥିଲେ ବୋଲି କ୍ରୀଷ୍ଣା ଜୁଏଲାରୀର ମାଲିକ କହିଛନ୍ତି ।
You Can Read:
ଏମ୍କେସିଜି ସୁପର ସ୍ପେଶାଲିଷ୍ଟ କୋଠାରୁ ପୁଣି ଖସିଲା ସିଲିଂ, ରୋଗୀ ଭୟଭୀତ