ୟୁରୋପରେ ସାଙ୍ଘାତିକ ଗ୍ରୀଷ୍ମ ପ୍ରବାହ, ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌

Published By : Prameya-News7 Bureau | July 01, 2025 IST

ମାଦ୍ରିଦ,୦୧/୦୭: ୟୁରୋପରେ ସାଙ୍ଘାତିକ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସ୍ପେନ୍‌ର ଅଧିକାଂଶ ଅଞ୍ଚଳରେ ତାପମାତ୍ରା  ୪୦ ଡିଗ୍ରୀ ପାର୍‌ କରିଛି। ଦେଶର ପାଣିପାଗ  ଏଜେନ୍ସି ‘ଏଇଏମ୍‌ଇଟି’ ମୁତାବକ, ଏଲ୍‌  ଗ୍ରେନାଡୋ ସହରରେ ତାପମାତ୍ରା ୪୬ ଡିଗ୍ରୀ  ଛୁଇଁଛି । ସ୍ପେନ୍‌ରେ ଜୁନ୍‌ ପାରଦ ୬୦ ବର୍ଷର  ରେକର୍ଡ ଭାଙ୍ଗିଥିବା ଜଣାପଡ଼ିଛି । ଏହା ପୂର୍ବରୁ  ୧୯୬୫ ଜୁନ୍‌ରେ ସର୍ବାଧିକ ତାପମାତ୍ରା  ୪୫.୨ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିଲା । 

ବର୍ତ୍ତମାନ ସ୍ପେନ୍‌ ସମେତ  ଫ୍ରାନ୍ସ, ଅଷ୍ଟ୍ରିଆ, ବେଲ୍‌ଜିୟମ୍‌, ବୋସନିଆ,  ହଙ୍ଗେରୀ, ସର୍ବିୟା, ସ୍ଲୋଭେନିଆ,  ହର୍ଜଗୋଭିନା ଓ ସ୍ୱିଜରଲାଣ୍ଡରେ ପ୍ରବଳ  ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହା ଆହୁରି  କିଛିଦିନ ବଳବତ୍ତର ରହିବା ନେଇ ଆଶଙ୍କା  କରାଯାଉଛି । ସେହିଭଳି ପର୍ତ୍ତୁଗାଲ, ଇଟାଲୀ ଓ କ୍ରୋଏସିଆରେ ଗ୍ରୀଷ୍ମ ପ୍ରବାହ ନେଇ  ରେଡ୍‌ ଆଲର୍ଟ ଜାରି ହୋଇଛି । ସ୍ପେନ୍‌ର ବାର୍ସିଲୋନା ସହରରେ ଜଣେ  ମହିଳା ସଫେଇ କର୍ମଚାରୀ ଅଂଶୁଘାତରେ  ପ୍ରାଣ ହରାଇଛନ୍ତି । 

ଇଟାଲୀରେ ବରିଷ୍ଠ  ନାଗରିକ, କ୍ୟାନ୍‌ସର ରୋଗୀ ଓ ବାସହୀନ  ଲୋକଙ୍କ ମଧ୍ୟରେ ଅଂଶୁଘାତ ମାମଲା ବୃଦ୍ଧି  ପାଇଛି । ଇଟାଲୀ ରାଜଧାନୀ ରୋମ୍‌ରେ ୭୦  ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକଙ୍କ ନିମନ୍ତେ  ସହରର ସ୍ୱିମିଂ ପୁଲ୍‌ରେ ମାଗଣା ସେବା  ଯୋଗାଇବା ନେଇ ଘୋଷଣା କରାଯାଇଛି । ପଶ୍ଚିମ ବାଲ୍‌କାନ ଦେଶଗୁଡ଼ିକରେ ବି  ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ  କରିଛି । ସର୍ବିୟାରେ ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଛି । ସ୍ଲୋଭେନିଆରେ ଗତ  ଶନିବାର ଜୁନ୍‌ର ସର୍ବାଧିକ ତାପମାତ୍ରା  ରେକର୍ଡ କରାଯାଇଛି । 

ଜୁନ୍‌ ୨୭ରେ  ଉତ୍ତର ମାସିଡୋନିଆରେ ପାରଦ ୪୨ ଡିଗ୍ରୀ  ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲା । ଦକ୍ଷିଣ  ଇଟାଲୀର ନାପଲ୍‌ସ ସହରରେ ଅଂଶୁଘାତ  ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଅସ୍ଥାୟୀ  ହସ୍ପିଟାଲ ସ୍ଥାପନ କରାଯାଇଛି । ରାସ୍ତାରେ  ଯିବା ବେଳେ ଲୋକଙ୍କ ଉପରେ ଥଣ୍ଡା ପାଣି  ସିଞ୍ଚନ ହେଉଛି । ଫ୍ରାନ୍ସ, ଜର୍ମାନୀ, ଇଟାଲୀ  ଓ ବ୍ରିଟେନ୍‌ରେ ସପ୍ତାହର ମଧ୍ୟଭାଗରେ  ତାପମାତ୍ରା ଆହୁରି ବଢ଼ିବା ନେଇ ସତର୍କତା  ଜାରି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.