ଲର୍ଡ୍ସ: ହଟିଲା ଚୋକର୍ସ କଳଙ୍କର ଦାଗ। କ୍ରିକେଟର ମକ୍କା କୁହାଯାଉଥିବା ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ନୂତନ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା। ଦୀର୍ଘ ୨୭ ବର୍ଷ ପରେ ଆଇସିସି ଟ୍ରଫି ଜିତି ପାରିଛି ଦକ୍ଷିଣ ଆଫ୍ରିକା। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳା ଯାଇଥିବା ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ୫ ଓ୍ଵିକେଟ୍ରେ ହରାଇ ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା। ଆଉ ଆଇସିସି ଟୁର୍ଣ୍ଣାମେଣ୍ଟରେ ନୂଆ ଚାମ୍ପିଅନ ଦଳକୁ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଡବ୍ଲ୍ୟୁଟିସି ଟାଇଟଲ୍ ଜିତି ଅଷ୍ଟ୍ରେଲିଆର ଦ୍ଵିତୀୟ ଡବ୍ଲ୍ୟୁଟିସି ଟ୍ରଫି ଜିତିବାର ସ୍ଵପ୍ନ ଧୂଳିସାତ କରିଛି। ଏହା ପୂର୍ବରୁ ଦଳ ୧୯୯୮ରେ ଶେଷ ଥର ଆଇସିସି ଟାଇଟଲ୍ ଭାବେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।
ଆଡନ ମାରକ୍ରମ ଐତିହାସିକ ଶତକୀୟ ଇନିଂସ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୨୮୨ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୫ ଓ୍ଵିକେଟ୍ ହରାଇ ଜିତି ନେଇଛି। ମାରକ୍ରମ ୧୩୬ ରନର ଐତିହାସିକ ଇନିଂସ ଖେଳିଥିବା ବେଳେ ଅଧିନାୟକ ତେମ୍ବା ବାଭୁମା ୬୬ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ବୋଲର କାଗିସୋ ରାବଡା ଉଭୟ ଇନିଂସରେ ୯ ଓ୍ଵିକେଟ୍ ଅକ୍ତିକାର କରି ଦଳ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଛନ୍ତି।
ଉଲ୍ଲେଖନୀୟ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୧୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୩୮ ରନ କରିଥିଲା। ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୦୭ ରନରେ ଅଲଆଉଟ୍ ହେବା ପରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସ ଅଗ୍ରଣୀ ଆଧାରରେ ୨୮୨ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଏହି ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାକୁ ୯ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ରିୟାନ ରିକଲଟନ ୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଆଡନ ମାରକ୍ରମ ଓ ଓ୍ଵିୟାନ ମୁଲଡର ଧୈର୍ଯ୍ୟର ସହ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୧ ରନ ଯୋଡ଼ି ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ। ମୁଲଡର ୨୭ ରନ କରି ପାଭିଲିୟନ ଫେରିଥିଲେ।
ଆଡନ ମାରକ୍ରମ କ୍ରିଜରେ ଜମି ରହିଥିବା ବେଳେ ତାଙ୍କୁ ଉତ୍ତମ ସହଯୋଗ ଦେଇଥିଲେ ଅଧିନାୟକ ତେମ୍ବା ବାଭୁମା। ଦୁଇ ବ୍ୟାଟର କଙ୍ଗାରୁ ବୋଲରଙ୍କୁ ଖୁବ ନୟାନ୍ତ କରିଥିଲେ। ଖେଳର ତୃତୀୟ ଦିନରେ ମାରକ୍ରମ ଶତକ ଓ ବାଭୁମା ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଚତୁର୍ଥ ଦିନ ଖେଳ ଆରମ୍ଭରେ ବାଭୁମା ଆଉଟ୍ ହୋଇଥିଲେ। ସେ ମାରକ୍ରମଙ୍କ ସହ ତୃତୀୟ ଓ୍ଵିକେଟ୍ରେ ୧୪୭ ରନର ଭାଗିଦାରୀ କରି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ବାଭୁମା ୫ ଚୌକା ଜରିଆରେ ୬୬ ରନ କରିଥିଲେ। ଏହା ଟ୍ରିଷ୍ଟନ ଷ୍ଟବ୍ସ ୮ ରନ କରିଥିଲେ। ମାରକ୍ରମ ଓ ଡେଭିଡ ବେଦିନଘମ ଦଳର ବିଜୟ ଔପଚାରିକତା ପୂରଣ କରିଥିଲେ। ମାରକ୍ରମ ୧୩୬ ରନ ଖେଳି ଆଉଟ୍ ହୋଇଥିଲେ ହେଁ ଦଳର ବିଜୟ ନିଶ୍ଚିତ କରିଥିଲେ। ସେ ୨୦୭ ବଲରୁ ୧୪ ଚୌକା ଜରିଆରେ ୧୩୬ ରନ କରିଥିଲେ। ବେଡିନଘମ ୨୧ ରନ କରି ଅପରାଜିତ ଥିଲେ। ଶେଷରେ ଦଳ ୫ ଓ୍ଵିକେଟ୍ ହରାଇ ୨୮୨ ରନର ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି।
ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ କାଗିସୋ ରାବଡ଼ାଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୨୧୨ ରନ କରିଥିଲା। ଓ୍ଵେବଷ୍ଟର ୭୨ ରନର ଇନିଂସ ଖେଳିଥିବା ବେଳେ ଷ୍ଟିଭ ସ୍ମିଥ ୬୬ ରନ କରିଥିଲେ। ବୋଲିଂରେ କାଗିସୋ ରାବଡ଼ା ୫୧ ରନ ଦେଇ ୫ଟି ଓ୍ଵିକେଟ୍ ଓ ମାର୍କୋ ଜନସେନ ୪୯ ରନ ଦେଇ ୩ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ପାଟ୍ କମିନ୍ସଙ୍କ ଘାତକ ବୋଲିଂ ମୁକାବିଲା କରି ପାରି ନ ଥିଲା। ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୩୮ ରନରେ ଅଲଆଉଟ୍ ହୋଇଥିଲା। ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ୨୮ ରନ ଦେଇ ୬ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ୨୦୭ ରନ କରିଥିଲା। ମିଚେଲ୍ ଷ୍ଟାର୍କ ୫୮ ରନ ଓ ଆଲେକ୍ସ କେରି ୪୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ବୋଲିଂ ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବଡା ୫୯ ରନ ଦେଇ ୪ ଓ୍ଵିକେଟ୍ ହାସଲ କରିଥିଲେ। ଲୁଙ୍କି ଏନଗିଡିଙ୍କୁ ୩ ଓ୍ଵିକେଟ୍ ମିଳିଥିଲା।
ଡବ୍ଲ୍ୟଟିସିର ଇତିହାସ ଉପରେ ନଜର ପକାଇଲେ ୨୦୨୧ରେ ପ୍ରଥମ ଡବ୍ଲ୍ୟଟିସି ଫାଇନାଲ ଖେଳା ଯାଇଥିଲା। ଫାଇନାଲରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଥିଲା। ଦ୍ଵିତୀୟ ସଂସ୍କରଣରେ ଭାରତ କ୍ରମାଗତ ଫାଇନାଲରେ ପହଞ୍ଚିଥିଲେ ହେଁ ଅଷ୍ଟ୍ରେଲିଆ ହାତରୁ ପରାଜିତ ହୋଇଥିଲେ। ଆଉ ତୃତୀୟ ସଂସ୍କରଣରେ ଅଷ୍ଟ୍ରେଲିଆ କ୍ରମାଗତ ଦ୍ଵିତୀୟ ଥର ଫାଇନାଲ୍ରେ ପହଞ୍ଚିଥିଲେ ହେଁ ଏଥର ଫାଇନାଲରେ ଦଳକୁ ନିରାଶ ହେବାକୁ ପଡ଼ିଛି। ଆଉ ଦକ୍ଷିଣ ଆଫ୍ରିକା ଚୋକର୍ସ ଟ୍ୟାଗ ହଟାଇବାରେ ସଫଳ ହୋଇଛି। ଦଳ ଦ୍ଵିତୀୟ ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି।
ଏହା ପୂର୍ବରୁ ଦଳ ୨୦୨୪ ଟି-୨୦ ବିଶ୍ଵକପରେ ଫାଇନାଲରେ ପହଞ୍ଚିଥିଲେ ହେଁ ଭାରତ ହାତରୁ ପରାଜିତ ହୋଇଥିଲା। ଏହିପରି ବିଗତ ଆଇସିସି ଟୁର୍ଣ୍ଣାମେଣ୍ଟ ଉପରେ ନଜର ପକାଇଲେ ଦକ୍ଷିଣ ଆଫ୍ରିକା ସର୍ବଦା ସେମି ଫାଇନାଲ୍ରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଉଥିଲା। କିନ୍ତୁ ଆଡନ ମାରକ୍ରମ ସାହସିକ ଦମଦାର ଶତକୀୟ ଇନିଂସ ଖେଳି ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇଛନ୍ତି। ଆଉ କ୍ରିକେଟ୍ ଦୁନିଆକୁ ମିଳିଛି ନୂଆ ଆଇସିସି ଟ୍ରଫି ଜିତିବା ଦଳ।