ଗାନ୍ଧିନଗର ୧୮।୬: ଅହମଦାବାଦ ବିମାନ ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ଜୀବିତ ବଞ୍ଚିଯାଇଥିବା ଏକମାତ୍ର ଯାତ୍ରୀ ରମେଶ ବିଶ୍ୱାସ କୁମାରଙ୍କୁ ବୁଧବାର ହସ୍ପିଟାଲରୁ ଡିସଚାର୍ଜ ମିଳିଯାଇଛି। ଦୁର୍ଘଟଣାରେ ଆହତ ବିଶ୍ୱାସ ଦୁର୍ଘଟଣା ପରଠାରୁ ହସ୍ପିଟାଲରେ ଥିଲେ। ହସ୍ପିଟାଲରୁ ବାହାରିବା ପରେ ବିଶ୍ୱାସ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଙ୍କ ବଡ଼ ଭାଇଙ୍କ ଅନ୍ତିମ ଯାତ୍ରାରେ ଯୋଗ ଦେଇଛନ୍ତି।
ଅହମଦାବାଦ ଏୟାରପୋର୍ଟରୁ ଉଡାଣ କରିଥିବା ଏୟାର ଇଣ୍ଡିଆ ପ୍ଲେନ କ୍ରାସରେ ଚାଳକଦଳ ସଦସ୍ୟଙ୍କ ସମେତ ୨୪୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ତେବେ ଏକମାତ୍ର ଯାତ୍ରୀ ରମେଶ ବିଶ୍ୱାସ କୁମାର ଜୀବିତ ବଞ୍ଚି ଯାଇଛନ୍ତି। ବୁଧବାର ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କ ଭାଇଙ୍କ କଫିନକୁ ଦେଖି ଭାଙ୍ଗି ପଡିଥିଲେ। କାନ୍ଦି କାନ୍ଦି ଅତ୍ୟନ୍ତ ଭାରି ମନରେ ସେ ତାଙ୍କ ଭାଇଙ୍କ ଶବ ଯାତ୍ରାରେ ଯୋଗ ଦେଇଛନ୍ତି।
ବ୍ରିଟିଶ ନାଗରିକ ୪୦ ବର୍ଷିୟ ରମେଶ ଓ ତାଙ୍କ ବଡ଼ ଭାଇ ଅଜୟ ସାଙ୍ଗ ହୋଇ ଲଣ୍ଡନ ଯିବାକୁ ବିମାନରେ ବସିଥିଲେ। ଦୁର୍ଘଟଣାରେ ରମେଶ ଜୀବିତ ବଞ୍ଚି ଯାଇଥିବା ବେଳେ ତାଙ୍କ ଭାଇ ଅଜୟ ପ୍ରାଣ ହରାଇଛନ୍ତି। ଡ୍ୟୁରେ ରମେଶ ଓ ଅଜୟଙ୍କ ଏକ ଗାର୍ମେଣ୍ଟ ଦୋକାନ ଥିଲା। ତେବେ କୋଭିଡ ସମୟରେ ଲକଡାନଉନ ଯୋଗୁ ଦୋକାନ ବଜାର ବନ୍ଦ ରହିବାରୁ ସେମାନେ ମାଛଧରା ନୌକା କିଣିଥିଲେ।
ଦୁଇ ଭାଇ ଶୀତ ରୁ ଗ୍ରୀଷ୍ମ ଋତୁ ପର୍ଯ୍ୟନ୍ତ ପୈତୃକ ଘରେ ରହି ବ୍ୟବସାୟ କରନ୍ତି ଓ ମୌସୁମୀ ଋତୁ ଆସିଲେ ଲଣ୍ଡନ ଫେରିଯାଉଥିଲେ। ସେହି ଅନୁସାରେ ସେମାନେ ମୌସୁମୀ ଆସିବା ପରେ ଲଣ୍ଡନ ଫେରିଯାଉଥିବା ବେଳେ ବିମାନ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁଇ ଭାଇ ବର୍ଷର ୬-୭ମାସ ଡ୍ୟୁରେ ଓ ୪-୫ ମାସ ଲଣ୍ଡନରେ ରହୁଥିଲେ।