ଚାନ୍ଦବାଲି ୩୧।୫: ଶନିବାର ମଧ୍ୟରାତ୍ରରେ ବିବାହ ବନ୍ଧନରେ ବାନ୍ଧି ହେବେ ଦେବ ଦମ୍ପତି । ଭଦ୍ରକ ଜିଲ୍ଲା ଆରଡିରେ ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବ ବିବାହ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ପୀଠ । ମନ୍ଦିର ପରିସର ଓ ପୀଠକୁ ସୁସଜ୍ଜିତ କରାଯାଇଥିବା ବେଳେ ଫୁଲରେ ଝଲସୁଛି ମନ୍ଦିର ମୁଖ୍ୟଦ୍ବାର । ଶୁକ୍ରବାର ବୈଦିକ ରୀତିନୀତି ଅନୁଯାୟୀ ବର ପିତା ଆଲୋକ ପଣ୍ଡା ଓ କନ୍ୟାପିତା ବିଶ୍ବଜିତ ପାଢୀଙ୍କ ପକ୍ଷରୁ ଦେବ ଦମ୍ପତିଙ୍କର ମଙ୍ଗଳପାଗ ନୀତି ସମ୍ପନ୍ନ ହୋଇଥିବା ବେଳେ ଶନିବାର ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ମଣିବାବାଙ୍କର ସକାଳ ନୀତିକାନ୍ତି ସରିବା ପରେ ସକାଳ ୮ଟାରେ ଶ୍ରୀଜିଉଙ୍କୁ ହଳଦୀ ସ୍ନାନ କରାଯାଇଥିବା ବେଳେ ବର ପିତା ଓ କନ୍ୟା ପିତାଙ୍କ ପକ୍ଷରୁ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ବାବାଙ୍କ ଚଳନ୍ତି ପ୍ରତିମା ହର, ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ଗୌରୀଙ୍କୁ ନିଜ ଘରକୁ ନେଇ ଲୋକାଚାରରେ ମଙ୍ଗଳପାଗ ନୀତି ସମ୍ପନ୍ନ କରିଥିଲେ । ଏହାସହ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସହ ଚାଲିଛି ପୂଜାର୍ଚ୍ଚନା ।
ଏହି ବିବାହ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ କଳାକାର ଏବେ ଆରଡି ପୀଠରେ ପହଞ୍ଚିଥିବା ବେଳେ ସମସ୍ତଙ୍କ ଘରେ ବନ୍ଧୁ ପରିଜନରେ ପୁରି ଉଠିଛି । ବରଧରା ଗମନ ସରିଥିବା ସହ ସନ୍ଧ୍ୟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏହାସହ ଅପରାହ୍ନ ୪ଟାରେ ମଣିବାବାଙ୍କୁ ରାଜରାଜେଶ୍ବର ବେଶ ଓ ମାତା ପାର୍ବତୀଙ୍କର ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହେବ । ପରେ ଦିଅ ମଙ୍ଗୁଳା ନୀତି ଅନୁଷ୍ଠିତ ହେବ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏଥିପାଇଁ ଭଦ୍ରକ ଜିଲ୍ଲାପାଳ, ଚାନ୍ଦବାଲି ବିଡିଓ, ତହସିଲଦାରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ପୀଠରେ ରହି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । ବିଶେଷ କରି ପୀଠରେ ଚଳିତବର୍ଷ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ପୀଠରେ ଥିବା ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କରାଯାଇ ନଦୀ ମଧ୍ୟରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପଇଁତରା ମାରୁଛନ୍ତି । ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ସୁରକ୍ଷା ବାହିନୀ ନିୟୋଜିତ ରହିଛନ୍ତି ।
You Can Read:
ପୁରୀ ବଡ଼ଦାଣ୍ଡରେ ଖଜା କିଣୁଥିଲେ ସାବଧାନ ! କିଣିବେ ୧ କିଲୋ, କିନ୍ତୁ ବଦଳରେ ପାଇବେ ୭ ଶହ ଗ୍ରାମ୍