ମାନବତା ବିରୋଧୀ ଅପରାଧ ଅଭିଯୋଗରେ ଅଭିଯୁକ୍ତ ହେଲେ ଶେଖ ହସିନା

Published By : Prameya-News7 Bureau | June 01, 2025 IST

ଢାକା ୧।୬: ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ନ୍ୟାୟଧିକରଣରେ ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଅନ୍ୟ ଦୁଇଜଣଙ୍କ ବିରୋଧରେ ସାମୂହିକ ହତ୍ୟା ସମେତ ଅନ୍ୟ ଅଭିଯୋଗ ଅଣା ଯାଇଛି। ଗତବର୍ଷ ଛାତ୍ରଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ ଉପରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନର କଥିତ ଭୂମିକା ପାଇଁ ତାଙ୍କ ବିରୋଧରେ ଏହି ଅଭିଯୋଗ ଅଣାଯାଇଛି। ଅଭିଯୋଗକାରୀଙ୍କ ପକ୍ଷରୁ ଔପଚାରିକ ରୂପେ ଅଭିଯୋଗ ଅଣାଯିବା ପରେ ୩ ବିଚାରପତିଙ୍କ ପୀଠ ‘ଆମେ ଅଭିଯୋଗ ସଂଜ୍ଞାନ’କୁ ନେଉଥିବା କହିଛନ୍ତି। 

ନ୍ୟାୟାଧିକରଣ ଏକ ସଙ୍ଗରେ ଶେଖ ହସିନା ଓ ତତ୍କାଳୀନ ଗୃହମନ୍ତ୍ରୀ ଅସଦୁଜ୍ଜମା ଖାନ କମାଲଙ୍କ ବିରୋଧରେ ନୂଆ ଗିରଫ ୱାରେଣ୍ଟ ଜାରି କରିଛି। ତୃତୀୟ ଅଭିଯୁକ୍ତ ତତ୍କାଳୀନ ପୋଲିସ ମହାନିରୀକ୍ଷକ ଚୌଧୁରୀ ଅବଦୁଲ୍ଲା ଅଲ ମାମୁନଙ୍କୁ ବ୍ୟକ୍ତିଗତ ରୂପେ ମକଦ୍ଦମାର ସମ୍ମୁଖୀନ ହେବା ଲାଗି ଅଟକ କରାଯାଇଛି। ବାଂଲାଦେଶ ଇତିହାସରେ ପ୍ରଥମ ଥର ନ୍ୟାୟାଧିକରଣ ଶୁଣାଣିର ଟେଲିଭିଜନରେ ସିଧାପ୍ରସାରଣ କରାଯାଇଛି। 

ଅନ୍ୟପଟେ ବାଂଲାଦେଶ ସୁପ୍ରିମକୋର୍ଟ ରବିବାର ନିର୍ବାଚନ ଆୟୋଗଙ୍କୁ ଦକ୍ଷିଣପନ୍ଥୀ ଜମାତ-ଏ-ଇସ୍ଲାମୀ ପାର୍ଟିର ପୁନଃ ପଞ୍ଜିକରଣ ଆଦେଶ ଦେଇଛି। ଅନ୍ତରୀଣ ସରକାରଙ୍କ ଦ୍ୱାରା ପାର୍ଟି ଉପରେ କଟକଣା ହଟା ଯିବାର ପାଖାପାଖି ୮ ମାସ ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଭବିଷ୍ୟତରେ ପାର୍ଟି ପୁଣି ନିର୍ବାଚନରେ ଅଂଶ ଗ୍ରହଣ କରିବାର ରାସ୍ତା ସଫା ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ଶେଖ ହସିନା ଦୀର୍ଘ ୧୫ ବର୍ଷ ପର୍ଯ୍ୟନ୍ତ ଶାସନ କରିବା ପରେ ଗତ ବର୍ଷ ଅଗଷ୍ଟ ମାସରେ ପଦବୀରୁ ଇସ୍ତଫା ଦେଇଥିଲେ। ପ୍ରଦର୍ଶନକାରୀମାନେ ସପ୍ତାହବ୍ୟାପୀ ରାଜରାସ୍ତାକୁ ଓହ୍ଲାଇ ଶେଖ ହସିନାଙ୍କ ଇସ୍ତଫା ଦାବି କରୁଥିଲେ। ଏଣୁ ସେ ଇସ୍ତଫା ଦେଇ ଦିଲ୍ଲୀ ପଳାୟନ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.