ଅଧୁରା ରହିଗଲା ଶେଫାଳୀ ଜରିୱାଲାଙ୍କ ସ୍ଵପ୍ନ, ସ୍ଵାମୀ ପରାଗଙ୍କ ସହ ମିଶି କରୁଥିଲେ ପ୍ଲାନ

Published By : Prameya-News7 Bureau | July 02, 2025 IST

ମୁମ୍ଵାଇ ୦୨।୦୭; ଅଭିନେତ୍ରୀ ଶେଫାଳୀ ଜରିୱାଲା ଆଉ ଏହି ଦୁନିଆରେ ନାହାନ୍ତି। 'କାଣ୍ଟା ଲଗା' ଫେମ୍ ଶେଫାଳୀଙ୍କ ହଠାତ୍‌ ମୃତ୍ୟୁ ଖବର ତାଙ୍କ ପ୍ରଶଂସକ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି ଯେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଏହି ସମୟରେ, ଶେଫାଳୀଙ୍କ ସହ ଜଡିତ ପୁରୁଣା ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସାକ୍ଷାତକାର ଗୁଡ଼ିକ ମଧ୍ୟରୁ ଗୋଟିଏ ମଧ୍ୟ ସାମ୍ନାକୁ ଆସିଛି, ଯାହା ସେ ପାରସ ଛାବ୍ରାଙ୍କୁ ଦେଇଥିଲେ। ଏହି ସାକ୍ଷାତକାରରେ ସେ ଖୋଲାଖୋଲି ଭାବରେ ତାଙ୍କର ମାଆ ହେବାର ସ୍ୱପ୍ନ ଏବଂ ଏକ ସନ୍ତାନକୁ ପୋଷ୍ୟ ଭାବରେ ଗ୍ରହଣ କରିବାର ଇଚ୍ଛା ବିଷୟରେ କହିଥିଲେ।

ଶେଫାଳୀ କହିଥିଲେ, 'ଆମର ଯେକୌଣସି ସମୟରେ ନିଜର ସନ୍ତାନ ହୋଇପାରିବ, କିନ୍ତୁ ମୁଁ ଭାବୁଛି ଏହି ଦୁନିଆରେ ଅନେକ ପିଲା ଅଛନ୍ତି ଯେଉଁମାନଙ୍କୁ ପ୍ରେମ ଏବଂ ସ୍ନେହ ଆବଶ୍ୟକ। ଆଜି ଆମେ ସେମାନଙ୍କୁ ସବୁକିଛି ଦେବାର ସ୍ଥିତିରେ ଅଛୁ। କାରଣ ସମସ୍ତେ ନିଜ ପିଲାମାନଙ୍କୁ ଭଲ ପାଆନ୍ତି, କିନ୍ତୁ ଜଣେ ବଡ ବ୍ୟକ୍ତି ସିଏ ଯିଏ ଅନ୍ୟ କାହାର ପିଲାକୁ ସମାନ ପ୍ରେମ ଦେଇପାରିବ।

ସେ ଏହା ମଧ୍ୟ କହିଥିଲେ ଯେ ଯେତେବେଳେ ସେ ପ୍ରଥମ ଥର ପାଇଁ ୧୨ କିମ୍ବା ୧୩ ବର୍ଷ ବୟସରେ ଆଡପ୍‌ସନ୍‌ ବିଷୟରେ ଜାଣିଥିଲେ। ସେତେବେଳେ ସେ ଏକ ଶିଶୁକୁ ପୋଷ୍ୟ ଭାବରେ ଗ୍ରହଣ କରିବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ। କିନ୍ତୁ ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହା ଏକ ବଡ଼ ନିଷ୍ପତ୍ତି।  ଯାହା ପାଇଁ ପରିବାରର ସମର୍ଥନ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ସମସ୍ତଙ୍କୁ ବୁଝାଇବା ପାଇଁ ସମୟ ଲାଗେ। ବର୍ତ୍ତମାନ ଶେଫାଳୀ ଦୁନିଆକୁ ଅଲବିଦା କହିଛନ୍ତି।  ତାଙ୍କର ଏହି ସପ୍ନ ଅଧୁରା ରହିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.