ୱାସିଂଟନ ୧୦।୪: ସାର୍କ ଟ୍ୟାଙ୍କ ଫେମ କାନାଡା ବ୍ୟବସାୟୀ ଓ ନିବେଶକ କେଭିନ ଓ’ଲେରୀ ଟ୍ରମ୍ପ ପ୍ରଶାସନକୁ ଚୀନ୍ ବସ୍ତୁ ଉପରେ ୪୦୦% ଟାରିଫ ଲଗାଇବା ପାଇଁ ଆଗ୍ରହ କରିଛନ୍ତି, ଯାହା ଦ୍ୱାରା ଚୀନକୁ ଅନ୍ତର୍ଜାତୀୟ ବ୍ୟବସାୟ ନିୟମର ପାଳନ ଲାଗି ବାଧ୍ୟ କରାଯାଇ ପାରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚୀନ୍ ଉପରେ ଆହୁରି ଅଧିକ କଠୋର ପଦକ୍ଷେପ ନେବା ଲାଗି ଆପିଲ କରି ସେ ୟୁକ୍ତ ରାଷ୍ଟ୍ର ଆମେରିକାର ବୌଦ୍ଧିକ ସମ୍ପଦ (ଆଇପି) ଚୋରି ଲାଗି ଚୀନ୍ ସରକାରଙ୍କୁ ସମାଲୋଚନା କରିଛନ୍ତି।
ସିଏନଏନ ପ୍ୟାନେଲରେ ଯୋଗ ଦେବା ଅବସରରେ ଓ’ଲେରୀ କହିଛନ୍ତି ଯେ ଚୀନ୍ ପାଇଁ ୧୦୪% ଟାରିଫ ପର୍ଯ୍ୟାପ୍ତ ନୁହେଁ, ମୁଁ ୪୦୦% ଟାରିଫ ପାଇଁ ଓକିଲାତି କରୁଛି। ଗତ ଜାନୁୟାରୀରେ ଟ୍ରମ୍ପ ଚୀନ୍ ଆମଦାନୀ ଉପରେ ୧୦% ଟାରିଫ ପ୍ରସ୍ତାବ ଦେବା ପରେ ବେଜିଂ ଆମେରିକୀୟ ବସ୍ତୁ ଉପରେ ୩୪% ଟାରିଫ ଲଗାଇ ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲା। ୩ ମାସରୁ କମ୍ ସମୟରେ ଏହି ଟାରିଫ ବୃଦ୍ଧି ହୋଇ ୧୦୪% ହୋଇଯାଇଛି। ଫଳରେ ଏକ ପୂର୍ଣ୍ଣ ମୌଖିକ ଆର୍ଥିକ ଲଢେଇ ଆରମ୍ଭ ହୋଇଯାଇଛି।
ଏଥିରେ ଟ୍ରମ୍ପଙ୍କ ଉତ୍ସାହୀ ସମର୍ଥକ ଓ’ଲେରୀ ରାଷ୍ଟ୍ରପତି ଚୀନ୍ କୁ ବାର୍ତ୍ତାପାଇଁ ବାଧ୍ୟ କରିବାକୁ ଚାପ ବଢାଇବା ନିମନ୍ତେ ପରାମର୍ଶ ଦେଇଛନ୍ତି। ଓ’ଲେରୀ କହିଛନ୍ତି ଯେ ଚୀନ୍ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲୁଟିଓ)ର ସଦସ୍ୟ ହୋଇ ମଧ୍ୟ କେବେ ନିୟମର ପାଳନ କରେନି। ଓ’ଲେରୀ ଚୀନ୍ ଉପରେ ଇଣ୍ଟେଲେକଚୁଆଲ ପ୍ରପର୍ଟି (ଆଇପି) ଚୋରାଇବାର ଆରୋପ ମଧ୍ୟ ଲଗାଇଛନ୍ତି। ପ୍ରଯୁକ୍ତି ଚୋରାଇବା ପରେ ଚୀନ୍ ନିଜ ଦେଶରେ ସାମଗ୍ରୀ ତିଆରି କରି ତାକୁ ପୁଣି ଆମେରିକାକୁ ବିକ୍ରି କରେ ବୋଲି କହିଛନ୍ତି।
ଓ’ଲେରୀ କହିଛନ୍ତି ଯେ ଚୀନ୍ ୱାସିଂଟନ ପାଇଁ ଏବେ ବିମାନରେ ବସନ୍ତୁ ଯାହା ଦ୍ୱାରା ଖେଳ ପଡିଆ ସମତଳ ହୋଇପାରିବ। ସେ କହିଛନ୍ତି ଯେ ଦୀର୍ଘ ଦଶନ୍ଧୀ ଧରି ଚୀନ୍କୁ କେହି ଚ୍ୟାଲେଞ୍ଜ କରି ନାହାନ୍ତି, ନା ଆମେରିକାର ପୂର୍ବତନ ସରକାର କରିଛନ୍ତି ନା ୟୁରୋପ। ଏଣୁ ଓ’ଲେରୀ ଦାବିର ସହ କହିଛନ୍ତି ଏହି ମାମଲାରେ ଟ୍ରମ୍ପ ସରକାର ଚୀନ୍ ର ସାମ୍ନା କରିବାରେ ବିଶ୍ୱରେ ପ୍ରଥମ । ଚୀନ୍ ରାଷ୍ଟ୍ରପତିଙ୍କ ବିପକ୍ଷରେ ନିଜର କଡ଼ା ଆଭିମୁଖ୍ୟକୁ କାୟମ ରଖି ଟ୍ରମ୍ପ ସମର୍ଥକ କହିଛନ୍ତି ଯେ ‘ସି ଜିନପିଙ୍ଗ କେବଳ ସେହି ପର୍ଯ୍ୟନ୍ତ ସର୍ବୋଚ୍ଚନେତା ହୋଇ ରହିପାରିବେ ଯେଉଁ ପର୍ଯ୍ୟନ୍ତ ତାଙ୍କ ଦେଶର ଲୋକଙ୍କୁ ରୋଜଗାର ମିଳୁଥିବ’।
ଓ’ଲେରୀ କହିଛନ୍ତି ଯେ ଆମେରିକା ଏବେବି ବିଶ୍ୱର ସର୍ବ ବୃହତ୍ତ ଅର୍ଥ ବ୍ୟବସ୍ଥା, ଯିଏ ନିଜେ ବିଶ୍ୱର ମୋଟ ଜିଡିପିର ୨୫% ଏଣୁ ଏହା ଜରୁରି ଯେ ଚୀନ୍ ଚାପରେ ରହିବା ଦରକାର। ଏଥି ମଧ୍ୟରେ ଟ୍ରମ୍ପ ଚୀନ ଆମଦାନୀ ଉପରେ ପ୍ରତିଶୋଧ ଶୁଳ୍କକୁ ୧୦୪% କରିଦେଇଛନ୍ତି। ଏହାର ଜବାବରେ ଚୀନ୍ ଆମେରିକୀୟ ବସ୍ତୁ ଉପରେ ୮୪%ଆମଦାନୀ ଶୁଳ୍କ ଲାଗୁ କରିଛି। ତେବେ ବିଶ୍ୱ ବଜାରରେ ହେଉଥିବା ପଡଉଠରେ ଡୋନାଲ୍ଡ ଟ୍ରମ୍ପ କେଭିନ ଓ’ଲେରୀଙ୍କ ପରାମର୍ଶ ଉପରେ ଧ୍ୟାନ ଦେବେକି ନା ତାହା ଷ୍ପଷ୍ଟ ଭାବେ କୁହାଯାଇ ପାରିବନି।